ମନରେ ସତୀତ୍ଵ ଦେହରେ ନାହିଁ
ମହିଳା ‘ସଶକ୍ତୀକରଣ’, ‘ମହିଳା ବିମୁକ୍ତି’, ‘ନାରୀ ନିର୍ଯାତନା’ ଆଦି ହରେକ ନାରା ଆଜି ଏ ଦେଶର ତଥାକଥିତ ସମାଜସେବକ ମୁଣ୍ଡିଆଳମାନେ କରୁଛନ୍ତି। ସତିକା ବିଶ୍ବରେ ଏ ଦେଶରେ ନାରୀ ଏମିତି ନିର୍ଯାତିତା ହେଉଛନ୍ତି! ନାରୀକୁ େସ୍ତ୍ରୖଣମାନଙ୍କ ଦ୍ବାରା ଅତ୍ୟାଚାରିତା, ଶୋଷିତା ବା ପୀଡ଼ିତା ନ ହେବାକୁ ମୋଗଲ ଓ ଫିରିଙ୍ଗ ଶାସନ କାଳରେ ଅସହାୟ ଜନତା ନାରୀ ବା କନ୍ୟାର ସୁରକ୍ଷା ପାଇଁ ନାନା ପଦ୍ଧତି ଆରମ୍ଭ କରିଥିଲେ। ଏ ପାପାତ୍ମା ଶାସକମାନଙ୍କ ଲୋଲୁପ ଦୃଷ୍ଟିରୁ ସୁନ୍ଦର କନ୍ୟାଟିଏ ନ ପଡ଼ିବାକୁ, କନ୍ୟା ବା ନାରୀର ଦୁଆରବନ୍ଧ ଡିଆଁରେ ରୋକ ଲଗାଯାଇଥିଲା। ଏ ଦେଶ ସଂସ୍କୃତି, ସଂସ୍କାରରେ ନାରୀ ଯେତେ ସ୍ବାଧୀନତା ଓ ସମ୍ମାନ ପାଉଥିଲା, ଯେତେ କ୍ଷମତା ଉପଭୋଗ କରୁଥିଲା, ତା’ ଆଜି କାଇଁ? ମୋଗଲ ଶାସନ କାଳରେ ନାରୀମାନଙ୍କ ଦଶା ଓ ଦୁର୍ଦଶା ବିଷୟରେ ‘ଶିବାଜିଙ୍କ ଉତ୍ସାହ ବାକ୍ୟ’ କବିତା ପଢ଼ୁନ! କାଇଁ କିଏ ଏକୁ ସବୁ ପଢ଼ୁଚି ଆଜି!
ଏ ଜନତାଙ୍କୁ ଆହ୍ବାନ ଦେଇ ଛତ୍ରପତି ଶିବାଜି କହିଥିଲେ, ‘ଶୁଣିଅଛ ଯୋଧେ! ଦୁର୍ଗାବତୀ କଥା, ଶୁଣି ତ ଅଛ ତା ଧୀର ସାହସ, ନାରୀ ହୋଇ ଯୁଦ୍ଧେ ଦେଲା ନିଜ ମଥା, ଜୀବନ୍ତେ ନ ହେଲା ଯବନ ବଶ। ସରି କି ନୋହିବ ସେହି ଅବଳାର? କ୍ଷତ୍ରିୟ ବୋଲାଅ ଅଟ ପୁରୁଷ, ଦାସତ୍ବ-ଶୃଙ୍ଖଳ ପିନ୍ଧିବ ଗଳାରେ ଶିରେ କି ସହିବ ରିପୁ ଅଙ୍କୁଶ?’ xxxx ‘କୋମଳା କାମିନୀ-କୁନ୍ତଳ କରଷି ନିଜ ଅନ୍ତଃପୁରେ ନେବ ଯବନ, ଏ ଘୋର ଲାଞ୍ଛନା ଦେଖିବ କି ବସି ସମଅଶ୍ରୁ ସିକ୍ତ କରି ନୟନ?’ ଆକବର ହିନ୍ଦୁ ରକ୍ତରେ ଯବନ ରକ୍ତ ଫେଣ୍ଟିବାକୁ, ନିଜ ସେନାପତି କରିଥିବା ପରାଜିତ ଶିଖ୍ ବୀର ମାନସିଂହଙ୍କ ଝିଆରୀ ପରମ ସୁନ୍ଦରୀ ଯୋଦ୍ଧାବାଈଙ୍କୁ କିପରି ଜବରଦସ୍ତ ଆକବରଙ୍କ ସହ ବିବାହ କରିଥିଲେ, ତା’ ତ ଇତିହାସର କଥା। ଅସମ୍ମତା ଯୋଦ୍ଧାବାଈ ନିଜ ଖୋଷଣିରେ ଛୁରୀ ଧରି ଚତୁର୍ଥୀ ରାତିରେ ସମ୍ରାଟ ଆକବରଙ୍କ ସହ ପ୍ରଥମ ରାତିର କଥା ଶୁଣିଲେ ଛାତି ଥରିଯାଏ। ତେବେ ସେ ଏକ ଭିନ୍ନ ପ୍ରସଙ୍ଗ। ମୋଗଲ ରାଜତନ୍ତ୍ରରେ ସମ୍ରାଟମାନଙ୍କ ‘ସୁରା-ସାକୀ’ ନିଶାର ବହୁ ଲଜ୍ଜାକର ଘଟଣା ଇତିହାସରେ ଲିପିବଦ୍ଧ। ଏ ସବୁ କଥାର ବର୍ଣ୍ଣନାରେ ତଥାକଥିତ ନାରୀମାନଙ୍କ ଦୁର୍ଦଶା ଓ ଏହାର ନିରାକରଣ ପାଇଁ କର୍ପୂର ଭଳି ନାରୀ-ସମ୍ପତ୍ତିର ସୁରକ୍ଷା କରାଯାଉଥିଲା। ଇଏ ନାରୀ ନିର୍ଯାତନା ନୁହଁ। ରାଜା ଦ୍ୟୁମ୍ନସେନ ନିଜ କନ୍ୟା ସାବିତ୍ରୀର ବିବାହ ପାଇଁ କ’ଣ ଏକ ବର ତାଙ୍କ ଉପରେ ଲଦି ଦେଇଥିଲେ? ନା, ସେ ସାବିତ୍ରୀଙ୍କୁ ସୈନ୍ୟବାହିନୀ ସହ ନିଜ ପାଇଁ ବର ମନୋନୀତ କରିବାକୁ ପଠେଇଥିଲେ। ସେ ବର ଉପଯୁକ୍ତ ନୁହେଁ, ଆଉ ଜଣେ ପାତ୍ର ଖୋଜିବାକୁ ପିତା ଓ ପରିବାରବର୍ଗ ପ୍ରସ୍ତାବ ଦେଲେ। ମାତ୍ର ସେଥିରେ ସାବିତ୍ରୀ ଅରାଜି ହେଲେ। ତାଙ୍କର ପ୍ରଥମ ମନୋନୀତ ହିଁ ତାଙ୍କର ସ୍ବାମୀ। ଇୟେ ତ ‘ପ୍ରଥମ ଚାହାଣିର ପସନ୍ଦ’ କଥା (Love at first sight.)। ଏ ଦେଶରେ ନାରୀ ଓ ନାରୀ ଶକ୍ତିର ମର୍ଯ୍ୟାଦା ଅପରିସୀମ ଥିଲା। ଏ ଦେଶର ସବୁଠୁ ବଡ଼ ପର୍ବ ଦଶହରା ନାରୀ ଶକ୍ତିର ଜୟଗାନରେ, ପୂଜା ଉପାସନାରେ ଉତ୍ସର୍ଗୀକୃତ। ‘ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା’ ଆଦି ନାରୀର ବହୁ ନାନାବିଧ ଶକ୍ତିର ଆବାହନ, ପୂଜା ଓ ଜୟଗାନ କରାଯାଇଥାଏ। ମହାଭାରତ ଓ ରାମାୟଣ ମହାସମର ତ ନାରୀର ପ୍ରତିଷ୍ଠା ଓ ସମ୍ମାନ ପାଇଁ ଉଦ୍ଦିଷ୍ଟ ଥିଲା। ଦ୍ରୌପଦୀ ଓ ସୀତାଙ୍କ ଚରିତ ପଢ଼ୁନା! ମାତ୍ର ଏବେ ସବୁ ବଦଳି ଯାଇଛି।
