ଘରେ ନିଆଁ ଲଗାଇ ଟ୍ରିପଲ ମର୍ଡର ଘଟଣା: ପୁଲିସ ହାତରେ ହତ୍ୟାକାରୀ ସମୁଦି

0

ପିପିଲି: ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପିପିଲିର ବହୁଚର୍ଚ୍ଚିତ ଦାନୋଗହିର ଟ୍ରିପଲ ମର୍ଡର ଘଟଣାରେ ଦୀର୍ଘଦିନ ପରେ ପିପିଲି ପୁଲିସକୁ ବଡ ସଫଳତା ମିଳିଛି। ଏହି ଅମାନୁଷିକ ହତ୍ୟାକାଣ୍ଡର ବ୍ଲୁପ୍ରିଣ୍ଟ ପୁଲିସ ହାତରେ ଲାଗିଥିବା ବେଳେ ଏହାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସମୁଦିଙ୍କ ସମେତ ତାଙ୍କ ପୁଅକୁ ଧରିବାରେ ପୁଲିସ ସଫଳ ହୋଇଛି। ଖୁବ୍‍ ଶିଘ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବ ବୋଲି ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଥିବା ବେଳେ ପୁଲିସରେ ଅଟକ ଥିବା ବାପ-ପୁଅଙ୍କୁ ମାରାଥନ ଜେରା ଚାଲିଛି। କେବଳ ଏକ ଚାପୁଡାର ପ୍ରତିଶୋଧ ନେବା ପାଇଁ ଏହି ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ପିପିଲି ଥାନା ହାଟସାହି ପଞ୍ଚାୟତ ଅନ୍ତର୍ଗତ ଦାନୋଗହିର ବଜାରରେ ଥିବା ଏକବଖରା ବିଶିଷ୍ଟ ଭଡା ଆଜବେଷ୍ଟସ ଘର କବାଟକୁ ଗତ ଫେବୃଆରୀ ୧୦ତାରିଖ ଶନିବାର ବିଳମ୍ବିତ ରାତିରେ କେହି ତାଲା ପକାଇ ନିଆଁଲଗାଇ ଦେବା ଘଟଣାରେ ଉକ୍ତ ଘରମଧ୍ୟରେ ଶୋଇଥିବା ସେହିଗ୍ରାମର ମହମ୍ମଦ ଅବୁଲ(୬୫), ନବମଶ୍ରେଣୀରେ ପଢୁଥିବା ତାଙ୍କ କନ୍ୟା ନଜମୁନ ପରୱିନ୍‍ ଓରଫ ନାଜୋ (୧୩) ଓ ପତ୍ନୀ ରହିମା ବିବି(୫୫) ଗୁରୁତର ଭାବେ ପୋଡିହୋଇ କଟକ ବଡଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଏସଂପର୍କରେ ମୃତକଙ୍କ ପୁଅଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ କଟକ ବଡ ଡାକ୍ତରଖାନାରେ ରହିମା ବିବିଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଇଥିଲା। ଏହି ରହସ୍ୟମୟ ଓ ଅମାନୁଷିକ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀ ପୁଲିସ ପାଇଁ କୌଣସି ସୁରାକ୍‍ ଛାଡିନଥିଲା।
ତେବେ ଉକ୍ତ ଘରର ବାହାର ପଟେ ତାଲା ପକାଯାଇଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା। ମୃତକଙ୍କ ପରିବାରବର୍ଗ ଓ ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଥିବା ବେଳେ ସନ୍ଦେହରେ ଥିବା ମୃତ ଅବୁଲଙ୍କ ଜନୈକ ସମୁଦିଙ୍କୁ ଧରିବାକୁ ଚେଷ୍ଟା ଚଳାଇଥିଲା। ତେବେ ପୁଲିସକୁ ଚକମା ଦେଖାଇ ସେ ବାରମ୍ବାର ନିଜର ମୋବାଇଲ ନମ୍ବର ବଦଳାଇବା ସହ ଓ ସ୍ଥାନ ପରିବର୍ତ୍ତନ କରିଥିଲେ। ଏପରିକି ସେ ନିଜର ଦାଢିକୁ କାଟି ଦେବା ସହ ପୋଷାକକୁ ମଧ୍ୟ ପରିବର୍ତ୍ତନ କରିଥିଲା। ତାଙ୍କୁ ଧରିବାକୁ ଆଇଆଇସି ଶରତ କୁମାର ସାହୁଙ୍କ ନେତୃତ୍ୱରେ ଏଏସ୍‍ଆଇ ବିନୟ କୁମାର ଦାସ, ଅଶୋକ ମହାପାତ୍ର, ଏସ୍‍ଆଇ ବିଦ୍ୟାଧର ଭୋଳ ପ୍ରମୁଖଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍‍ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ରାଜ୍ୟ ବାହାରେ ମଧ୍ୟ ଚଢାଉ କରିଥିଲା। ଶେଷରେ ପୁଲିସର ଚକ୍ରବ୍ୟୁହ ମଧ୍ୟରେ ସନ୍ଦେହରେ ଥିବା ସମୁଦି ଫସି ଯାଇଥିବା ବେଳେ ପୁଲିସ ତାକୁ କଟକ ଅଞ୍ଚଳରୁ ଧରିବାରେ ସଫଳ ହୋଇଥିଲା। ସେ ପୁଲିସକୁ ଭୂଆଁ ବୁଲାଇବା ପାଇଁ ପୁରାଣ ଓ ଭାଗବତ ଆଦି ଧର୍ମ କଥା ଚର୍ଚ୍ଚା କରିଥିବା ବେଳେ ପୁଲିସ ଅତି ଚତୁରତାର ସହ ତାଠାରୁ ହତ୍ୟାକାଣ୍ଡ ସଂପର୍କରେ ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଛି। ହତ୍ୟାକାଣ୍ଡ ନେଇ ସେ ପ୍ରସ୍ତୁତ କରିଥିବା ବ୍ଲୁପ୍ରିଣ୍ଟ ପୁଲିସକୁ ମିଳି ସାରିଥିବା ବେଳେ ତାର ପୁଅକୁ ପୁଲିସ ଗୁରୁବାର ସନ୍ଧ୍ୟାରେ କଟକ ଜିଲା ମଙ୍ଗଳାବାଗ ଥାନା ଅନ୍ତର୍ଗତ ଜୋବ୍ରା ଅଞ୍ଚଳରୁ ଉଠାଇ ଆଣିଛି। ବାପ-ପୁଅଙ୍କୁ ପୁଲିସ ଅତି ଚତୁରତାର ସହ ମାରାଥନ ଜେରା କରିବା ସହ ଉଭୟଙ୍କୁ ଫେସ୍‍ ଟୁ ଫେସ୍‍ ଜେରା ଚଳାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ତେବେ ମୃତ ଅବୁଲଙ୍କ ପୁଅଙ୍କୁ ପୁଲିସରେ ଅଟକ ଥିବା ସମୁଦିର କନ୍ୟା ବିବାହ କରିଥିବା ବେଳେ ଉକ୍ତ ସମୁଦିଙ୍କ ପୁଅ ସହ ଅବୁଲଙ୍କ ଅନ୍ୟ ଜଣେ କନ୍ୟା ବିବାହ କରିଥିଲେ। ତେବେ ଉକ୍ତ କନ୍ୟା ସହ ଅବୁଲଙ୍କ ପରିବାର ସଦସ୍ୟଙ୍କୁ ସମୁଦି ସାକ୍ଷାତ କରିବାର ସୁଯୋଗ ଦେଉନଥିବା ବେଳେ ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏପରିକି ଉକ୍ତ କନ୍ୟାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିବା ସଂପର୍କରେ ମଧ୍ୟ ଅବୁଲଙ୍କୁ କୌଣସି ସୂଚନା ଦିଆଯାଇନଥିଲା। ଏହାକୁ ନେଇ ଅବୁଲ ବ୍ୟସ୍ତ ଥିବା ବେଳେ ଗତ ଜାନୁଆରୀ ୧୭ ତାରିଖରେ ଦାନୋଗହିର ଗ୍ରାମକୁ ଆସିଥିବା ଉକ୍ତ ସମୁଦିଙ୍କ ସହ ଅବୁଲ ଙ୍କର ଝଗଡା ଲାଗିଥିଲା। ସମୁଦିଙ୍କୁ ରାଗରେ ଅବୁଲ କୁଆଡେ ଏକ ଚାପୁଡା ମାରିଥିଲେ। ଯାହାକୁ ନେଇ ସମୁଦି ପ୍ରତିଶୋଧ ପରାୟଣ ସ୍ୱରୁପ ଅବୁଲଙ୍କ ପରିବାରକୁ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଘଟଣା ଦିନ ସେ ଏକ ସ୍କୁଟର ଯୋଗେ ଦାନୋଗହିର ବଜାରକୁ ଆସିଥିଲେ। ଅବୁଲ ନିଜର ପତ୍ନୀ ଓ କନ୍ୟାଙ୍କ ସହ ଶୋଇଥିବା ଉକ୍ତ ଘରକୁ ବାହାର ପଟୁ ତାଲା ପକାଇ ଦେବା ସହ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇ ସେଠାରୁ ଖସି ପଳାଇଥିବା ସଂପର୍କରେ ସେ ପୁଲିସକୁ ଚାଞ୍ଚଲ୍ୟକର ବୟାନ ଦେଇଛି। ପୁଲିସ ଏହି ଘଟଣାରେ ଏକ ଚିଠିକୁ ମଧ୍ୟ ଜବତ କରିଛି। ତେବେ ଏହି ଘଟଣାରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି ନା ନାହିଁ ସେନେଇ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ସମସ୍ତ ତଥ୍ୟକୁ ଗୋପନ ରଖିଛି।

Leave A Reply