କେନ୍ଦୁଝରରେ ପ୍ରାଥମିକ ଶିକ୍ଷା – ୨୪୩ ପ୍ରାଥମିକ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ
କେନ୍ଦୁଝରଗଡ଼: କେନ୍ଦୁଝର ଜିଲାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ। ଜିଲା ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ ସାଙ୍ଗକୁ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ହେଁ ଶିକ୍ଷକ ଅଭାବ ଯୋଗୁଁ ଅଭିଭାବକ ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଇ ଅଧିକ ଖର୍ଚ୍ଚାନ୍ତ ସତ୍ତ୍ବେ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ସେମାନଙ୍କ ପିଲାମାନଙ୍କୁ ପଢ଼଼ାଇବାକୁ ଅଧିକ ପସନ୍ଦ କରୁଛନ୍ତି।
ଜିଲା ଶିକ୍ଷା ବିଭାଗ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମେ ସୁଦ୍ଧା ଜିଲାର ୨୪୩ ପ୍ରାଥମିକ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ ଚାଲିଥିବା ବେଳେ ଜିଲାରେ ୪୯୪୭ ମଞ୍ଜୁରପ୍ରାପ୍ତ ପ୍ରାଥମିକ ଶିକ୍ଷକ ପଦ ମଧ୍ୟରୁ ୩୨୪୯ଜଣ ଥିବାବେଳେ ୧୬୯୮ ପଦ ଖାଲି ପଡ଼ିଛି। ଜିଲାର ହରିଚନ୍ଦନପୁର ବ୍ଲକରେ ସର୍ବାଧିକ ୩୬ଟି ପ୍ରାଥମିକ ବିଦ୍ୟାଳୟ ଜଣେ ଲେଖାଏଁ ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ ଚାଲିଥିବା ବେଳେ କେନ୍ଦୁଝର ସଦର ବ୍ଲକରେ ୨୮, ଘସିପୁରାରେ ୨୪, ବାଂଶପାଳରେ ୨୩, ପାଟଣାରେ ୨୨, ଆନନ୍ଦପୁରରେ ୨୦, ତେଲକୋଇରେ ୧୯, ଘଟଗାଁ ଓ ଝୁମ୍ପୁରାରେ ୧୭ଲେଖାଏଁ, ଚମ୍ପୁଆରେ ୧୧, ସାହାରପଡ଼ାରେ ୧୦, ହାଟଡିହିରେ ୯ ଓ ଯୋଡାରେ ୭ଟି ପ୍ରାଥମିକ ବିଦ୍ୟାଳୟ ଜଣେ ଲେଖାଏଁ ଶିକ୍ଷକଙ୍କୁ ନେଇ ଚାଲିଛି ଶିକ୍ଷାଦାନ। କେନ୍ଦୁଝର ସଦର ବ୍ଲକରେ ୨୮ଟି ବିଦ୍ୟାଳୟ ମଧ୍ୟରୁ କେନ୍ଦୁଝର ସହରର ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟ, ଟାଉନ ପ୍ରାଥମିକ ବିଦ୍ୟାଳୟ ଓ ବଡଡେରା ପ୍ରାଥମିକ ବିଦ୍ୟାଳୟ ଜଣେ ଲେଖାଏଁ ଶିକ୍ଷକଙ୍କୁ ନେଇ ଚାଲିଛି ଶିକ୍ଷାଦାନ।
ସେହିଭଳି ଲେଭେଲ-୩ର ମଞ୍ଜୁରୀ ପ୍ରାପ୍ତ ୬୮ ବରିଷ୍ଠ ପ୍ରଧାନଶିକ୍ଷକ ପଦ ମଧ୍ୟରୁ ୩୫, ଲେଭେଲ-୩ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ମଞ୍ଜୁରପ୍ରାପ୍ତ ୬୮୨ପଦ ମଧ୍ୟରୁ ୪୫୮, ଲେଭେଲ-୪ ପ୍ରାଥମିକ ପ୍ରଧାନଶିକ୍ଷକ ମଞ୍ଜୁରପ୍ରାପ୍ତ ୯୯୧ପଦ ମଧ୍ୟରୁ ୧୭୬, ଲେଭେଲ-୪ ସ୍ନାତ୍ତକ କଳା ମଞ୍ଜୁରପ୍ରାପ୍ତ ୭୮୨ପଦ ମଧ୍ୟରୁ ୬୫, ଲେଭେଲ-୪ ସ୍ନାତ୍ତକ ବିଜ୍ଞାନ ଶିକ୍ଷକ ମଞ୍ଜୁରପ୍ରାପ୍ତ ୭୮୨ ପଦ ମଧ୍ୟରୁ ୫୯୩, ଲେଭେଲ-୫(ବି) ବରିଷ୍ଠ ପର୍ଯ୍ୟାୟ-୧ ମଞ୍ଜୁରପ୍ରାପ୍ତ ୮୨୧ପଦ ମଧ୍ୟରୁ ୭୬ ଏବଂ ଲେଭେଲ-୫ ବରିଷ୍ଠ ପର୍ଯ୍ୟାୟ-୨ ମଞ୍ଜୁରପ୍ରାପ୍ତ ୮୨୧ପଦ ମଧ୍ୟରୁ ୨୯୫ ଶିକ୍ଷକ ପଦ ଚଳିତବର୍ଷ ଫେବୃୟାରୀ ସୁଦ୍ଧା ଖାଲିଥିବା ଜଣାପଡ଼ିଛି। ଜଣେ ଲେଖାଏଁ ଶିକ୍ଷକଙ୍କୁ ନେଇ ଚାଲିଥିବା ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ ବାଧାପ୍ରାପ୍ତ ଆଶଙ୍କା ସହ ମଧ୍ୟାହ୍ନଭୋଜନ, ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ, ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବୁଥ୍ ଅଧିକାରୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଶିକ୍ଷକ ମାନଙ୍କୁ ନିର୍ବାହ କରିବାକୁ ପଡୁଛି। ଏହିସବୁ ବିଦ୍ୟାଳୟ ମାନଙ୍କରେ ଆଉ ଜଣେ ଲେଖାଏଁ ଶିକ୍ଷକଙ୍କୁ ନିଯୁକ୍ତି ନିମନ୍ତେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ତାଲିକା ପ୍ରସ୍ତୁତ ହୋଇ ସାରିଥିଲେ ହେଁ ପ୍ରଶାସନିକ ମୋହର ଲାଗି ପାରୁନଥିବାରୁ ଶିକ୍ଷକ ପଦ ପୂରଣରେ ଅହେତୁକ ବିଳମ୍ବ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ବଢ଼଼ିବାରେ ଲାଗିଛି। ତେଣୁ ଅତିକମରେ ଜଣେ ଲେଖାଏଁ ଶିକ୍ଷକଙ୍କୁ ନେଇ ଚାଲିଥିବା ବିଦ୍ୟାଳୟ ମାନଙ୍କରେ ତୁରନ୍ତ ଅଧିକ ଜଣେ ଲେଖାଏଁ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ଆଣିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଆସୁଛି।
Comments are closed.