www.samajalive.in
Tuesday, December 9, 2025
15.1 C
Bhubaneswar

ଯୋଜନାର ସଫଳ ରୂପାୟନ ପାଇଁ ପ୍ରତିଦିନ କାର୍ଯ୍ୟ ତଦାରଖ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଭ କରିଥିବା ‘ମୋ ଘର’ ଯୋଜନାକୁ କାର୍ଯ୍ୟକାରୀ କରିବା ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ପଂଚାୟତିରାଜ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିବା ବେଳେ ସମସ୍ତ ଜିଲାର ଜିଲାପାଳମାନେ ଓସ୍ୱାନ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଯୋଗଦାନ କରିଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ମୋ ଘର ଯୋଜନା ରାଜ୍ୟ ସରକାରଙ୍କର ଏକ ମହତ୍ୱାକାଂକ୍ଷୀ ଯୋଜନା। ରାଜ୍ୟରେ ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ଲକ୍ଷ୍ୟରେ ତଥା ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାର ଉପକୃତ ହେବା ପାଇଁ ଉଦ୍ଦିଷ୍ଟ ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଯୋଜନାର ସଫଳ ରୂପାୟନ ପାଇଁ ଆଜି ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ବୈଠକରେ ସବୁ ଜିଲାର ଜିଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇ ନିଜ ନିଜ ଜିଲାର ବିଡିଓ, ତହସିଲଦାର, ସବ୍ ରେଜିଷ୍ଟ୍ରାର ଓ ସଂପୃକ୍ତ ସମସ୍ତ ଅଧିକାରୀମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବା ଓ କାର୍ଯ୍ୟର ନିୟମିତ ତଦାରଖ କରିବାକୁ କହିଛନ୍ତି । ଯୋଜନାର କାର୍ଯ୍ୟକାରିତା ସଂପର୍କିତ କାର୍ଯ୍ୟ ଅଗ୍ରଗତି ବିବରଣୀ ମଧ୍ୟ ପ୍ରତିଦିନ ପଠାଇବାକୁ ଶ୍ରୀ ଜେନା ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।
‘ମୋ ଘର’ ଯୋଜନାରେ ଉପକୃତ ହେବା ପାଇଁ ଆସନ୍ତା ଜୁନ୍ ମାସ ୧୬ ତାରିଖରୁ ଆବେଦନ ଅନ ଲାଇନରେ ଗ୍ରହଣ କରାଯିବାକୁ ଥିବାବେଳେ ଏହି ସୁବିଧା ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ସଂପର୍କରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନୀ ସବିଶେଷ ସୂଚନା ଦେଇଥିଲେ । ଏ ସଂପର୍କରେ ଜାଣିବା ପାଇଁ ମାର୍ଗଦର୍ଶିକା https://rhodisha.gov.in/moghara ପୋର୍ଟାଲରେ ଉପଲବ୍ଧ ରହିଛି । ‘ମୋ ଘର’ ଯୋଜନାରେ ହିତାଧିକାରୀ ଚୟନ ପାଇଁ ଯୋଗ୍ୟତା, ବ୍ୟାଙ୍କରୁ ଋଣ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ତରଫରୁ ସହାୟତା, ୧ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କରୁ ଗୃହଋଣ ବାବଦରେ ସରକାରୀ ସବସିଡି, ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ବ୍ୟବସ୍ଥା ସମେତ ଆବେଦନ ପାଇଁ ହିତାଧିକାରୀଙ୍କର ଆବଶ୍ୟକ ହେଉଥିବା କାଗଜାତ(ଡକ୍ୟୁମେଣ୍ଟ) ଯଥା ପାସପୋର୍ଟ ସାଇଜର ଫଟୋ, ଆଧାର କାର୍ଡ, ପରିଚୟ ପତ୍ର ପ୍ରମାଣ, ଆୟ ପ୍ରମାଣପତ୍ର, ଜାତି ପ୍ରମାଣ ପତ୍ର, ଘରର ମୁଖ୍ୟ ଭିନ୍ନକ୍ଷମ ହୋଇଥିଲେ ଭିନ୍ନକ୍ଷମ ପ୍ରମାଣ ପତ୍ର, ଗୃହ ନିର୍ମାଣ ହେଉଥିବା ଜମିର ରେକର୍ଡ ଆବଶ୍ୟକତା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

