ଜଣେ ଡ୍ରାଇଭରକୁ ୧୨୭ ଥର ଚେତାବନୀ, ୧.୮ ଲକ୍ଷ ଜୋରିମାନା

0

ହାଇଦରାବାଦ : ହାଇଦରାବାଦର ଜଣେ ଡ୍ରାଇଭର ନିୟମିତଭାବେ ଦ୍ରୁତଗତିରେ ଗାଡି ଚଳାଇବା ସହ ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବା ସତ୍ତ୍ୱେ ପୁଲିସ ତାଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବା ଜଣାପଡିଛି। ହୋଣ୍ଡା ଜାଜ୍‌ କାର୍‌ ଚଳାଉଥିବା ଏହି ଡ୍ରାଇଭର ଜଣକ ଇତିମଧ୍ୟରେ ୧୨୭ ଥର ଚେତାବନୀ ପାଇସାରିଥିବାବେଳେ ତାଙ୍କ ବିରୋଧରେ ୧.୮ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇସାରିଲାଣି। ତେବେ ସଂପୃକ୍ତ ଡ୍ରାଇଭର ଏସବୁ ଚେତାବନୀକୁ ବେଖାତିର କରିଚାଲିଥିବାବେଳେ ଜୋରିମାନା ବାବଦରେ ଏପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ପୈଠ କରିନାହାନ୍ତି। ୨୦୧୭ ଏପ୍ରିଲରୁ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଡ୍ରାଇଭର ଜଣକ ୧୨୭ ଥର ଟ୍ରାଫିକ ନିୟମ ଉଲ୍ଲଘଂନ କରିସାରିଥିବା ଜଣାପଡିଛି। ହାଇଦରାବାଦ ଟ୍ରାଫିକ ପୁଲିସ ପକ୍ଷରୁ ରାଜପଥରେ ଖଞ୍ଜାଯାଇଥିବା ସ୍ପିଡ୍‌ ଗନ୍‌ ଓ ସିସିଟିଭି କ୍ୟାମେରା ଫୁଟେଜକୁ ଅନୁଧ୍ୟାନ କରାଯିବାପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସହରର ରିଙ୍ଗ୍‌ରୋଡ୍‌ରେ ସେ ଘଣ୍ଟାକୁ ୧୬୦ କିମି ବେଗରେ କାର୍‌ ଚଳାଇଥିବାର ମଧ୍ୟ ପ୍ରମାଣ ମିଳିଛି। ଏତେ ଘଟଣା ସତ୍ତ୍ୱେ ପୁଲିସ କାହିଁକି ଉକ୍ତ କାର୍‌କୁ ଜବତ କିମ୍ବା ଡ୍ରାଇଭରଙ୍କୁ ଗିରଫ କରିନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply