ଆଠଗଡ଼: ଆଠଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ସେବା ସଂସ୍ଥାର ଆଗାମୀ ଗୁଣ୍ଡିଚା ଯାତ୍ରା ସମୟରେ ୪୪ତମ ବାର୍ଷିକ ଉତ୍ସବ ଓ ନବ ଦିନାତ୍ମକ ଭଜନ ସମାରୋହ ଲାଗିି ଏକ ପ୍ରସ୍ତୁତି ବୈଠକ ଯଜ୍ଞନାରାୟଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସେବାସଂସ୍ଥାର ଉପଦେଷ୍ଟା ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏଥିରେ ପୌରୋହିତ୍ୟ କରି ଦୀର୍ଘ ୪୩ବର୍ଷ ଧରି ରଥଯାତ୍ରା ସମୟରେ ନୀରବଚ୍ଛିନ୍ନ ଭାବେ ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ୱାରା ଆଠଗଡ଼ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଏହା ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ ହୋଇଛି ବୋଲି ପ୍ରକାଶ କରିଥିଲେ। ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ବୈଠକରେ ଯୋଗଦେଇ ଏହା ଆଠଗଡ଼ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ହୋଇଥିବାରୁ ଆଗାମୀ ରଥଯାତ୍ରାରେ ନବଦିନ ବ୍ୟାପୀ ଆୟୋଜନ ହେବାକୁ ଥିବା ଏହି ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସାଧାରଣ ସଂପାଦକ ପାର୍ଥସାରଥୀ ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଭଜନ, ପ୍ରବଚନ ଓ ମାଳିକା ବିଚାର ଆଦି ବିଷୟରେ ସୂଚନା ଦେବା ସହ ରଥଯାତ୍ରା ଦିନ ହଜାର ହଜାର ଭକ୍ତଙ୍କ ପାଇଁ ଆନନ୍ଦ ବଜାର ଓ ଅଧରପଣା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସେବାସଂସ୍ଥାର ଅସ୍ଥାୟୀ ମୁଖ୍ୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ।
Popular Categories



