ଗାନ୍ଧୀ ଦର୍ଶନର ସାମ୍ବିଧାନିକ ରୂପାୟନ

ରାମଚନ୍ଦ୍ର ପଣ୍ଡା

ଭାରତୀୟ ସମାଜ ବ୍ୟବସ୍ଥାରେ ଜାତିଭେଦକୁ ଲୋପ କରିବା ଦିଗରେ, ମହାନ ସମାଜ ସଂସ୍କାରକମାନେ ଶତାବ୍ଦୀ ବ୍ୟାପୀ ପ୍ରୟାସ କରି ଆସିଥିଲେ । ସ୍ବାଧୀନତା ଆନ୍ଦୋଳନ ବେଳେ ଛୁଆଁ ଅଛୁଆଁ ଭେଦଭାବ ବିରୁଦ୍ଧରେ ସାରା ଦେଶରେ ଗାନ୍ଧିଜୀଙ୍କ ଏକୀକୃତ ଆନ୍ଦୋଳନ ନୂଆ ଜାଗରଣ ଶୃଷ୍ଟି କରିଥିଲା । ୧୯୩୩ ମସିହା ନଭେମ୍ବର ମାସରୁ ୱାର୍ଦ୍ଧାରୁ ଛୁଆଁ ଅଛୁଆଁ ଭେଦଭାବ ଓ ଦଳିତ ମାନଙ୍କ ମନ୍ଦିର ପ୍ରବେଶ ଅଧିକାର ପାଇଁ ଗାନ୍ଧିଜୀ ଯେଉଁ ଦୀର୍ଘ ଯାତ୍ରା ଆରମ୍ଭ କରିଥିଲେ ସେଥିରେ ଓଡ଼ିଶା ଯାତ୍ରା ସାମିଲ ଥିଲା । ୧୯୩୪ ମେ ୮ ତାରିଖରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରି ପରବର୍ତ୍ତୀ ଦିନ ପୁରୀରୁ ହରିଜନ ଯାତ୍ରା ଆରମ୍ଭ କରିଥିଲେ କଟକ ପର୍ଯ୍ୟନ୍ତ, ଶ୍ରୀକ୍ଷେତ୍ରରେ ଏହି ଯାତ୍ରା ପାଇଁ ସେ ନିଜକୁ ଧନ୍ୟ ମଣିଥିଲେ । ସ୍ବାଧୀନ ଭାରତ ପାଇଁ ସମ୍ବିଧାନ ସଭା ଗଠିତ ହେବାପରେ ସଂବିଧାନ ନିର୍ମାତାମାନେ ଅସ୍ପୃଶ୍ୟତା ଓ ବର୍ଣ୍ଣ ବୈଷମ୍ୟ ବିରୁଦ୍ଧରେ ମହାତ୍ମା ଗାନ୍ଧୀଙ୍କ ଜୀବନ ବ୍ୟାପୀ ସାଧନାକୁ ସାର୍ଥକ କରିବାକୁ ଯାଇ ଧାରା ୧୭ରେ ଦେଶରେ ଅସ୍ପୃଶ୍ୟତା ଉଚ୍ଛେଦ କରିଥିଲେ । ଏହା ସହିତ ଧାରା ୧୫ (ଚିଠା ସମ୍ବିଧାନ ଧାରା ୧୧) ରେ ସ୍ପଷ୍ଟ ଭାବେ ସରକାରଗୁଡିକୁ ନିର୍ଦେଶ ରଖାଗଲା ଯେ ଜାତି, ଧର୍ମ, ସମ୍ପ୍ରଦାୟ, ଲିଙ୍ଗ ଓ ଜନ୍ମ ସ୍ଥାନକୁ କେନ୍ଦ୍ର କରି କୌଣସି ନାଗରିକ ବାଛ ବିଚାରର ଶିକାର ହୋଇ ପାରିବ ନାହିଁ, କିମ୍ବା କୌଣସି ନାଗରିକଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ । ଏପରି କି ଘରୋଇ ଭାବେ ପରିଚାଳିତ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, ଆମୋଦ ପ୍ରମୋଦ ସ୍ଥାନ, ପୁଷ୍କରିଣୀ କିମ୍ବା ସରକାରୀ ଅର୍ଥରେ ପରିଚାଳିତ ଯେ କୌଣସି ବ୍ୟବସ୍ଥା / ସୁବିଧାକୁ, ଜାତି, ଧର୍ମ, ସମ୍ପ୍ରଦାୟ ଓ ଲିଙ୍ଗ ବିଶେଷରେ ସମାନ ନିୟମ ଭିତ୍ତିରେ ଉପଭୋଗ ପାଇଁ ନାଗରିକଙ୍କୁ ମୌଳିକ ଅଧିକାର ଦିଆଗଲା । ଜାତିଗତ ଭେଦଭାବକୁ ଉଚ୍ଛେଦ ଓ ଦଳିତଙ୍କ ବିକାଶ ଦିଗରେ ସାମ୍ବିଧାନିକ ସୁରକ୍ଷା, ସିଭିଲ ସର୍ଭିସ ଓ ପ୍ରତିନିଧି ବ୍ୟବସ୍ଥାରେ, ଦଳିତ ଓ ଆଦିବାସୀମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ସମ୍ବିଧାନରେ ବ୍ୟବସ୍ଥା ରଖାଗଲା । ଧାରା ୧୫ ଉପରେ ସମ୍ବିଧାନ ସଭାରେ ଆଲୋଚନାବେଳେ ସଦସ୍ୟ ନାଶିରୁଦ୍ଦିନ ଅହମଦ୍, ମୁନିସ୍ବାମୀ ପିଲାଇ, ମୋହନ ଦାସ ପ୍ରମୁଖ ଅଂଶ ଗ୍ରହଣ କରି ଅସ୍ପୃଶ୍ୟତା ଏକ ବ୍ୟାଧି, ଓ ଭାରତର ସାମାଜିକ ସଂହିତାର ପତନ ପାଇଁ ଦାୟୀ ବୋଲି ବର୍ଣ୍ଣନା କରିଥିଲେ । ମୁନିସ୍ବାମୀ ପିଲାଇଙ୍କ ମତ ଥିଲା ଯେ ଜମିଦାର ଓ ସମ୍ଭ୍ରାନ୍ତ ଶ୍ରେଣୀ ଅସ୍ପୃଶ୍ୟତାକୁ ପ୍ରୋତ୍ସାହନ ଦେଉଥିଲେ । ତାଙ୍କର ମତ ଥିଲା ଯୁଗ ଯୁଗ ଧରି ଦାରୁଣ ସାମାଜିକ ନିର୍ଯାତନାରୁ ମୁକ୍ତି ପାଇବା ପାଇଁ କିଛି ଦଳିତ ବର୍ଗ, ଅନ୍ୟ ଆଧ୍ୟାତ୍ମିକ ମାର୍ଗର ଆଶ୍ରୟ ନେବାକୁ ବାଧ୍ୟ ହେଉଥିଲେ । ସଭ୍ୟ ଡକ୍ଟର ମନମୋହନ ଦାସ ଆଲୋଚନାରେ ଅଂଶ ଗ୍ରହଣ କରି ଧାରା ୧୫କୁ ଏକ ଗୁରୁତ୍ବପୂର୍ଣ୍ଣ ମୌଳିକ ଅଧିକାର ଦର୍ଶାଇଥିଲେ ଯାହା ଦ୍ବାରା ଦେଶର ୧/୬ ନାଗରିକଙ୍କୁ ଏହି ସାମ୍ବିଧାନିକ ସୁରକ୍ଷା