ସମ୍ବଲପୁର: ସମ୍ବଲପୁର ଜିଲାରେ କୋଇଲା ପରିବହନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରିବାକୁ ବିଜୁ ଯୁବ ଜନତା ଦଳ ଦାବି କରିଛି। ବିଜୁ ଯୁବ ଜନତା ଦଳ ଜିଲା କମିଟି ପକ୍ଷରୁ ୫ ଦଫା ଦାବୀପତ୍ର ଜିଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ସମ୍ବଲପୁର ଜିଲାରେ ଗଢ଼ି ଉଠିଥିବା କଳ କାରଖାନା ପାଇଁ ଜିଲା ତଥା ପଡୋଶୀ ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲାରେ ଥିବା କୋଇଲା ଖଣି ଗୁଡିକରୁ ହଜାର ହଜାର ଟନ କୋଇଲା ପରିବହନ ହେଉଛି। ଅନ୍ୟ ପଟରେ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ସେସ ଆକାରରେ ନେଉଥିବା ବେଳେ ଏହି ଅଞ୍ଚଳର ଦୀର୍ଘ ଦିନର ସ୍ୱତନ୍ତ୍ର କୋଲ କରିଡର ଘୋଷଣା ଦାବୀକୁ ଅଣଦେଖା କରି ଆସୁଛନ୍ତି। କୋଇଲା ପରିବହନ ପାଇଁ କେନ୍ଦ୍ର ସରକାର କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରୁ ନ ଥିବା ବେଳେ କୋଇଲା ପରିବହନ ସମୟରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି। ପଶ୍ଚିମ ଓଡ଼ିଶାରେ ବିଜେପିର ୫ ଜଣ ସାଂସଦ ଥିବା ବେଳେ ସ୍ୱତନ୍ତ୍ର କୋଇଲା କରିଡର ଘୋଷଣା ଦାବିକୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଉପସ୍ଥାପନା କରି ନାହାନ୍ତି। ଏଣୁ ବିଜୁଯୁବ ଜନତା ଦଳ ପତ୍ର ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର କୋଲ କରିଡର ଘୋଷଣା କରିବାକୁ ଦାବି କରିଛି। ମଙ୍ଗଳବାର ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଦିଲିପ ଦୁରିଆ, ଚିତ୍ତରଞ୍ଜନ ରାଉଳ, ନିଶିକାନ୍ତ ବିଶ୍ୱାଳ, ମଞ୍ଜୁ ଓରାମ, ଉଦ୍ଧବ ବାରିକ, ଲିଲିମା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ।
Popular Categories



