ବିଳମ୍ବିତ ନ୍ୟାୟ ଏକ ବିଡ଼ମ୍ବନା

ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ, ଏହାକୁ ଅନ୍ୟାୟ ବୋଲିବାକୁ ହେବ

କାହାର ବା କିଛିର କିସମ ଜାଣିବା ପାଇଁ ଭିନ୍ନଭିନ୍ନ ପନ୍ଥା ଅବଲମ୍ବିତ ହୋଇଥାଏ। ସଂସ୍କୃତରେ କୁହାଯାଇଛି ‘ବିନୟଂ ବଂଶମାଖ୍ୟାତି, ବପୁରାଖ୍ୟାତି ଭୋଜନଂ, ସଂଭ୍ରମଃ ସ୍ନେହମାଖ୍ୟାତି, ଦେଶ ମାଖ୍ୟାତି ଭାଷଣଂ’। ସେମିତି ମହାକାଳ ଅନ୍ତର୍ଗତ କାଳମାନଙ୍କ କିସମ କେମିତି ଜାଣିବ? ଯୁଗ ଲକ୍ଷଣମାନ ଆଗରୁ ଆକଳିତ ଓ ଅନୁଭୂତ। ସତ୍ୟ ଯୁଗର ସତ୍ୟନିଷ୍ଠତାର ଅନ୍ୟ ସବୁ ଯୁଗକୁ ଭଟ୍ଟା ପଡ଼ିଯାଇଥାଏ। ସତ୍ୟଯୁଗ ବିଷୟରେ କୁହାଯାଇଛି, ‘ନନ୍ଦନ୍ତି ଦେବତାସର୍ବାଃ ସତ୍ୟେ ସତ୍ୟପରାନରାଃ’। ତ୍ରେତା ଦ୍ବାପର ପରେ କଳିଯୁଗକୁ କିସମରେ ଢ଼େର ଫରକ। କଳିଯୁଗ ବିଷୟରେ କୁୁହାଯାଇଛି ‘ସାଧୁସୀଦତି ଦୁର୍ଜନ ପ୍ରଭବତି ପ୍ରାୟେ ପ୍ରବୃତ୍ତେ କଳୌ।’ ଏ ଶାସ୍ତ୍ର ବଚନ କ’ଣ ଏବେ ବିପୁଳ ଓ ପର୍ଯ୍ୟାପ୍ତ ଭାବେ ଘଟୁନି? ସଭିଏଁ ଏବେ ଅଣାୟତ୍ତ। ଦୁଷ୍ଟ, ଦୁର୍ଜନଙ୍କ ଉତ୍ପାତ କଥା ଛାଡ଼ନ୍ତୁ, ଯେଉଁମାନେ ରକ୍ଷାକାରୀ, ରକ୍ଷକ, ଶାସକ, ସେମାନଙ୍କ ଅବସ୍ଥା, କିସମ କ’ଣ? ଏବେ ଶ୍ରୀ ମୋଦୀ ନୂତନ ସଂସଦ ଭବନରେ ପୁରାତନ ଯୁଗର ରାଜଦଣ୍ଡ, ନ୍ୟାୟ ଶାସନର ପ୍ରତୀକକୁ ସେଠି ସ୍ଥାପନ କଲେ। ଆଶା କରାଗଲା, ରାଜତନ୍ତ୍ରରେ ମଧ୍ୟ ଅନୁଭୂତ ଥିବା ନ୍ୟାୟ ବିଚାର ଓ ନ୍ୟାୟ ଭାବର ପ୍ରତୀକ ଏଇ ଦଣ୍ଡ ଲୋକପ୍ରତିନିଧିମାନଙ୍କୁ ପ୍ରଚୋଦିତ, ପ୍ରଣୋଦିତ ଓ ଉତ୍ସାହିତ କରିବ। ଏହା ଏଙ୍କ ସାଧୁ ଉଦ୍ୟମ, ମାତ୍ର ଏକୁ ମାନୁଛି କିଏ, ଅନୁସରଣ କରୁଛନ୍ତି କେତେକେ? ଅନୁକରଣ, ଅନୁସରଣ କରିବାକୁ ବି ପ୍ରଜ୍ଞା ପ୍ରତିଭା ଲୋଡା। ନ ହେଲେ ତ ‘କୀଳୋତ୍ପାଟିବ ବାନରଃ’ ଅବସ୍ଥା ହେବ। ଜଣେ ନିର୍ବୋଧ ପିତା ଶାସନ ପାଇଁ ଟିକି ପୁଅକୁ ଏତେ ବାଡ଼ାଏ ଯେ ସେ ଘରକୁ ଡରି ବିଦ୍ୟାଳୟକୁ ସବୁଠୁ ଆଗ ପଳେଇ ଆସେ। ଘର ନାଁ ଶୁଣିଲେ ମାଡ଼ ଭୟରେ ​‌େ​ସ ଘରକୁ ଫେରିବାକୁ ଡେରି କରେ। ସ୍ନେହାଶୀଳ ଶିକ୍ଷକ ଏ କଥା ଲକ୍ଷ୍ୟ କରୁଥିଲେ। କାନ୍ଦ କାନ୍ଦ ବିଚରା ସରଳ ଶିଶୁଠାରୁ ଏ କଥା ଶୁଣି ଏକ ମୂଲ୍ୟବାନ ବନ୍ଧେଇ ବହି ଧରି ଛାତ୍ରର ବାପାଙ୍କୁ ଭେଟିଲେ। ଏ ବହିରେ ଶିଶୁର ମନସ୍ତତ୍ତ୍ବ ଉପରେ ବେଶ୍‌ ଉପାଦେୟ ତଥ୍ୟ ଦିଆଯାଇଥିଲା। ‘ଏ ବହିିଟି ଆପଣଙ୍କର ବହୁତ କାମରେ ଆସିବ’ କହି ବାପାଙ୍କ ମୂର୍ଖତାରେ କିଛି ପରିବର୍ତ୍ତନ ଆସିବାର ଆଶା କରିଥିଲେ। ମାତ୍ର ଛାତ୍ରଠି କିଛି ପରିବର୍ତ୍ତନ ଲକ୍ଷ୍ୟ ନ ହେବାରୁ ସେ ପୁନର୍ବାର ଛାତ୍ର ଘରକୁ ଯାଇ ତା’ ବାପାଙ୍କୁ ଭେଟିଲେ। ପଚାରିଲେ, ‘ଆଜ୍ଞା ଏ ବହିଟି ଆପଣଙ୍କର କୌଣସି କାମରେ ଲାଗିଲାନି ବୋଧେ!’ ମାତ୍ର ସେ ପିତା ତୁରନ୍ତ ଉତ୍ତର ଦେଲେ, ‘କିଏ କହିଲା ଅାଜ୍ଞା, ଏ ବହିଟା ଟାଣ କାର୍ଡବୋର୍ଡ ପଟାରେ ବନ୍ଧେଇ ହୋଇଛି, ଟୋକାକୁ ଆକଟିବାକୁ ଆଉ ବେତ ଖୋଜିବାକୁ ପଡ଼ୁନି। ଏ ବହିରେ କଣୁଆ ​‌େ‌ଖାବି ଦେଉଚି ଯେ ​‌େ​‌ସ ଏକା ଥରକେ ସାବାଡ୍‌’। ଶିକ୍ଷକ ତାଙ୍କ ଦାନର ଏ ବିକୃତ ଓ ବିଷବତ୍‌ ବ୍ୟବହାରରେ ବ୍ୟଥିତ ହେଲେ। ଅପାତ୍ର ଦାନର ପରିଣତି ଅନୁଭବ କରୁଥିଲେ।

ସେମିତି ଏକ ଖବରରୁ ପାତ୍ର ଅପାତ୍ରିଆ କଥା ମନକୁ ଆସିଲା। ଏ ଗଣତନ୍ତ୍ରର ପଟ୍ଟାଦାର, ଜିମେଦାର ଜନନେତା ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ସ୍ତ୍ରୀହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଦିଆଗଲା। ସେ ଏଇଲେ ଭୁବନେଶ୍ବର ଝାରପଡ଼ା ଜିଅଲଖାନାରେ ଆଜୀବନ କଟାଇବେ କେମିତି ଲୋ ବୋପା! ଲାଲୁ ଯାଦବ, ଆଶାରାମ ବାପୁମାନଙ୍କ ଭଳି ପ୍ରଭୁ ତ ଏଇଲେ ଏମିତି ସଜା ଭୋଗୁଛନ୍ତି! ତା’ ପରେ ଆମ ମନସ୍ତତ୍ତ୍ବବିତ୍‌ ପଣ୍ଡିତମାନେ ‘ଦଣ୍ଡ ବିଧାନ’ରେ ସଂସ୍କାର ଆଣୁଛନ୍ତି। ନାଁ ଜିଅଲ। ଏହା ମଧ୍ୟରେ ତ୍ରିନାଥମେଳା, ଗୀତ ପ୍ରତିଯୋଗିତା, ଧର୍ମସ୍ଥାନ ଭ୍ରମଣର ବ୍ୟବସ୍ଥା ଅଛି। ଘର ସୁଖଠୁ ଜିଅଲ ସୁଖ ମୁଣ୍ଡେ ହାତ ଚାପୁଡେ ବଳିଗଲାଣି। କିଏ କିଏ ବି ପରଦିନମାନଙ୍କରେ ସହିଦ ଘୋଷିତ ହୋଇପାରନ୍ତି! ତେବେ ରାମମୂର୍ତ୍ତି ଆଜ୍ଞା ତ ଚୋରିଚପଟ କରି ନାହାନ୍ତି। ଗେରସ୍ତ ଭାର୍ଯା କଥା, ପେଲାପେଲି କି ଆଉ କ’ଣ ଟିକେ ଅଧିକ ହୋଇ ରାଗରୋଷରୁ ଯଦି ପ୍ରାଣବାୟୁ ଦୁର୍ଭାଗ୍ୟକୁ ଉଡ଼ିଯାଇଥିବ, କ’ଣ କରାଯାଇ ପାରନ୍ତା। ସେ ଯେ ଏଥିରୁ ମୁକ୍ତି ପାଇଁ ଚେଷ୍ଟା କରିନାହାନ୍ତି ତା ନୁହଁ। ତେଣୁ ସେଥିକୁ ତାଙ୍କର ଶୋଚନା ନଥିବ। ଜନସେବକ ଭାବେ ମାଟିରେ କୋଠାରେ ରହିବାର ଅଭ୍ୟାସ ଥିଲେ ତ ଆହୁରି ବଢ଼ିଆ। ତେବେ ଗମାଙ୍ଗଜୀ ତ ଏବେ ପରିଣତ ବୟସରେ। ୨୮ ବର୍ଷ ତଳେ ଏ ହତ୍ୟାକାଣ୍ଡ ହୋଇଥିଲା। ଯଦି ସେତେବେଳେ ଏ ଜିଅଲ ଦଣ୍ଡ ଦିଆଯାଇଥା’ନ୍ତା ତେବେ ସେ ୨୮ ବର୍ଷ ଯୁକ୍ତ ଆଉ ପନ୍ଦର କୋଡ଼ିଏ କି ଯେତେବର୍ଷ ପରମାୟୁ ଥିବ ଜିଅଲ ଭୋଗିଥାନ୍ତେ। ମାତ୍ର ଏବେ ଆଉ ଦିନ କେତେଟା ଯେ ଏଥିକୁ ସେ ଘାରି ସାରି ହେବେ। ତେବେ ଯୁବାବସ୍ଥାରୁ ବିପୁଳ କାରାଦଣ୍ଡରୁ ସେ ରିଆତି ପାଇଲେ ବୋଲି କାହାକୁ କୃତଜ୍ଞତା ଜଣାଇବେ? ୪୪୦ ଭୋଲ୍ଟର ଆମ ବିଚାର ବିଭାଗକୁ, ବ୍ୟବସ୍ଥାକୁ ଯଦି ବିଚାରଟା ତତ୍କାଳ ଭାବରେ ହୋଇଥା’ନ୍ତା, ତେବେ କାହିଁ କେତେ ଦିନରୁ ସେ ଜିଅଲରେ ଥା’ନ୍ତେ। ଆମ ପରମ ସମ୍ମାନନୀୟ ବିଚାର ବିଭାଗ ଓ ଦୀର୍ଘ ବିଚାର ପଦ୍ଧତି ହେତୁ ଦୋଷୀ ବେଶ୍‌ ଫାଇଦା, ବେଶ୍‌ ରିଆତି ପାଇଲା। ବିଚରା ଦରଖାସ୍ତକାରୀ ବା ଉତ୍ପୀଡ଼ିତ ଅକାର​‌େ​‌ଣ କି ମାନସିକ ଦଣ୍ଡ ନ ଲଭିଲା !

କୁହାଯାଇଛି, ‘Justice delayed is Justice denied’. ‘ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ’ ବୋଲି କୁହାଯାଇଛି। ଇଏ ନ୍ୟାୟ ନୁହେଁ କେବଳ କୁହାଯିବା କଥା ନୁହଁ, ଇଏ ଅନ୍ୟାୟ ବୋଲିବାକୁ ହେବ। ବହୁବର୍ଷ ତଳର ‘ଭାୱେଲ ସନ୍ନ୍ୟାସୀ’ ମୋକଦ୍ଦମା ପୃଥିବୀର ଦୀର୍ଘତମ ଓ ସର୍ବବୃହତ୍‌ ମୋକଦ୍ଦମା। ଏ ମୋକଦ୍ଦମା ବିଚାର ପରଠୁ ସମାପ୍ତ ଯାଏ ପୁରୁଷ ପୁରୁଷ ବିତିଗଲା। ମୂଳପକ୍ଷ ବିଚାର ଭୋଗିବାକୁ ନଥିଲେ ସିନା, ଏ ମୋକଦ୍ଦମାରୁ ଧର୍ମ ଓ ଭଗବତ୍‌ ସତ୍ତାର ବେଶ୍‌ ଅନୁଭବ ହୁଏ। ୟେ ବିଚାର ବିଭାଗର ଗୁଣାତ୍ମକ ମାନର ଉଦାହରଣ। ମାତ୍ର ୨୮ ବର୍ଷ ଧରି ହତ୍ୟା ମାମଲାର ବିଚାର କୋଉ ‘ଅମୁକ’! ବିଚାର ବିଭାଗ ପୂର୍ବେ ଏପରି କି ରାଜୁଡ଼ା ଅମଳରେ ଦୋଷୀଙ୍କର ହୃଦ୍‌ଘାତ ଯେମିତି କରାଉଥିଲା, ନ୍ୟାୟ ପ୍ରାର୍ଥୀ ପାଇଁ ତତୋଽଧିକ ସାନ୍ତ୍ବନା ଓ ଆଶା ସୃଷ୍ଟି କରୁଥିଲା। ବିଚାର ବିଭାଗରେ ଦୀର୍ଘ ଶୁଣାଣି ପାଇଁ ବିଚାରପତିଙ୍କ ମତ ଅଭାବ ହେତୁ ମୋକଦ୍ଦମା ଗଡ଼ିଗଡ଼ି ଯାଉଛି। ସାତ ଦିନରେ, ୧୫ ଦିନରେ ମୋକଦ୍ଦମା ଫଇସଲା କରୁଥିବା ଦେବ ପ୍ରତିମ ବିଚାରପତିମାନେ କ’ଣ ଏ ଦୀର୍ଘ ବିଚାରକୁ ନିଃସର୍ତ୍ତ ସମର୍ଥନ କରୁଥିବେ! ଅଧିକ ବିଚାରପତି ନିଯୁକ୍ତି ବାଦ୍‌, ଏବର ଅବସ୍ଥାରେ କ’ଣ ତ୍ବରିତ ବିଚାର ପାଇଁ ଶୀର୍ଷ ଅଦାଲତ​‌େ​‌ର ହୁଲିଆ ବା ଅଙ୍କୁଶ ଜାରି କରାଯାଇ ପାରିବନି? ତେବେ ଏ ସମ୍ବନ୍ଧିତ ଆଲୋଚନା ବିଛାମନ୍ତ୍ର ନ ଜାଣି ସାପ ଗାତରେ ହାତ ପୂରାଇବାର ମୂର୍ଖତା ହେବ। କିଆଁ କିଏ ଘାଉଡରେ ପଡ଼ିବ। ସେ ଯା ହେଉ, ବିଳମ୍ବରେ ହେଲେ ବି ଜଣେ ପ୍ରଭାବଶାଳୀ ମୁଣ୍ଡିଆଳଙ୍କୁ ମାମୁ ଘର ପ୍ରେରଣ ସମାଜରେ ବିଶ୍ବାସବୋଧ ସୃଷ୍ଟି କରାଇବାରେ ଆମ ବିଚାର ବିଭାଗ ଶତକଡ଼ା ଶହେ ପ୍ରଶଂସାଭାଜନ।

Comments are closed.