ନୂତନ ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ କୁମାର ବିଶୋଈଙ୍କ ଏମ୍ସ ଭୁବନେଶ୍ୱର ଗସ୍ତ, ଆରମ୍ଭ ହେବ ଶିକ୍ଷାଦାନ ଏବଂ ଗବେଷଣା ସହାୟକ ଯୋଜନା
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଏମ୍ବିବିଏସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗିଦାରୀତା ତଥା ସହଯୋଗ ନିମନ୍ତେ ଶିକ୍ଷାଦାନ ଏବଂ ଗବେଷଣା ସହାୟକ ଯୋଜନା ଆରମ୍ଭ ହେବ। ଏମ୍ସରେ ଅଧ୍ୟୟନ କରୁଥିବା ବରିଷ୍ଠ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କର କନିଷ୍ଠ ଛାତ୍ରଛାତ୍ରୀଙ୍କ ଦାୟିତ୍ବ ନିର୍ବାହ କରିବେ।
ଏଥିସହିତ ସେମାନେ ଛାତ୍ରଛାତ୍ରୀଙ୍କୁ ଉଭୟ ପାଠପଢ଼ା ତଥା ଗବେଷଣାରେ ସକ୍ରିୟ ସହଯୋଗ କରିବେ ବୋଲି ଏମ୍ସ ଭୁବନେଶ୍ୱରର ନୂତନ ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ କୁମାର ବିଶୋଈ ସୂଚନା ଦେଇଛନ୍ତି। ନୂତନ ଭାବେ ଏହି ମର୍ଯ୍ୟାଦାଜନକ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ ଏମ୍ସକୁ ପ୍ରଥମ ଗସ୍ତରେ ଆସିଛନ୍ତି ପ୍ରଫେସର ଅକ୍ଷୟ କୁମାର ବିଶୋଈ। ଏହି କାର୍ଯ୍ୟକ୍ରମ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ଚିକିତ୍ସା ବିଜ୍ଞାନରୁ ଅଧିକ ଶିକ୍ଷାଲାଭ ଏବଂ ନୂତନ ଗବେଷଣା କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତାକୁ ବୃଦ୍ଧି କରିବାରେ ବିଶେଷ ସହାୟକ ହେବ ବୋଲି ଡ. ବିଶୋଈ ସୂଚନା ଦେଇଛନ୍ତି।
ତିନି ଦଶନ୍ଧିର ବୃତ୍ତିଗତ ଉତ୍କର୍ଷତା ସହିତ ସମଗ୍ର ଦେଶରେ ସୁପରିଚିତ ସଫଳ କାର୍ଡିଆକ୍ ସର୍ଜନ, ଡ. ଅକ୍ଷୟ କୁମାର ବିଶୋଈଙ୍କୁ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସ୍ୱାଗତ କରିଥିଲେ।
ଏହି ଗସ୍ତ ଅବସରରେ ଡ. ବିଶୋଇ ଓପିଡି ପରିଦର୍ଶନ କରି ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ, ଛାତ୍ରଛାତ୍ରୀ ଏବଂ ଏମ୍ସର କର୍ମଚାରୀଙ୍କ ସହିତ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ ନୂତନ ଅଧ୍ୟକ୍ଷ। ଏମ୍ସରେ ସ୍ବାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାକୁ ଆହୁରି ଅଧିକ କ୍ରିୟାଶୀଳ କରିବା ନିମନ୍ତେ ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ସୃଷ୍ଟି ସହିତ ଉଭୟ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାରେ ସଂପୃକ୍ତ ହେବା ନେଇ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ଡ. ଅକ୍ଷୟ କୁମାର ବିଶୋଈ।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏମ୍ସ ଭୁବନେଶ୍ୱରର ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିବା ସହିତ ଡ. ବିଶୋଈଙ୍କ ଅନୁଭବ ଏବଂ ପାରଦର୍ଶିତା ସହଯୋଗରେ ଏହି ଅନୁଷ୍ଠାନ ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ଆହୁରି ଅଧିକ ସଫଳତା ହାସଲ କରିବବୋଲି ଆଶାପ୍ରକଟ କରିଛନ୍ତି। ଏହି ପରିଦର୍ଶନ ସମୟରେ ଏମ୍ସ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, କୁଳସଚିବ ବି.ବି. ମିଶ୍ରଙ୍କ ସମେତ ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକା ତଥା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.