ପୁଟାଖେତା ପତ୍ରଫଡ଼ିରେ ୨ କେନ୍ଦୁପତ୍ର ବନ୍ଧାଳିଙ୍କ ମୃତ୍ୟୁ
ଘଣ୍ଟାପଡା: ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ପୁଟାଖେତା କେନ୍ଦୁପତ୍ର ଫଡ଼ି ଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁରୁବାର ବିଳମ୍ବିତ ରାତିରେ କଣ୍ଟାମାଳ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୨ କେନ୍ଦୁପତ୍ର ବନ୍ଧାଳିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯୁବତୀ ଗୁରୁତର ଭାବେ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ମୃତ ୨ଜଣ କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୌରୀବେଙ୍ଗେସ ଗ୍ରାମର ସୌରିନ୍ଦ୍ରୀ ନାୟକ (୧୯) ଓ ଝରଣା ଭୋଇ(୧୮) ବୋଲି ସୂଚନା ମିଳିଛି। ମହେନ୍ଦ୍ରି ନାୟକ (୨୨) ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ସମ୍ପର୍କୀୟ ଭଉଣୀ ବୋଲି ଜଣାପଡିଛି।
ମିଳିଥିବା
ସୂଚନା ଅନୁସାରେ କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଟାଖେତା ଗାଁ ନିକଟ କେନ୍ଦୁପତ୍ର ଫଡ଼ିରେ ପତ୍ର ବନ୍ଧାଳି ଭାବେ କାମ କରୁଥିବା ଏକ ପରିବାରର ସମସ୍ତେ ଗତ ରାତି ୭ଟାରେ ରୋଷେଇ ପରେ ଖାଇସାରି ଶୋଇଥିଲେ। ରାତି ପ୍ରାୟ ଅଢେଇଟା ସମୟରେ ଝରଣା ଓ ଶୈଲେନ୍ଦ୍ରିଙ୍କ ପେଟ କାଟୁଥିବା କହିଥିଲେ l ପରିବାର ଲୋକେ ଉଭୟଙ୍କୁ କଣ୍ଟାମାଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ି ନଥିଲେ ହେଁ ସାପ କାମୁଡ଼ା ଯୋଗୁଁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। କେନ୍ଦୁପତ୍ର ବିଭାଗ ପକ୍ଷରୁ ମୃତକଙ୍କ ପରିବାରଙ୍କୁ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା କଣ୍ଟାମାଳ ରେଞ୍ଜର ଆର୍ତତ୍ରlଣ ମିର୍ଦ୍ଧା ପ୍ରକାଶ କରିଛନ୍ତି l
Comments are closed.