ରାହୁଗ୍ରସ୍ତ ପ୍ରଭାବରୁ ସୁରକ୍ଷିତ କରିବ ବୋଲି ମତ ରଖିଥିଲେ । ସେ ଗାନ୍ଧିଜୀଙ୍କ ଉକ୍ତିକୁ ଉଦ୍ଧାର କରି କହିଥିଲେ ଗାନ୍ଧିଜୀ ପୁନଃ ଜନ୍ମ ଲଭିବା ପାଇଁ କୌଣସି ଇଚ୍ଛା କରିନଥିଲେ; କିନ୍ତୁ ଯଦି ଏହା ହୁଏ ସେ ଜଣେ ହରିଜନ ହିସାବରେ ପୁନଃ ଜନ୍ମ ନେଇ ଏଭଳି ଶୋଷଣ ଓ ନିର୍ଯାତନା ବିରୁଦ୍ଧରେ ଜୀବନ ବ୍ୟାପୀ ସଂଗ୍ରାମ କରିବା ପାଇଁ ନିଜର ଅଭିଳାଷ ପ୍ରକାଶ କରିଥିଲେ । ଅସ୍ପୃଶ୍ୟତା ନିବାରଣ ଦିଗରେ ମହାନ ଚିନ୍ତାନାୟକ ସ୍ବାମୀ ବିବେକାନନ୍ଦ, ରବୀନ୍ଦ୍ର ନାଥ ଟାଗୋର ଓ ରାଜା ରାମମୋହନ ରାୟଙ୍କ ଦ୍ବାରା ସାମାଜିକ ସଂସ୍କାର ଜାଗରଣ ବିଷୟ ଉତ୍‌ଥାପନ କରି ଶ୍ରୀ ଦାସ କହିଥିଲେ ଯେ ସମ୍ବିଧାନର ଧାରା ୧୫ ଓ ୧୭ର ବ୍ୟବସ୍ଥା, ସେମାନଙ୍କ ଆତ୍ମାକୁ ଶାନ୍ତି ଦେବ । ସଭ୍ୟ ଶାନ୍ତନୁ ଦାସ ଜାତିଗତ ଭେଦଭାବ ବିରୁଦ୍ଧରେ, ସାମାଜିକ ନେତା ମାନଙ୍କ ଦ୍ବାରା ଉଦାହରଣ ମୂଳକ ଆଚରଣ ଦ୍ବାରା ଜନ ଜାଗରଣ କରିବା ଉପରେ ଗୁରୁତ୍ବ ଦେଇଥିଲେ । ଅସ୍ପୃଶ୍ୟତା ବ୍ୟାଧି ଦ୍ବାରା ନିଜେ ଶିକାର ହୋଇଥିବା ଆଇନ ମନ୍ତ୍ରୀ ତଥା ସମ୍ବିଧାନର ଅନ୍ୟତମ ବିନ୍ଧାଣି ଡକ୍ଟର ଆମ୍ବେଦକର ଯେ କି ଶିଶୁ ଅବସ୍ଥାରେ ଶ୍ରେଣୀ ଗୃହ ବାହାରେ ବସି ଶିକ୍ଷା ଅର୍ଜନ କରିଥିଲେ, ମହାକାଳର ବିଚିତ୍ର ଗତିରେ ସମ୍ବିଧାନ ରଚନାର କର୍ଣ୍ଣଧାର ରୁପେ ପ୍ରତିଷ୍ଠିତ ହେଲେ ଓ ଅସ୍ପୃଶ୍ୟତା ଲୋପକୁ ସମ୍ବିଧାନରେ ମୌଳିକ ଅଧିକାର ରୂପେ ସ୍ଥାନିତ କରିପାରିଲେ । ଡକ୍ଟର ଆମ୍ବେଦକର ନିଜର ଦୁଃଖଦ ଅନୁଭୂତିକୁ ପାଥେୟ କରି ଦଳିତମାନଙ୍କ ସାମାଜିକ ମର୍ଯ୍ୟାଦା ଓ ଅଧିକାରର ସୁରକ୍ଷା ପାଇଁ ସାମ୍ବିଧାନିକ ସୁରକ୍ଷା