ଯୋଗ ଦିବସରେ ଶୟନ ମୁଦ୍ରାରେ ମଦ୍ୟପ ଶିକ୍ଷକ; ଭିଡିଓ ଭାଇରାଲ୍

ଲଡୁଗାଁ : ବିଶ୍ବ ବ୍ୟାପୀ ଆଜି ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଳନ କରାଯାଉଛି। ସମସ୍ତେ କେମିତି ଯୋଗାସନ ପ୍ରତି ରୁଚି ରଖିବେ ଏବଂ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ ତା’ ଉପରେ ଦୃଷ୍ଟି ଦିଆଯାଉଛି। କିନ୍ତୁ କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଘନାଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ଚୌକି ଉପରେ ମଦ୍ୟପ ଶିକ୍ଷକ ପିଲାମାନଙ୍କୁ ଶୟନ ମୁଦ୍ରା ଶିଖାଉଥିବା ଦେଖିବାକୁ ମିଳିଛି। ସରିଲା ଖରାଛୁଟି, ସ୍କୁଲରେ ବାଜିଲା ଘଣ୍ଟି, ଆରମ୍ଭ ହେଲା ପାଠପଢ଼ା। ନିଜର ପିଲାମାନଙ୍କୁ ଅଭିଭାବକମାନେ ସ୍କୁଲକୁ ଏଥିପାଇଁ ପଠାନ୍ତି କାରଣ ସେମାନେ ଶିକ୍ଷକଙ୍କ କଥା ଶୁଣି ନୂଆ ଓ ଭଲ ଅଭ୍ୟାସ ଶିଖିବେ। ସ୍କୁଲ କେବଳ ଶିକ୍ଷା ନୁହେଁ, ଏଠାରେ ପିଲାମାନେ ମଧ୍ୟ ସେମାନଙ୍କର ନୈତିକ ଦାୟିତ୍ୱ ବିଷୟରେ ଜାଣନ୍ତି। କିନ୍ତୁ ଯେତେବେଳେ ପିଲାମାନଙ୍କୁ ଗଢୁଥିବା ଶିକ୍ଷକ ଅସଭ୍ୟ ହୋଇଯାଆନ୍ତି ସେତବେଳେ ଏହା ଚିନ୍ତାର ବିଷୟ ପାଲଟିଥାଏ।

ଘନାଗୁଡା ୪ ନଂ ୱାର୍ଡ଼ର ୱାର୍ଡ଼ମେମ୍ବର ରୁଦ୍ର ପ୍ରସାଦ ଦାସ ସ୍କୁଲ ରାସ୍ତା ଦେଇ ଯାଉଥିବା ବେଳେ ସ୍କୁଲରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଭୋଜରାଜ ଶବର ମଦ ପିଇ ମାତାଲ ଅବସ୍ଥାରେ ଚୌକିରେ ଶୋଇ ପଡ଼ିଥିବା ଦେଖିଥିଲେ। ଉଠିବାକୁ ଶକ୍ତି ନାହିଁ। କଥା ମଧ୍ୟ ଠିକ ଭାବରେ କହି ପାରୁନାହାନ୍ତି। ଏହାକୁ ନେଇ କେହି ବାରଣ କଲେ ଯାହା କରୁଛ କର ବୋଲି କୁହନ୍ତି। ୱାର୍ଡମେମ୍ବର ଜଣକ ଶିକ୍ଷକଙ୍କୁ ବାରମ୍ବାର ଉଠ ଉଠ ବୋଲି କୁହାଯାଉଥିବାର ଭିଡିଓ ଏବେ ଏ ମୋବାଇଲରୁ ସେ ମୋବାଇଲ ଘୁରି ବୁଲୁଛି।

prayash

ତେବେ ଏହି ଘଟଣା ପ୍ରଥମ ଥର ନୁହେଁ। ଆଗରୁ ମଧ୍ୟ ଏଭଳି ଅନେକ ଥର ଏମିତି ଦେଖିବାକୁ ମିଳିଥିବା କଥା ଗ୍ରାମବାସୀ କହିଛନ୍ତି। ଭୋଜରାଜ ମାଷ୍ଟ୍ରେ ୨୦୧୭ ମସିହାରୁ ଏହି ସ୍କୁଲରେ ଶିକ୍ଷାଦାନ କରିବା ସହ ମଦ ପିଇ ମାତାଲ ଅବସ୍ଥାରେ ସବୁବେଳେ ରହିଆସୁଥିବା ଗ୍ରାମବାସୀ କୁହନ୍ତି। ଏନେଇ ବାରମ୍ବାର ଅଭିଯୋଗ କରିବା ସହ ଲୋକେ ତାଗିଦ୍ ମଧ୍ୟ କରିଥିଲେ। ଶିକ୍ଷକ ଜଣକ ପୂର୍ବରୁ ଭୁଲ୍ ସ୍ୱୀକାର କରି ମୁଁ ମଦ ପିଇ ଆସିବି ନାହିଁ ବୋଲି ଲିଖିତ ଭାବେ ସ୍କୁଲରେ ଏଗ୍ରିମେଣ୍ଟ କରିଥିବା କୁହାଯାଉଛି। ହେଲେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ ଭଳି ଆଉଥରେ ଖରା ଛୁଟି ପରେ ସ୍କୁଲ ଖୋଲିବାର ପ୍ରଥମ ଦିନରେ ହିଁ ଶ୍ରେଣୀଗୃହରେ ନିଜର ହିତାହିତ ଜ୍ଞାନ ଭୁଲି ନିଜ ଉପରୁ ନିୟନ୍ତ୍ରଣ ହରାଇ ଚୌକି ଉପରେ ପଡ଼ି ରହିଥିଲେ। ଜଣେ ଶିକ୍ଷକ ମଦ୍ୟପାନ କରି ସ୍କୁଲ ମଧ୍ୟରେ ନିଶାଶକ୍ତ ଅବସ୍ଥାରେ ରହିବା ଓ ତାଙ୍କ ପ୍ରତି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ବିମଳା ସେଠୀ, ଉପସଭାପତି କପିଲ ରାଉତଙ୍କ ସମେତ କମିଟି ସଦସ୍ୟ ତଥା ଅଭିଭାବକ ପ୍ରଧାନଶିକ୍ଷକ କୁଳମଣି ସାହୁଙ୍କୁ ପ୍ରଶ୍ନ କରିଥିଲେ। ଗୁରୁ ବା ଶିକ୍ଷକ ଯିଏ ସର୍ବତ୍ର ପୂଜ୍ୟ, ଆଉ ଯାହାଙ୍କୁ ଦେଖିଲେ ମୁଣ୍ଡ ଆପେ ଆପେ ତଳକୁ ନଇଁ ଯାଏ। ହେଲେ ଏଭଳି ଚିତ୍ର ଦେଖିଲା ପରେ କ’ଣ ଶିକ୍ଷକଙ୍କ ପ୍ରତି ମନରେ ସେହି ଭକ୍ତିଭାଵ ଆସିବ। ଏହି ଘଟଣାକୁ ନେଇ ସ୍କୁଲ ପରିଚାଳନା କମିଟି ସଦସ୍ୟ ତଥା ଅଭିଭାବକମାନେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି। ଯଦି ଆଗାମୀ ଦିନରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ, ତେବେ ପିଲାଙ୍କ ଭବିଷ୍ୟତ ସୁଧାରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷେ ବାରମ୍ବାର ଗୋଷ୍ଠୀ ଶିକ୍ଷାଧିକାରୀ ଓ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ବେଳେ ମୁଁ କଣ କରିପାରିବି ବୋଲି ପ୍ରଧାନଶିକ୍ଷକ ଶ୍ରୀ ସାହୁ କହିଛନ୍ତି। ଏନେଇ କୋକସରା ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ଶିକ୍ଷକ ହୋଇ ଯଦି ସ୍କୁଲକୁ ମଦ ପିଇ ଆସିବେ ତେବେ ପିଲା ସେମାନଙ୍କ ଠାରୁ କଣ ଶିଖିବେ? ଉଚ୍ଚପଦସ୍ଥ ଅଧିକାରୀ ଯଦି ଏଭଳି ଶିକ୍ଷକଙ୍କୁ ଘଣ୍ଟ ଘୋଡ଼ାଇ ରଖନ୍ତି ତେବେ କିଭଳି ଶିକ୍ଷାର ମାନ ବୃଦ୍ଧି ପାଇବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।

Comments are closed.