- Advertisement -

ପ୍ରାପ୍ତ ଆବେଦନ ଆଧାରରେ ସଂପୃକ୍ତ ବ୍ଲକ୍ ପ୍ରଶାସନ ଦ୍ୱାରା ଆବେଦନର କ୍ଷେତ୍ରୀୟ ଅନୁସନ୍ଧାନ କରାଯିବ। ନିର୍ମାଣ ପାଇଁ ବର୍ତ୍ତମାନର ଘର ଏବଂ ପ୍ରସ୍ତାବିତ ସ୍ଥାନର ଜିଓ ଟ୍ୟାଗିଂ, ଆବେଦନକାରୀଙ୍କ ଦ୍ୱାରା ଘୋଷଣାର ସଂକ୍ଷିପ୍ତ ଅନୁସନ୍ଧାନ, ଜିଓ ଟ୍ୟାଗ୍ ହୋଇଥିବା ଫଟୋର ଯାଂଚ ଏବଂ ଯୋଜନା ଓ ଆକଳନର ଅନୁମୋଦନ ବ୍ଲକ ସ୍ତରରେ କରାଯିବା ନେଇ ଆଲୋଚନା କରାଯାଇଥିଲା। ମୂଳ ଦସ୍ତାବିଜ ଯାଞ୍ଚ ପରେ ଆବଶ୍ୟକ ସ୍ଥଳେ ଆଇନ୍ ପରାମର୍ଶ ଦାତାଙ୍କ ଠାରୁ ମତାମତ ନେଇ ସଂପୃକ୍ତ ବ୍ୟାଙ୍କ ଆବେଦନ ପ୍ରାପ୍ତିର ୩୦ ଦିନ କାର୍ଯ୍ୟ ଦିବସ ମଧ୍ୟରେ ଋଣ ମଂଜୁର ପାଇଁ ବ୍ୟବସ୍ଥା ଗ୍ରହଣ କରିବେ।

ଏହି ଯୋଜନାରେ ଉପକୃତ ହେବା ପାଇଁ ଆବଶ୍ୟକ ହେଉଥିବା ଆୟ ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର, ମ୍ୟୁଟେସନ ପ୍ରମାଣ ପତ୍ର ଆଦି ସଂପୃକ୍ତ ତହସିଲଦାରମାନେ ଶୀଘ୍ର ପ୍ରଦାନ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ନେବେ। ଆହୁରି ମଧ୍ୟ ଯୋଜନାର କାର୍ଯ୍ୟକାରିତାରେ ଅଧିକାରୀ ଓ କର୍ମଚାରୀମାନଙ୍କର ଦକ୍ଷତା ବିକାଶ, ସଚେତନତା ସୃଷ୍ଟି, ସମନ୍ୱୟ ଏବଂ ତଦାରଖ ପାଇଁ ପ୍ରତ୍ୟେକ ପର୍ଯ୍ୟାୟରେ ବିଡିଓମାନେ ସମ୍ପୂର୍ଣ୍ଣ ଭାବରେ ଜଡିତ ହେବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏ ସଂପର୍କରେ ଜିଲ୍ଲାପାଳମାନେ ଜିଲାସ୍ତରରେ ବୈଠକ କରି ସବିଶେଷ ଅବଗତ କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ବିଡିଓମାନେ ବ୍ଲକ ସ୍ତରରେ ଗ୍ରାମାଂଚଳ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ,ପଂଚାୟତ ସମ୍ପ୍ରସାରଣ ଅଧିକାରୀ, ଜିଆରଏସ୍, ମିଶନ ଶକ୍ତି ଏବଂ ଓଏଲଏମର କର୍ମକର୍ତ୍ତାଙ୍କୁ ନେଇ ବ୍ଲକସ୍ତରୀୟ ବୈଠକ ଆୟୋଜନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୋର୍ଟାଲରେ ବ୍ୟାଙ୍କ ଲଗଇନ୍ ସକ୍ରିୟ କରିବା ପାଇଁ ବ୍ୟାଙ୍କରମାନଙ୍କୁ ନେଇ ବ୍ଲକସ୍ତରୀୟ ସ୍ୱତନ୍ତ୍ର ବୈଠକ ଆୟୋଜନ କରାଯିବ । ସେହିପରି କମ୍ପ୍ୟୁଟର ପ୍ରୋଗ୍ରାମର ଏବଂ ଅନ୍ୟ ବୈଷୟିକ କର୍ମଚାରୀଙ୍କ ଦ୍ୱାରା ବ୍ଲକସ୍ତରରେ ଥିବା ସମସ୍ତ ମୋ-ସେବା କେନ୍ଦ୍ରଗୁଡିକରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ବିବିଧ ପ୍ରମାଣପତ୍ର ଶୀଘ୍ର ପ୍ରଦାନ ଓ ଗୃହ ନିର୍ମାଣ ପାଇଁ ଜମି ରେକର୍ଡର ପରିବର୍ତନ ନିମନ୍ତେ ତହସିଲଦାର, ସବ୍ ରେଜିଷ୍ଟ୍ରାର ଓ ରାଜସ୍ୱ ନିରୀକ୍ଷକଙ୍କ ସହ ସମନ୍ୱୟ ବୈଠକ ଓ ରାଜସ୍ୱ ଶିବିରର ଆୟୋଜନ ସହିତ ନିର୍ମାଣର ପ୍ରତ୍ୟେକ ପର୍ଯ୍ୟାୟରେ ଜିଓ-ଟ୍ୟାଗିଂକୁ ସୁନିଶ୍ଚିତ କରିବା ଏବଂ ପରବର୍ତ୍ତୀ କିସ୍ତି/ ପୁଞ୍ଜି ସବସିଡି ପ୍ରଦାନ ପାଇଁ ବ୍ୟାଙ୍କକୁ ସୁପାରିଶ କରିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories