ସ୍ୱୟଂସହାୟକ ମହିଳାଙ୍କୁ ଖଲିଦନା ପ୍ରସ୍ତୁତି ମେସିନ ଯୋଗାଇ ଦେଲେ ଜିଲାପାଳ
ହରଭଙ୍ଗା : ବୌଦ୍ଧଜିଲା ହରଭଙ୍ଗା ବ୍ଲକର ଅନ୍ଧାରୀମୂଲକ କଣ୍ଡରା, କାଚପାଜୁରେ ବୌଦ୍ଧଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ପାଦପଡିବାପରେ ଧିରେ ଧିରେ ଏହାର ଚିତ୍ର ବଦଳିବାରେ ଲାଗିଛି। ଜିଲାପାଳଙ୍କ ଗସ୍ତର ଠିକ୍ ୭ଦିନ ମଧ୍ୟରେ ଏଠାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ୧୮ଦିନପରେ ଘାଟି ପାହାଡ ମଥାନ ଉପରେଥିବା କାଚପାଜୁ ଏବଂ ବାଙ୍କପାଜୁରେ ଦୁଇଟି ସୋଲାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଥିଲା। ଆଜି ଜିଲାପାଳ ଚାରିଛକ ସ୍ଥିତ ବନଖଣ୍ଡ ଡାକ ବଙ୍ଗଳା ଠାରେ କଣ୍ଡରା ଗ୍ରାମର ପିତାବାଳୀ ଦଣ୍ଡାସହ ନାମକ ଦଶ ଜଣିଆ ସ୍ୱୟଂ ସହାୟକ ମହିଳା ଗୋଷ୍ଠିଙ୍କୁ ପତ୍ରଖଲି ତଥା ଖଲିଦନା ପ୍ରସ୍ତୁତି ମେସିନ ଯୋଗାଇ ଦେଇଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠିର ୪ଜଣ ମହିଳା ଧୁବୁଲି ଦୀପ, ସବିତା ଦୀପ, ସଙ୍ଗିତା ବେହେରା, ସାଇଲଖୁତା ଦିଗାଲ ଉପସ୍ଥିତ ରହି ଜିଲାପାଳଙ୍କ ଠାରୁ ମେସିନ ଗ୍ରହଣ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସହ ବୌଦ୍ଧବନଖଣ୍ଡ ଡିଏଫଓ ଦେବପ୍ରିୟ କମ୍ପ, ଜିଲାପରିଷଦ କାର୍ଯ୍ୟକାରୀ ଅଧିକାରୀ ଅଶ୍ୱିନୀ ମେହେର, ବୌଦ୍ଧ ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାୟକ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ୱାଧିନତାର ବହୁବର୍ଷରେ ବି ରାସ୍ତା, ଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ କଣ୍ଡରା, କାଚପାଜୁ, ବାଙ୍କପାଜୁ, ସାରୁପଦର, ସୁଲକେଟି ଭଳି ୫ଟି ଦୁର୍ଗମ ଗ୍ରାମର ଅଧିବାସୀ ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜ୍ଜନ କରିଥିଲେ। ଦୁର୍ଗମ ଅଧିବାସୀଙ୍କ କଥା ଶୁଣି ନିଜେ ଜିଲାପାଳ କଣ୍ଡରା, କାଚପାଜୁକୁ ଗତ ମେ’ ୨୪ରେ ପରିଦର୍ଶନ କରିଥିଲେ।
ଦୁର୍ଗମ ଅଧିବାସୀଙ୍କ ମୁଖ୍ୟ ସମସ୍ୟା ରାସ୍ତା, ପାନୀୟଜଳ, ବିଏସଏନଏଲ ଟାଓାର ଆଦି ସମସ୍ୟା ଦିଗରେ ଗାଁ ଲୋକଙ୍କ ସହିତ ଆଲୋଚନା ପରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦୂର ଦିଗରେ ଜିଲ୍ଲାପାଳଙ୍କ କାର୍ଯ୍ୟପନ୍ଥା ଦୁର୍ଗମ ଅଧିବାସୀଙ୍କ ମନରେ ଅନେକ ଆଶା ସଞ୍ଚାର କରିଛି।
Comments are closed.