ପିପିଲିରେ ପ୍ରତିଷ୍ଠା ହେଉ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ କାରାଗାର
ପିପିଲି: ପିପିଲିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ଅତିରିକ୍ତ ଜିଲା ଦୌରାଜଜ ଙ୍କ ଅଦାଲତ ପ୍ରତିଷ୍ଠା ନିମନ୍ତେ ପୂର୍ବତନ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟ ଦାବି କରିବା ସହ ଏ ସଂପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ନିମାପଡା ଉପକାରାଗାରରେ କଏଦୀଙ୍କ ସର୍ବାଧିକ ସଂଖ୍ୟା ୨୦୬ ରହିଥିବାବେଳେ ପିପିଲି, ନିମାପଡା ଓ କୋଣାର୍କ ଅଞ୍ଚଳରେ ଥିବା ୩ଟି ଅଦାଲତର ବିଚାରାଧୀନ ବନ୍ଦୀଙ୍କ ପାଇଁ ଏହି ଉପକାରାଗାର ପର୍ଯ୍ୟାପ୍ତ ହେଉନାହିଁ। ତେଣୁ ପିପିଲି ଅଞ୍ଚଳରେ ଏକ କାରାଗାର ପ୍ରତିଷ୍ଠା ନିମନ୍ତେ ଶ୍ରୀସାମନ୍ତରାୟ ନିବେଦନ କରିଛନ୍ତି।
ପିପିଲିର ଇନ୍ଦିରା ମଇଦାନ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀସାମନ୍ତରାୟ ପିପିଲି ନିର୍ବାଚନମଣ୍ଡଳୀର ବିକାଶ ସଂପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଦାବି କରିଛନ୍ତି। ପିପିଲିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ସେ ଦାବି କରିବା ସହ ଏସଂପର୍କରେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିବା ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ପିପିଲିରେ ଅତିରିକ୍ତ ଜିଲା ଦୌରାଜଜଙ୍କ ଅଦାଲତ ପ୍ରତିଷ୍ଠା ପାଇଁ ସେ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ଜେନେରାଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ପିପିଲି ଡେଲାଙ୍ଗ ନିର୍ବାଚନମଣ୍ଡଳୀ ବାସିନ୍ଦାଙ୍କ ବହୁ ସଂଖ୍ୟକ ମାମଲା ପୁରୀରେ ଥିବା ଉପରୋକ୍ତ ଅଦାଲତରେ ଚାଲୁଅଛି। ଏଠାରେ ଏହି ଅଦାଲତ ପ୍ରତିଷ୍ଠା ହେଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ଯୁଧିଷ୍ଠୀର ସୂଚନା ଦେଇଥିଲେ। ପିପିଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପିପିଲି ବ୍ଲକର ୪ଟି ପଞ୍ଚାୟତ ବଳଙ୍ଗା ଥାନା ଅଧିନରେ ରହିଥିବା ବେଳେ ଡେଲାଙ୍ଗ ବ୍ଲକର ୨ଟି ପଞ୍ଚାୟତ ସତ୍ୟବାଦୀ ଥାନା ଅଧିନରେ ରହିଛି। ଫଳରେ ପିପିଲିର ଉକ୍ତ ୪ଟି ପଞ୍ଚାୟତବାସୀ ନିମାପଡା କୋର୍ଟ ଓ ଡେଲାଙ୍ଗର ଉକ୍ତ ୨ଟି ପଞ୍ଚାୟତବାସୀ ପୁରୀ କୋର୍ଟ ଉପରେ ନିର୍ଭର କରିବାକୁ ପଡୁଛି। ତେଣୁ ଏହି ୬ଗୋଟି ପଞ୍ଚାୟତକୁ ପିପିଲିଥାନା ଓ ଡେଲାଙ୍ଗ ଥାନା ଅଧିନକୁ ଫେରାଇ ଆଣିବା ସହ ପିପିଲିର ରୁପଦେଇପୁର ଓ ଡେଲାଙ୍ଗର ଅଭୟମୁଖି ଠାରେ ୨ଟି ପୁଲିସ ଫାଣ୍ଡି ପ୍ରତିଷ୍ଠା କରିବା ପାଇଁ ଶ୍ରୀସାମନ୍ତରାୟ ରାଜ୍ୟ ସରକାରଙ୍କ ଗୃହ ସଚିବଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ପିପିଲି ବ୍ଲକ ପୁବାଶାସନ ପଞ୍ଚାୟତ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ପରିସରରେ ରହୁଥିବା କର୍ମଚାରୀ ଏବଂ ରାଜ୍ୟ ସରକାରଙ୍କ ମତ୍ସ୍ୟ ଜାଆଁଳା ଉତ୍ପାଦନ କେନ୍ଦ୍ର ପରିସରରେ ରହୁଥିବା କର୍ମଚାରୀମାନେ ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ମତଦାନ କରୁଥିବାରୁ ସେମାନଙ୍କୁ ପିପିଲି ନିର୍ବାଚନ ମଣ୍ଡଳୀକୁ ଫେରାଇ ଆଣିବାକୁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଶ୍ରୀସାମନ୍ତରାୟ ନିବେଦନ କରିଥିବା ସୂଚନା ଦେଇଥିଲେ। ଏଥିସହ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ମଦ ବିକ୍ରୀ ବନ୍ଦ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା ନେଇ ସୂଚନା ଦେଇଥିଲେ। ପିପିଲିର ଠଣଠଣା ଗ୍ରାମ ଠାରେ ନବନିର୍ମିତ ୧୩୨/୩୩ କେଭି ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ୍ ଗ୍ରୀଡରୁ ପିପିଲିକୁ ୩୩କେଭି ବିଦ୍ୟୁତ ସଂଯୋଗ ନେଇ ଯୁଧିଷ୍ଠୀର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ବେଳେ ଆସନ୍ତା ତିନି ସପ୍ତାହ ମଧ୍ୟରେ ଯୁଧିଷ୍ଠୀରଙ୍କ ଆବେଦନର ବିଚାର କରିବା ସହ ଆଇନ ଅନୁଯାଇ ପଦକ୍ଷେପ ନେବାକୁ ଟାଟା ପାୱାରକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶନାମା ଜାରି କରିଥିବା ସଂପର୍କରେ ଯୁଧିଷ୍ଠୀର ସୂଚନା ଦେଇଥିଲେ।
ଭୁବନେଶ୍ୱର ଠାରୁ ପୁରୀ ଓ କୋଣାର୍କକୁ ଚଳାଚଳ କରୁଥିବା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ମୋ ବସ ପିପିଲି ବଜାର ପରିବର୍ତ୍ତେ ବାଇପାସ ରାସ୍ତା ଦେଇ ଚଳାଚଳୁ କରୁଛି। ଉକ୍ତ ବସ୍ ଗୁଡିକ ପିପିଲି ବଜାର ଦେଇ ଚଳାଚଳ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀସାମନ୍ତରାୟ ଜଣାଇଥିଲେ। ତେବେ କୌଣସି ସୁଫଳ ନମିଳିବାରୁ ସେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ୧୦ଦିନ ମଧ୍ୟରେ ଏହାର ବିଚାର କରି ପଦକ୍ଷେପ ନେବାକୁ ମାନ୍ୟବର ଉଚ୍ଚନ୍ୟାୟାଳୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଥିବା ସଂପର୍କରେ ଯୁଧିଷ୍ଠିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଏହା ସହ ପିପିଲିର କମାକନ୍ତିଆ ଗ୍ରାମରେ ଏକ ଜମି ବିକ୍ରୀରେ ବ୍ୟାପକ ଜାଲିଆତି କରାଯାଇଥିବାର ସେ ଅଭିଯୋଗ କରିବା ସହ ଏଥିରେ ସଂପୃକ୍ତ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଜିତୁପ୍ରକାଶ ପରିଡା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆଇନଜୀବୀ ସୁରେନ୍ଦ୍ର ପରିଡା, ପୂର୍ବତନ ସରପଞ୍ଚ ସତ୍ୟବାଦୀ ମିଶ୍ର, ବିଜୟ କୁମାର ଦାସ, ନରେଶ ଚନ୍ଦ୍ର ବସ୍ତିଆ, ରମେଶ ପଣ୍ଡା, ନରସିଂହ ପ୍ରଧାନ, ପ୍ରମୋଦ ପଲେଇ, ପିପିଲି ବଜାର ବ୍ୟବସାୟୀ ସଂଘ ସଭାପତି ରାକେଶ ମହାପାତ୍ରଙ୍କ ସମେତ ଯୁଧିଷ୍ଠୀରଙ୍କ ବହୁ ସମର୍ଥକ ଓ ସହଯୋଗୀମାନେ ଉପସ୍ଥିତ ଥିଲେ।
Comments are closed.