ହିଟ୍‍ଲର ପତିଙ୍କ ନିର୍ଦେଶ: ରୁଟିର ବ୍ୟାସ ୨୦ ସେମି. ହୋଇଥିବ…

0

ପୁନେ: ସ୍ଥାନୀୟ କୋର୍ଟକୁ ଏପରି ଏକ ଅଦ୍ଭୁତ ମାମଲା ବିଚାର ପାଇଁ ଆସିଛି। ପତି-ପତ୍ନୀ ଦୁହେଁ ଆଇଟି ଇଞ୍ଜିନିୟର ହୋଇଥିବାବେଳେ ମାପଚୁପକୁ ନେଇ ସେମାନଙ୍କ ମଧ୍ୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ ଶେଷରେ ପତ୍ନୀ ଛାଡପତ୍ର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନୀଲ ଏବଂ ଅର୍ଚ୍ଚନା (ଉଭୟଙ୍କର ପରିବର୍ତ୍ତିତ ନାମ)ଙ୍କର ଏଭଳି କେସ୍‍ ସାରା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ଉଭୟ ଆଇଟି ଇଞ୍ଜିନିୟର ହୋଇଥିବା ବେଳେ ବିବାହ ପରେ କିଛିଦିନ ସବୁ ଠିକ୍‍ଠାକ୍‍ ଚାଲିଥିଲା। ତେବେ ୨୦୧୦ ମସିହାରୁ ଘରୋଇ କାମଧନ୍ଦାକୁ ନେଇ ଅନୀଲ ନିର୍ଦେଶାବଳୀ ଜାରି କରିବା ଆରମ୍ଭ କରିଥିଲେ। ଘରର ଛୋଟଛୋଟ କାମ ପାଇଁ ରୀତିମତ ପ୍ରୋଟୋକଲ୍‍ ପ୍ରସ୍ତୁତ ହୋଇଥିଲା। ଏପରିକି ରୁଟି କରିବା ବେଳେ ଏହା ସମ୍ପୂର୍ଣ୍ଣ ଗୋଲ୍‍ ହୋଇଥିବ ଏବଂ ବ୍ୟାସ ୨୦ ସେଣ୍ଟିମିଟର ହେବା ଆବଶ୍ୟକ ବୋଲି କହିଥିଲେ ଅନୀଲ। ଏଥିରୁ ଗୋଟିଏ ସେଣ୍ଟିମିଟର କମ୍‍ ବେଶୀ ବି ବରଦାସ୍ତ କରୁନଥିଲେ ସେ।

