ତିଗିରିଆ: ତିଗିରିଆ ବ୍ଲକର ପାଞ୍ଚଗାଁ ଦଧିବାମନଜୀଉ ଉଚ୍ଚ ବିଦ୍ୟାଳୟ ଓ ଏହା ନିକଟରେ ଥିବା ତଳସାହି ପ୍ରାଥମିକ ବିଦ୍ୟାଳୟ ନିକଟରେ ଖୋଲାମେଲା ଅବସ୍ଥାରେ ଥିବା ୨ଟି ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଛାତ୍ରଛାତ୍ରୀଙ୍କ ପାଇଁ ବିପଦଜ୍ଜନକ ଅବସ୍ଥା ସୃଷ୍ଟି କରିଛି। ଏହାକୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ଲୋକେ ଦାବି କରିଛନ୍ତି।
ଦଧିବାମନ ଜୀଉ ବିଦ୍ୟାପୀଠଟି ୫-ଟି ଯୋଜନାରେ ଏବେ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ବିଦ୍ୟାଳୟ ପରିସରରେ ଅତି ନିକଟରେ ୨ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଦୀର୍ଘଦିନ ହେଲା ମୁକୁଳା ପଡିଛି। ଫଳରେ ଦୁଇଟିଯାକ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରାୟ ଅଢେଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଏପରିକି ଗୃହପାଳିତ ଗୋରୁଗାଈଙ୍କ ପାଇଁ ବିପଦ ଆଶଙ୍କା ସୃଷ୍ଟି କରିଛି।ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ସ୍ଥାନୀୟ ଜନସାଧାରଣ, ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସ୍ଥାନାନ୍ତରଣ ଦାବିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ସେହିପରି ୫-ଟି ରୂପାନ୍ତରିତ ତିଗିରିଆ ନିଜିଗଡ଼ସ୍ଥିତ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଦ୍ୟୁତ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ରହିବା ସହିତ ତାର ଗୁଡିକ ତଳକୁ ଝୁଲି ରହିଚି ଯାହାକି ଅଘଟଣକୁ ଆମନ୍ତ୍ରଣ କରୁଅଛି। ବିଦ୍ୟାଳୟ ପରିସରରୁ ଏହି ବିଦ୍ୟୁତ ଖୁଣ୍ଟକୁ ସ୍ଥାନାନ୍ତରଣ କରିବା ପାଇଁ ପଦକ୍ଷେପ ନେବାପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଦାବି କରିଛନ୍ତି।



