ଅନଶନ ଭାଙ୍ଗିଲେ ଅନ୍ନା, ଫଡନାଭିସ ପିଆଇଲେ ପାଣି

0

ନୂଆଦିଲ୍ଲୀ : ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ସମାଜସେବୀ ଅନ୍ନା ହଜାରେ ୭ ଦିନ ପରେ ଗୁରୁବାର ସନ୍ଧ୍ୟାରେ ଅନଶନ ଭାଙ୍ଗିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ଏବଂ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଦିଲ୍ଲୀର ରାମଳୀଳା ମୈଦାନର ଅନଶନସ୍ଥଳରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ପହଞ୍ଚି ଅନ୍ନାଙ୍କୁ ପାଣି ପିଆଇ ଅନଶନ ଭାଙ୍ଗିଥିଲେ । ସରକାର ଦାବି ପୂରଣର ପ୍ରତିଶ୍ରୁତି ଦେବା ପରେ ଅନ୍ନା ଅନଶନ ଭାଙ୍ଗିଛନ୍ତି ବୋଲି କୁହାଯାଇଛି। ଅନଶନ ଭାଙ୍ଗିବା ଅବସରରେ ଅନ୍ନା କହିଥିଲେ ଯେ ଚାଷୀଙ୍କ କୃଷି ଉତ୍ପାଦର ନ୍ୟୁନତମ ଦର ଖର୍ଚ୍ଚ ଅନୁସାରେ ଦେଢ ଗୁଣା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହ ଲୋକପାଳ ନିଯୁକ୍ତି ନେଇ କେନ୍ଦ୍ର ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ପ୍ରତିଶ୍ରୁତି ଦେଇଛି । କେନ୍ଦ୍ର ଦାବି ପୂରଣ ପାଇଁ ୬ ମାସ ସମୟ ମାଗିଛି। ୬ ମାସ ମଧ୍ୟରେ ଦାବି ପୂରଣ ନହେଲେ ପୁନଃ ଅନଶନ କରାଯିବ । ପ୍ରକାଶ ଯେ ମାର୍ଚ୍ଚ ୨୩ରୁ ଅନ୍ନା ହଜାରେ ଅନଶନରେ ବସିଥିଲେ । ଗୁରୁବାର ଏହା ୭ ଦିନରେ ପହଞ୍ଚିଥିଲା । ଉଲ୍ଲେଖ ଯେ ଅନ୍ନାଙ୍କ ଦାବି ମଧ୍ୟରେ ଚାଷୀଙ୍କ କୃଷି ଉତ୍ପାଦ ଦର ଖର୍ଚ୍ଚ ଆଧାରରେ ଦେଢ ଗୁଣା ବୃଦ୍ଧି, ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଚାଷୀଙ୍କୁ ୫ ହଜାର ଟଙ୍କା ପେନସନ, କୃଷି ମୂଲ୍ୟ ଆୟୋଗକୁ ସାମ୍ବିଧାନିକ ମାନ୍ୟତା ଏବଂ ସମ୍ପୂର୍ଣ୍ଣ ସ୍ୱାୟତ୍ତତା ପ୍ରଦାନ । ତୁରନ୍ତ କେନ୍ଦ୍ର ଓ ସବୁ ରାଜ୍ୟରେ ଲୋକପାଳ ନିଯୁକ୍ତି, ନିର୍ବାଚନ ପ୍ରକ୍ରିୟାରେ ସଂଶୋଧନ ନିଷ୍ପତ୍ତି ଆଦି ଅନ୍ତର୍ଭୁକ୍ତ ରହିଥିଲା ।

Leave A Reply