ନାରୀର ସୁରକ୍ଷା, ସମ୍ମାନ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ଓ ପଦ୍ଧତିକୁ, ଏବେ ଦଳେ େସ୍ତ୍ରୖଣ ନିନ୍ଦା କରୁଛନ୍ତି। ନାରୀକୁ ଖେଳନା କଣ୍ଢେଇ ବନେଇ ସ୍ବୀୟ ଲାଳସା ଚରିତାର୍ଥ ପାଇଁ ଏବେ ନାରୀ ପ୍ରଗତି ନାମରେ ହୋ ଉଠଉଚନ୍ତି। ଆରେ ନାରୀ ଧର୍ଷଣ କଥା ଦେଖୁନା! ଯାହାକୁ ଏବେ ଏମାନେ ‘ଦୁଷ୍କର୍ମ’ ନାଁ ଦେଇଚନ୍ତି। ‘ଦୁଷ୍କର୍ମ’ ଓ ‘ଧର୍ଷଣ’ ଦୁଇଟି ସମ୍ପୂର୍ଣ୍ଣ ଅଲଗା ଭାବ ଓ ଅର୍ଥ। ପଣ୍ଡିତେ ‘ଧର୍ଷଣ’ ଉଠେଇ ‘ଦୁଷ୍କର୍ମ’ କହି କି ବାର୍ତ୍ତା ନାରୀ ପ୍ରତି ଏ ଜଘନ୍ୟ ଅତ୍ୟାଚାରର ରୂପାନ୍ତରରେ ଦେଉଚନ୍ତି? ନାରୀକୁ ଶିକ୍ଷିତା କରିବାର ବ୍ୟବସ୍ଥା ଓ ପ୍ରୟାସର ପୁରାତନ ବହୁ ଉଦାହରଣ ଏବେ ବି ଅମଳିନ ଥୁଆ। ସହ ଶିକ୍ଷା ବ୍ୟବସ୍ଥାକୁ ଗାନ୍ଧିଜୀ ଘୋର ବିରୋଧ କରୁଥିେଲ, ମାତ୍ର ଏ ପଣ୍ଡିତେ କହିଲେ, ‘ଝିଅପୁଅ ଭାଇଭଉଣୀ ଏମିତି ବିରୋଧ ସଂକୀର୍ଣ୍ଣ ଓ ଅବାଞ୍ଛିତ।’ ତେବେ ବିଦ୍ୟାଳୟ ପରିସ୍ରାଗାରରେ ଭାଇଭଉଣୀଙ୍କ ଦୁଷ୍କର୍ମର ବାରମ୍ବାର ସମ୍ବାଦ କେମିତି ଆସୁଛି? ଶାସ୍ତ୍ର ତ କହିଲା, ‘ମାତ୍ରା ସ୍ବସ୍ତ୍ରା ଦୁହିତ୍ରା ଚ ନବିବିକ୍ତାସନୋ ଭବେତ୍, ବଳବାନ୍ ଇନ୍ଦ୍ରିୟଗ୍ରାମୋ ମନସାଚାପିକର୍ଷତି।’ ମା’ ଭଉଣୀ ଓ କନ୍ୟା ବା ଝିଅ ସହ ମଧ୍ୟ ଏକ ଆସନରେ ଏକାକୀ ବସିବ ନାହିଁ। କାରଣ ଏ ବଳବାନ ଇନ୍ଦ୍ରିୟ କେତେବେଳେ କ’ଣ ଘଟାଇବ କିଏ କହିବ? ତେଣୁ ରୁଚି, ଚରିତ୍ର, ଚିନ୍ତା, ଶାରୀରିକ ଗଠନରେ ଢେର ଭିନ୍ନ ପୁରୁଷ ଓ ସ୍ତ୍ରୀଙ୍କୁ ଏକାଠି ଫେଣ୍ଟିଲେ ଯେଉଁ ନିର୍ଯାସ ବାହାରିବ ତା ଅମୃତ ନୁହଁ ବିଷ। ଏ କଥା ସମୁଦ୍ର ମନ୍ଥନରୁ କଳନା କର। ଲୀଳାବତୀ, ମୈତ୍ରୀ, ଗାର୍ଗୀ ପ୍ରଭୃତି ତେଜସ୍ବିନୀ ନାରୀମାନଙ୍କର ସୃଷ୍ଟି ଆଜି କାଇଁ? କାହିଁଗଲେ ରାଣୀ ଲକ୍ଷ୍ମୀବାଈ? କାହିଁଗଲେ ଭକ୍ତା ମୀରାବାଈ? ଏମିତି କେତେ କିଏ। ଇଏ ସବୁ ଏ ସଭ୍ୟତାରେ ଗପ ବନିଯାଇଛି। କେବଳ ଝିଣ୍ଟିକା ଦେଖିଥିବା ଲୋକ ମାଙ୍କଡ଼ର ଲମ୍ବଡ଼ିଆଁ କି ହନୁମାନଙ୍କ ମହାସାଗର ଡିଆଁକୁ କେମିତି ବିଶ୍ବାସ କରିବ କହୁନା!
ଏବେ ବିବାହ ଓ ତା’ପାଇଁ ତିଆରି ଆଇନରେ ବାସ୍ତବତା ଓ କଳନା ଭିତରେ ଢେର ପ୍ରଭେଦ ସମାଜରେ ନାନା ବିଶୃଙ୍ଖଳାର କାରଣ ହୋଇଛି। ପାଶ୍ଚାତ୍ୟ ସଭ୍ୟତା ଆମ ସଂସ୍କାର, ସଂସ୍କୃତିକୁ ବାଟବଣା କରିଦେଉଛି। ଗଛରେ ସବୁ ଫଳ ଯେ ସମାନ ଭାବରେ ପାଚିବ ତା’ କ’ଣ ସମ୍ଭବ? ଯେଉଁ ଫଳ ଆଗ ପାଚିଗଲା, ଅନ୍ୟ ଫଳ ପାଚିନି ବୋଲି ତା’କୁ ତୋଳା ନ ଗଲେ, ସେ ବ୍ୟବହାର ପାଇଁ ରହିପାରିବ ତ? ସାବାଳିକା ଓ ନାବାଳିକା ନିର୍ଣ୍ଣୟ ଓ ନିର୍ଦ୍ଧାରଣ ସେମିତି ଏକ ଖିଆଲ ଉପରେ ବା ଭିନ୍ନ ଭାବର କେତେକଙ୍କ ମାନସିକତା ଅନୁସାରେ ନିର୍ଦ୍ଧାରିତ। ବାରବର୍ଷ ତେର ବର୍ଷରେ ଗୃହଯୋଗ୍ୟା ହୋଇଥିବା ଜଣଙ୍କୁ ଷୋଳବର୍ଷ କି ଅଠର ବର୍ଷ ଯାଏ ଘୋଷାରିବା କୁ ଆଇନ? ନାବାଳିକା ବା ସାବାଳିକା ଅବସ୍ଥା ସହ ବିବାହକୁ, ଶିକ୍ଷାକୁ ବା ସାମାଜିକ ଚଳନିକୁ କେମିତି ଓ କାହିଁକି ଯୋଡ଼ାଯାଇଚି, ବିକୃତିକରଣ କରାଯାଉଛି? ଏବେ ସମାଜରେ ଘଟୁଥିବା ଶହଶହ ଆତ୍ମହତ୍ୟା, ଘନଘନ ଛାଡ଼ପତ୍ରରେ ପାରିବାରିକ ଜୀବନ ସନ୍ତୁଳିତ ହେବା ଉଦାହରଣ କ’ଣ ଏ ସମାଜତତ୍ତ୍ବବିତ୍ମାନଙ୍କୁ ଦିଶୁନି? ପ୍ରାକୃତିକ ବ୍ୟବସ୍ଥା ଓ ଶୃଙ୍ଖଳାକୁ ତମେ ବେଖାତିର କରି ସେଥିରେ ବିଜ୍ଞାନ ନାମରେ ଅଜ୍ଞାନତା ଫେଣ୍ଟୁଥିଲେ ଫେଣ୍ଟୁଥା। ‘ବିବାହ’ ତ ଦୁଇ ଦେହର ଯେନତେନ ପ୍ରକାରେଣ ମିଳନ କଥା ନୁହଁ। କୁହାଯାଇଛି, ‘ମନରେ ସତୀତ୍ବ ଦେହରେ ନାହିଁ, ରାବଣ ସୀତାଙ୍କୁ ନେଲା ଚୋରାଇ, ଦ୍ରୌପଦୀ ଚିନ୍ତିଲେ କର୍ଣ୍ଣଙ୍କୁ ପରା ଚିତ୍ରଗୁପ୍ତ ଆଗେ ପଡ଼ିଲେ ଧରା।’ ମନର ମିଳନ ହିଁ ବିବାହ। ଦେହର ମିଳନ ମନ ମିଳନର ପରବର୍ତ୍ତୀ ପରିଣତି। ମାତ୍ର ଦେହ ମିଳନରେ ମନ ମିଳନ ହୋଇନପାରିଲେ, ମଙ୍ଗଳପାକ ରାତିରେ କନ୍ୟାଘର ପାଚେରି ଡେଇଁ ପ୍ରିୟତମ ପ୍ରଣୟୀ ପାଖୁ ଚାଲିଯାଉଛି। ନୋହିଲେ ଦୁହେଁ ଘରୁ ଲୁଚି ପଳାଇ ଆମ୍ବତୋଟାରେ ଏକାଠି ବିଷପିଇ ଆତ୍ମହତ୍ୟା କରୁଛନ୍ତି। ଏମିତି ଘଟଣା ଏ ସମାଜରେ ବାରମ୍ବାର ଘଟୁଛି। ଏଥିକୁ ପ୍ରତିକାର କ’ଣ? ଏଠି ପଣ୍ଡିତେ ମାଙ୍କଡ଼କୁ ଗଛଚଢ଼ା ଶିଖେଇଛନ୍ତି, ତାକୁ ଆଉ ଘର ଘର ବୁଲାଇ ନଚାଇ ପଇସା ରୋଜଗାର କରିବା ଶିଖେଇ ନାହାନ୍ତି। ପଣ୍ଡିତେ ଏବେ ଗଛ ଅଗକୁ ଚାହିଁ ତା’ ଖିଙ୍କାର ଦେଖୁଛନ୍ତି। ମୋଦିଜୀଙ୍କ ସମାନ ଆଚାର ସଂହିତାରେ ଏ ସବୁ ତତ୍ତ୍ବର କିଛି ପ୍ରତିଧ୍ବନି ଅଛି। ଡ. ହାଭେଲକ୍ ଏଲିସ୍, ତାଙ୍କ ‘ମ୍ୟାନ ଆଣ୍ଡ ଉଇମେନ୍’ ବହିରେ ସ୍ତ୍ରୀ ଓ ପୁରୁଷ ପ୍ରାକୃତିକ ଭାବେ, ମୌଳିକତଃ କିପରି ଦୁଇଟି ଭିନ୍ନ ଜୀବ ତା’ ଦର୍ଶାଇ ଏକୁ ତା ସାଙ୍ଗରେ ତୁଳନା କରିବା ଅଯଥାର୍ଥ ଓ ମୂର୍ଖତା ବୋଲି କହିଛନ୍ତି। ଉଭୟେ ଉଭୟଙ୍କ ପ୍ରତିଭା ଗୁଣରେ ବଳୀୟାନ ଓ ପରସ୍ପରର ଶୃଙ୍ଖଳିତ ଓ ପ୍ରାକୃତିକ ସମନ୍ବୟରେ, ମିଳନରେ ଏଇ ମାଟିରେ ସ୍ବର୍ଗର ଦେବତା ଜନ୍ମ ହୋଇପାରିବେ। ପୁରୁଷ ଓ ସ୍ତ୍ରୀ ଯେତେବେଳେ ପିତାମାତା ବନିଯାଆନ୍ତି, ସେମାନେ ଦେବତା ପରି ପୂଜାର୍ହ ବନିଯାଆନ୍ତି। ‘ପିତାମାତା ପରି ଆଉ କେ ଅଛି ସଂସାରେ, ଧନ୍ୟ ସେ ଯେ ଦିଏ ପ୍ରାଣ ତାଙ୍କରି ସେବାରେ।’
Comments are closed.