ଆଠଗଡ: କନ୍ଦରପୁର ବନ ସୁରକ୍ଷା ସମିତିର ସଂପାଦକ ତଥା ଫ୍ରେଣ୍ଡସ କ୍ଲବର ଉପସଭାପତି ସ୍ବର୍ଗତ ଯୁଗଳ ଚରଣ ସାହୁଙ୍କ ପୁତ୍ର ସତ୍ୟାନନ୍ଦ ସାହୁ (୪୦)ଙ୍କର ବୁଧବାର ପରଲୋକ ହୋଇଯାଇଛି। ରୋଗରେ ଦୀର୍ଘଦିନ ପୀଡିତ ରହି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା। ସେ ଜଣେ ସରଳ, ନିଷ୍କପଟ, ପରୋପକାରୀ, ନିଷ୍ଠାପର ଓ ସାହସୀ ଯୁବକ ଥିଲେ। ତାଙ୍କ ଜୀବନକାଳ ମଧ୍ୟରେ ସେ କିଛିଦିନ ଜଙ୍ଗଲ ବିଭାଗ ଅଧିନରେ ଜଙ୍ଗଲ ତଥା ବନ୍ୟଜନ୍ତୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେହି ସମୟରେ ତାଙ୍କ ଉଦ୍ୟମ ଯୋଗୁଁ ଗ୍ରାମରେ ଫସଲ ସୁରକ୍ଷା ପାଇଁ ସୌର ତାରବାଡ ବ୍ୟବସ୍ଥା ହୋଇଥିଲା । ବନ ସୁରକ୍ଷା ସମିତି ମାଧ୍ୟମରେ ସେ ବୌଦ ବାନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ବୃକ୍ଷ ରୋପଣ କରାଇଥିଲେ। ଫ୍ରେଣ୍ଡସ କ୍ଲବର ସଦସ୍ୟ ଓ ପରେ ପରେ ଉପସଭାପତି ଭାବେ ଗ୍ରାମରେ ଅନେକଗୁଡ଼ିଏ ଜନମଙ୍ଗଳ କାର୍ଯ୍ୟ କରି ସେ ପ୍ରଶଂସାର ପାତ୍ର ହୋଇଥିଲେ। ଦୁର୍ନୀତି ବିରୋଧରେ ନିର୍ଭୀକ ଭାବେ ସ୍ୱର ଉତ୍ତୋଳନ କରିବା ପାଇଁ ସେ ବେସ୍ ଲୋକପ୍ରିୟ ଥିଲେ। ତାଙ୍କର ଏହି ଅକାଳ ବିୟୋଗରେ ଗ୍ରାମରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମବାସୀ ଓ ଫ୍ରେଣ୍ଡସ କ୍ଲବର କର୍ମକର୍ତ୍ତା ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଗ୍ରାମ ଶ୍ମଶାନରେ ଅନ୍ତ୍ୟେଷ୍ଟିକ୍ରୀୟା କରାଯାଇଥିଲା।
Popular Categories