ଘରର କାମଧନ୍ଦା ରିପୋର୍ଟ କରିବା ଲାଗି କମ୍ପ୍ୟୁଟରରେ ଏକ୍‍ସେଲ ସିଟ୍‍ ପ୍ରସ୍ତୁତ କରିଦେଇଥିଲେ। ଏଥିରେ ତିନୋଟି ସ୍ତମ୍ଭ ରଖାଯାଇଥିଲା- ସମ୍ପୂର୍ଣ୍ଣ ହୋଇଥିବା କାମ, ସମ୍ପୂର୍ଣ୍ଣ ହୋଇନଥିବା କାମ ଏବଂ ଜାରି ରହିଥିବା କାମ। ପତ୍ନୀଙ୍କୁ ପ୍ରତିଦିନ ଏହି ଏକ୍‍ସେଲ ସିଟ୍‍ରେ ନିଜର ସମସ୍ତ କାମର ବିବରଣୀ ଦେବାକୁ ପଡୁଥିଲା। ସନ୍ଧ୍ୟାବେଳେ ଅନୀଲ ଆସି ସେହି ରିପୋର୍ଟ ଦେଖିବା ସହ ହୋଇଥିବା ଏବଂ ହୋଇ ନ ଥିବା କାମ ସମ୍ପର୍କରେ ପଚାରି ବୁଝୁଥିଲେ। ଏପରିକି କେତେ ଅଟା ପେଷାହେବା ଦରକାର, ଭାତ ପାଇଁ କେତେ ଚାଉଳ ପଡିବ ଇତ୍ୟାଦି ପ୍ରତ୍ୟେକ କଥା ଅନୀଲ ସ୍ଥିର କରନ୍ତି। ସେ ବାହାରେ ଥିବାବେଳେ ତାଙ୍କୁ କିଛି ପଚାରିବାକୁ ହେଲେ ଅର୍ଚ୍ଚନା ଇ-ମେଲ୍‍ ଯୋଗେ ଯୋଗାଯୋଗ କରିଥାନ୍ତି। ଏପରିକି ଘରର କିଛି କାମ ବାକି ରହିଗଲେ ଅର୍ଚ୍ଚନାଙ୍କୁ ଲିଖିତ ଭାବେ କାରଣ ଦର୍ଶାଇବାକୁ ପଡିଥାଏ। ପ୍ରୋଟୋକଲ୍‍ ତାଲିକାରେ କିଛି ଅଭାବ ରହିଲେ ଅର୍ଚ୍ଚନାଙ୍କୁ ଅନୀଲ ଖୁବ୍‍ ମାଡ଼ ମାରିଥାନ୍ତି। ସେମାନଙ୍କର ଏହି କଳହରେ ୬ବର୍ଷର ଝିଅ ବି ବାଦ୍‍ ପଡ଼େନାହିଁ। ଅନୀଲ କଳହ ସମୟରେ ଝିଅକୁ ବି ମାର୍‌ପିଟ୍‌ କରିବା ସହ କେଇଥର ଛୁରୀ ଧରି ତାକୁ ଆକ୍ରମଣ କରିବାକୁ ଯାଇଥିବା ଜଣାନ୍ତି ଅର୍ଚ୍ଚନା।

ଏପରିକି ପ୍ରତିଦିନ ସକାଳେ ଅର୍ଚ୍ଚନାଙ୍କୁ ବିଭିନ୍ନ ପ୍ରକାର ଜଳଖିଆର ଏକ ଲମ୍ବା ତାଲିକା ଅନୀଲଙ୍କୁ ଦେବାକୁ ହୋଇଥାଏ। ସେ ଯେଉଁ ଗୋଟିକୁ ମନୋନୀତ କରନ୍ତି, ଘରେ ସେହି ଜଳଖିଆ ପ୍ରସ୍ତୁତ କରାଯାଏ। ସେହିପରି ଆବଶ୍ୟକ ଘରୋଇ ସାମଗ୍ରୀର ତାଲିକା ଅନୀଲ ଅନୁମୋଦନ କରିବା ପରେ ହିଁ ଅର୍ଚ୍ଚନା ବଜାରକୁ ଯାଇ ସେସବୁ ଆଣନ୍ତି। ପ୍ରତ୍ୟେକ ଜିନିଷର ନାମ ଏବଂ ଦାମ୍‍ ତାଙ୍କୁ ଏକ୍‍ସେଲ ସିଟ୍‍ରେ ଉଲ୍ଲେଖ କରିବାକୁ ହୋଇଥାଏ। ଏପରିକି ଧାର୍ୟ୍ୟ ଠାରୁ ଯଦି କିଛି ସାମଗ୍ରୀ ଅଧିକ ଖର୍ଚ୍ଚ ହେଲା, ଏହାର ହିସାବ ମଧ୍ୟ ଅର୍ଚ୍ଚନାଙ୍କୁ ଦେବାକୁ ପଡେ। ଏସବୁରେ ବିବ୍ରତ ହୋଇ ସେ ୨୦୧୭ ମସିହାରୁ ଅନୀଲଙ୍କଠାରୁ ଅଲଗା ରହୁଛନ୍ତି। ଆସନ୍ତା ଏପ୍ରିଲ ମାସରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ ବୋଲି ଅର୍ଚ୍ଚନାଙ୍କ ଓକିଲ ସୁପ୍ରିୟା ଡୋଙ୍ଗରେ କହିଛନ୍ତି।

Leave A Reply