ଦେଇଥିଲେ । ତାଙ୍କ ମତ ଥିଲା ଯେ ସମାଜର ଏକ ବୃହତ୍‌ ବର୍ଗକୁ ସମାନତାର ସୁରକ୍ଷା ନଦିଆଗଲେ, ସମାଜରେ ଅସଲ ସଂହତି ପ୍ରତିଷ୍ଠା ଅସମ୍ଭବ । ଅବହେଳିତ ଓ ଦଳିତ ବର୍ଗକୁ ପ୍ରଦତ୍ତ ରାଜନୈତିକ ଅଧିକାର ବ୍ୟବସ୍ଥାକୁ ସାମ୍ବିଧାନିକ ରୂପ ମିଳିବା ଦ୍ବାରା ଦଳିତମାନେ ଶାସନରେ ଭାଗୀଦାର ହୋଇପାରିବେ ବୋଲି ତାଙ୍କ ମତ ଥିଲା । ତାଙ୍କ ବରିଷ୍ଠ ନେତୃତ୍ବରେ ସମ୍ବିଧାନ ସଭାରେ ଉପରୋକ୍ତ ସାମ୍ବିଧାନିକ ବ୍ୟବସ୍ଥାକୁ ସର୍ବ ସମ୍ମତ ଭାବେ ଗୃହୀତ ହେବା ପରେ ‘ମହାତ୍ମା ଗାନ୍ଧୀକି ଜୟ’ ଧ୍ୱନିରେ ଗୃହ ପ୍ରକମ୍ପିତ ହୋଇଥିଲା । ଚିଠା ସମ୍ବିଧାନ ଚୁଡାନ୍ତ ହେବାପରେ ଡକ୍ଟର ଆମ୍ବେଦକର ତାଙ୍କ ଭାଷଣରେ ସମ୍ବିଧାନ ଓ ଗଣତନ୍ତ୍ରର ସଫଳ ରୁପାୟନ ଦିଗରେ ଯେଉଁ କେତେକ ଐତିହାସିକ ପରାମର୍ଶ ଦେଇଥିଲେ ସେଥିରେ ସାମାଜିକ ଗଣତନ୍ତ୍ରକୁ ପ୍ରାଧାନ୍ୟ ଦେଇ କହିଥିଲେ ଯେ ଗଣତନ୍ତ୍ରର ସଫଳତା ପାଇଁ, ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ବ ହେଉଛି “ତ୍ରିମୂର୍ତ୍ତି” । ଗୋଟିକର ଅନ୍ୟଠାରୁ ଅଲଗା ହେଲେ, ଗଣତନ୍ତ୍ରର ଅସଲ ଉଦ୍ଦେଶ୍ୟ ପଣ୍ଡ ହୋଇଯିବ । ଭ୍ରାତୃଭାବ ହେଉଛି ମୂଳ ଯାହା ଭାରତୀୟଙ୍କ ମଧ୍ୟରେ ସଂହତି ପ୍ରତିଷ୍ଠା କରି ଭେଦଭାବ ରହିତ ସମାଜ ପ୍ରତିଷ୍ଠା ଦିଗରେ ସହାୟକ ହେବ । ଦେଶର ବିକାଶ ପାଇଁ ପ୍ରଚଳିତ ସାମାଜିକ ବିରୋଧଭାବ ଶୀଘ୍ର ବିଲୋପ ହେବା ଦରକାର ବୋଲି ଉଲ୍ଲେଖ କରି ସେ ସତର୍କ କରାଇଥିଲେ ଯେ, ଅସମାନତାକୁ ଲୋପ କରାନଗଲେ ଏଥିରେ ତ୍ରାସ ନାଗରିକ ମାନେ ରାଜନୈତିକ ଗଣତନ୍ତ୍ରକୁ ଫୋପାଡି ଦେବେ ।

prayash

ଉଲ୍ଲେଖଯୋଗ୍ୟ ଯେ ସ୍ବାଧୀନତା ଆନ୍ଦୋଳନ ବେଳେ ଓ ପୂର୍ବରୁ ବହୁ ସମାଜ ସଂସ୍କାରକ, ଜନନେତା ଅସ୍ପୃଶ୍ୟତା ନିବାରଣ, ଓ ଜାତିଭେଦ ବ୍ୟବସ୍ଥା ବିରୁଦ୍ଧରେ ଆନ୍ଦୋଳନ କରିଥିଲେ, ସେମାନଙ୍କ ମଧ୍ୟରେ ରାଜା ରାମମୋହନ ରାୟ, ସଂସ୍କାରକ ମହାତ୍ମା ଜ୍ୟୋତି ରାଓ ଫୁଲେ, ପେରିୟାର ଇ.ଭି. ରାମସ୍ବାମୀ ନାଇକେର, ଡକ୍ଟର ସି.ଏନ୍ ମୁଦାଲିୟର, ନାରାୟଣ ଗୁରୁ ପ୍ରମୁଖଙ୍କ ନାମ ପ୍ରାତଃ ସ୍ମରଣୀୟ । ରାଜା ରାମମୋହନ ରାୟ ସତୀଦାହ ଭଳି କୁସଂସ୍କାର ବିରୁଦ୍ଧରେ ଜାଗରଣ ଆଣିଥିଲେ; କିନ୍ତୁ ଏହି ସଂସ୍କାର ଆନ୍ଦୋଳନ ପାଇଁ ସେ ବିଭିନ୍ନ ସାମାଜିକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ । ଏହି ଆନ୍ଦୋଳନ ଦ୍ବାରା ନାରୀ ସମାଜ ଭେଦଭାବରୁ ବହୁଳ ଭାବେ ମୁକ୍ତି ପାଇଥିଲା । ସେଇ ଭଳି ସମାଜ ସଂସ୍କାରକ ଜ୍ୟୋତିବା ଫୁଲେ ୧୮୭୩ ମସିହାରେ “ସତ୍ୟଶୋଧକ ସମାଜ” ପ୍ରତିଷ୍ଠା କରି ମହିଳା ଓ ଦଳିତ ବର୍ଗର ଅଧିକାର ପାଇଁ ଜନ ଆନ୍ଦୋଳନ କରିଥିଲେ । ସ୍ବାଧୀନତା ଆନ୍ଦୋଳନ କାଳରେ ଏ.ଭି. ଠକ୍କରଙ୍କ ଦ୍ବାରା ପରିଚାଳିତ ହରିଜନ ସେବକ ସଂଘ ଯାହାର ଶାଖା ଓଡ଼ିଶାରେ ପ୍ରତିଷ୍ଠିତ ହୋଇଥିଲା, ସେଥିରେ ଓଡ଼ିଶାର ବହୁ ସ୍ବାଧୀନତା ସଂଗ୍ରାମୀ ରମାଦେବୀ, ଲକ୍ଷ୍ମୀ ନାରାୟଣ ମିଶ୍ର, ବିଚିତ୍ରାନନ୍ଦ ଦାସ, ଗୋପବନ୍ଧୁ ଚୌଧୁରୀ, ନୀଳକଣ୍ଠ ଦାସ, ରାଧାନାଥ ରଥ ପ୍ରମୁଖ ଏହାର ସକ୍ରିୟ ସଦସ୍ୟ ଭାବେ ଅସ୍ପୃଶ୍ୟତା ବିରୁଦ୍ଧରେ ଜନଜାଗରଣ କରିଥିଲେ । ଗଞ୍ଜାମର ଜୟମଙ୍ଗଳ ରଥ ଓ ମୋହନ ନାୟକ ପ୍ରମୁଖ ଜାତି ଓ ବର୍ଣ୍ଣଗତ ଭେଦ ବିରୁଦ୍ଧରେ ଜନଜାଗରଣ କରୁଥିଲେ । ଦଳିତ ବର୍ଗର ଶିଶୁମାନଙ୍କ ଶିକ୍ଷାର ବିକାଶ ପାଇଁ ଶ୍ରୀ ଜୟମଙ୍ଗଳ ରଥ ଓ ଶ୍ରୀ ମୋହନ ନାୟକ ଠକ୍କର ବାପା ଆଶ୍ରମ ପ୍ରତିଷ୍ଠା କରିଥିଲେ ।

ଅସ୍ପୃଶ୍ୟତା ଏକ ବ୍ୟାଧି ଯାହା ସମାଜରେ କିଭଳି ପ୍ରାଧାନ୍ୟ ଲାଭ କଲା ତା ଉପରେ ଅଧିକ ଗବେଷଣା ଆବଶ୍ୟକ । ପୌରାଣିକ କାଳରେ ଜାତିଗତ ଭେଦଭାବ ନଥିବାର ବହୁ ଉଦାହରଣ ରହିଅଛି । ଶ୍ରୀକୃଷ୍ଣଙ୍କ ମାତା ଦେବକୀ, ରାକ୍ଷସ କଂସର ଭଗିନୀ ଥିଲେ ଓ ବସୁଦେବ ଯାଦବ ଥିଲେ । କୁହାଯାଏ ଯେ ସମାଜର ପ୍ରତ୍ୟେକ ବର୍ଗ ଜଣେ ଋଷିଙ୍କ ବଂଶଜ ରୂପେ ପରିଚିତ ହୋଇଥାନ୍ତି। ଏଭଳି କ୍ଷେତ୍ରରେ ମନୁଷ୍ୟ ମନୁଷ୍ୟ ମଧ୍ୟରେ ଜାତିଗତ ଭେଦଭାବ ଉଦ୍-ଭଟ ପରିକଳ୍ପନା ନୁହେଁ କି ? କାଳାନ୍ତରରେ ଜନ୍ମକୁ ନେଇ ଜାତିଗତ ବିଭିନ୍ନତା କିଭଳି ବିକଶିତ ହେଲା ତା ଉପରେ ନିର୍ଦିଷ୍ଟ ମତ ରଖିବା କଷ୍ଟ । ଯଦିଓ ଭାରତୀୟମାନଙ୍କ ଖାଦ୍ୟ, ସଂସ୍କୃତିକ ଚାଲିଚଳନ, ବେଶଭୂଷା ପ୍ରାୟ ଏକ; କିନ୍ତୁ କର୍ମ ଭିତ୍ତିକ ଶ୍ରେଣୀ ବିଭାଜନ ଅପଭ୍ରଂଶ ହୋଇ ଏଭଳି ଜାତି ଭେଦର ସୃଷ୍ଟି ଯାହାର ଦୌରାତ୍ମ୍ୟରେ ଭାରତୀୟ ସମାଜ ଶତାବ୍ଦୀ ବ୍ୟାପୀ ଗୁଞ୍ଜରିତ ହୋଇ ଆସିଅଛି । କୁହାଯାଏ ଯେ ଦେବତା ମାନେ ମଧ୍ୟ କର୍ମବନ୍ଧନ ଅନୁଯାୟୀ ବିଭକ୍ତ । ଯେଉଁପରି ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା, ସଂହାରକର୍ତ୍ତା ରୁପେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କୁ ପୂଜା କରାଯାଏ । କର୍ମର ଗୁଣବତ୍ତା ଓ ଗରିମାକୁ ପାଥେୟ କରି ଭଗବାନ ଶ୍ରୀକୃଷ୍ଣ ନିଜେ ସମାଜକୁ ଚମତ୍କାର ପ୍ରେରଣା ଯୋଗାଇ ଅଛନ୍ତି ଯେଭଳି ସେ ନିଜେ ଗାଈମାନଙ୍କ ଚାରଣ ନିମନ୍ତେ ଗୋପୀଙ୍କ ମେଳରେ ରହୁଥିଲେ । ମହାଭାରତ ପରବର୍ତ୍ତୀ ଯୁଧିଷ୍ଠିରଙ୍କ ଅଶ୍ବମେଧ ଯଜ୍ଞରେ ପତ୍ର ଉଠାଇବା ଦାୟିତ୍ବକୁ ନିଜ ଉପରକୁ ନେଇ ସମାଜ ପାଇଁ ଭଗବାନ ଶ୍ରୀକୃଷ୍ଣ ମହନୀୟ ସଂନ୍ଦେଶ ଛାଡିଯାଇଛନ୍ତି ଯେ କୌଣସି କର୍ମକୁ ନୀଚ ରୂପେ ଧରିବା ଠିକ୍ ନୁହେଁ । ଦେବ ଓ ମୁନିଋଷିଙ୍କ ପୂଜ୍ୟ ମହାଭାରତ ଗ୍ରନ୍ଥର ରଚୟିତା କୃଷ୍ଣ ​‌େ​‌ଦ୍ବୗପାୟନ ଯେ କି ବ୍ୟାସଦେବ ରୂପେ ପରିଚିତ, ଧୀବର କନ୍ୟା ମାତା ସତ୍ୟବତୀଙ୍କ ପୁତ୍ର ଥିଲେ । ମହାଭାରତ ଯୁଦ୍ଧ ପରବର୍ତ୍ତୀ କାଳରେ ଶ୍ରୀକୃଷ୍ଣ ଦ୍ବାରିକା ପ୍ରତ୍ୟାବର୍ତ୍ତନ ସମୟରେ ଉତ୍ତୁଙ୍ଗ ମୁନିଙ୍କ ସହ ଭେଟ ହେବା ବେଳେ, ଶୋଷ ମେଣ୍ଟେଇବା ପାଇଁ ଉତ୍ତୁଙ୍ଗ ମୁନି ଚଣ୍ଡାଳର ଚମଡା ପାତ୍ରରୁ ଜଳ ପିଇବାକୁ ନାସ୍ତି କରିବା, ନେଇ ଶ୍ରୀକୃଷ୍ଣ, ଜ୍ଞାନୀ ଲୋକଜାତି, ବର୍ଣ୍ଣର ଭେଦ ଭାବରୁ ମୁକ୍ତ ରହିବା ନେଇ ପରାମର୍ଶ ଦେଇଥିବା ଉପାଖ୍ୟାନ, ଜାତି ଭେଦ ରହିତ ସମାଜ ଗଠନ ପାଇଁ ପ୍ରେରଣା ଦେଉ ନାହିଁ କି ? ଜାତି ଧର୍ମ ବିଭେଦର ଉଚ୍ଛେଦ ପାଇଁ ସ୍ବୟଂ ବିଷ୍ଣୁ ଓ ମହେଶ୍ବରଙ୍କ ଯୁଗ୍ମ ଅବତାର ଜନ୍ମ ନେଇଥିଲେ ବୋଲି କେରଳରେ ଏକ ପୌରାଣିକ କାହାଣୀ ଅଛି ଯାହା ଅନୁଯାୟୀ ବଲିଆ ମୁତପନ (ବିଷ୍ଣୁ), ଚେରିଆ ମୁତପନ (ଶିବ) ଙ୍କ ଯୁଗ୍ମ ଅବତାର, ମୁତପନ ଅବତାରରେ, ସମାଜରେ ଜାତିଗତ ଭେଦଭାବ ଜାଗରଣ ବିରୁଦ୍ଧରେ କାମ କରିଥିଲେ । କେରଳରେ ମତପପୁରା ଠାରେ ମୁତପନଙ୍କ ଏକ ମନ୍ଦିର ଅଛି ଓ କୁକୁର ତାଙ୍କର ବାହନ ଓ ନିଷ୍ପେଷିତ ଦଳିତ ବର୍ଗକୁ ଶୋଷଣରୁ ମୁକ୍ତ କରିବା ଏହି ଅବତାରର ଲକ୍ଷ୍ୟ ଥିଲା ବୋଲି ବହୁ ପୌରାଣିକ ଉପାଖ୍ୟାନ ରହିଅଛି । ଜାବଲା ପୁତ୍ର ସତ୍ୟକାମ ବ୍ରହ୍ମ ବିଦ୍ୟା ଅଧିକାରୀ ହେବାପରେ ବ୍ରାହ୍ମଣ ରୂପେ ବିବେଚିତ ହୋଇଥିଲେ ବୋଲି ଉଲ୍ଲେଖ ରହିଛି । ମୀରାବାଈ ରାଇ ଦାସ (ରବି ଦାସ)ଙ୍କୁ ଗୁରୁରୂପେ ଗ୍ରହଣ କରିଥିଲେ । ସନ୍ଥ କବି ଭୀମ ଭୋଇ ସମଗ୍ର ମାନବ ସମାଜକୁ ଏକ ଜାତି ରୂପେ ବିବେଚନା କରିଥିଲେ । ବିବେକାନନ୍ଦ ନରନାରାୟଣଙ୍କ ସେବା ହିଁ ଅସଲ ଧର୍ମ ରୂପେ ମାନବ ଜାତିକୁ ଶିକ୍ଷା ଦେଇଯାଇଛନ୍ତି । ଗୀତାରେ ଭଗବାନ ଶ୍ରୀକୃଷ୍ଣ ପୃଥିବୀ ପୃଷ୍ଠରେ ଦୁଇ ପ୍ରକାର ମନୁଷ୍ୟ ଥିବା ନେଇ ଉଲ୍ଲେଖ କରିଛନ୍ତି ଯେ ଗୋଟିଏ ହେଲା ଉତ୍ତମ ପ୍ରକୃତିର ଓ ଅନ୍ୟଟି ରାକ୍ଷସ ପ୍ରକୃତିର । ଯଦି ଈଶ୍ବର ମାନବ ଅବତାରରେ ଜାତି ଭେଦକୁ ସ୍ବୀକାର କରିନଥିଲେ ସମାଜରେ ତାହା କାହିଁକି ରହିବ । ତେଣୁ ଜାତି ଭେଦ କାହିଁକି ? ଗାନ୍ଧିଜୀ ତାଙ୍କ ସ୍ବପ୍ନର ଗ୍ରାମ୍ୟ ସ୍ବରାଜ୍ୟକୁ ବ୍ୟାଖ୍ୟା କରିବାକୁ ଯାଇ କହିଥିଲେ ଯେ ପ୍ରତ୍ୟେକ ଗ୍ରାମ ସ୍ବୟଂସମ୍ପନ୍ନ ଓ ଭେଦଭାବ ରହିତ ହେବା ସାଙ୍ଗକୁ, ଶକ୍ତି, ଅହିଂସା ଓ ସତ୍ୟର ଅମୋଘ ଶକ୍ତି ବାହକ ହେବା ଉଚିତ । ସମାଜରେ ସମତା, ସଂହତି ଓ ବିକାଶ ପଥରେ ଦୃଢ ଅଗ୍ରସର ହେବା ପାଇଁ ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶ ଅନୁପାଳନ ବିଧେୟ, ଯାହା ଦ୍ୱାରା ସମ୍ବିଧାନ ପ୍ରଦତ୍ତ ଲକ୍ଷ୍ୟ ସାର୍ଥକ ହେବ, ଓ ସନାତନ ଧର୍ମର ମୌଳିକ ଲକ୍ଷ୍ୟ “ବସୁଧୈବ କୁଟୁମ୍ବକମ୍‌” ରୂପାନ୍ତରିତ ହୋଇ ବିଶ୍ବପରିବାର ମୂଲ୍ୟବୋଧ ସାର୍ଥକ ହେବ ଯାହା ଏହି ବ୍ରହ୍ମାଣ୍ଡ ସୃଷ୍ଟିର ଅସଲ ଲକ୍ଷ୍ୟ । (ଲେଖାଟି ଲେଖକଙ୍କ ବ୍ୟକ୍ତିଗତ ମତ)

kalyan agarbati

Comments are closed.