୧୭ ବିଦ୍ୟାଳୟରେ ଶତ ପ୍ରତିଶତ ଫଳ
ରାଧେଶ୍ୱରୀ ବେହେରା ବ୍ଲକ ମାଟ୍ରିକ ଟପ୍ପର
ଆଠଗଡ : ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ଗୁରୁବାର ପ୍ରକାଶିତ ହୋଇଥିବାବେଳେ ଆଠଗଡ ବ୍ଲକର ୩୫ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୧୭ଟି ବିଦ୍ୟାଳୟରେ ୧୦୦% ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି । ବ୍ଲକରେ ମୋଟ ୧୮୨୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୯୨ ଉତ୍ତୀର୍ଣ୍ଣ ହୋଇଥିବାରୁ ସଫଳତା ହାର ୯୯% ରହିଛି । ସେମାନଙ୍କ ମଧ୍ୟରୁ ଏ-୧ ଗ୍ରେଡରେ ୧୩ଜଣ, ଏ-୨ ଗ୍ରେଡରେ ୮୮ଜଣ, ବି-୧ ଗ୍ରେଡରେ ୨୬୬, ବି-୨ ଗ୍ରେଡରେ ୪୩୯, ସି ଗ୍ରେଡରେ ୪୦୭, ବି ଗ୍ରେଡରେ ୨୯୪, ଇ ଗ୍ରେଡରେ ୨୮୫ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨୯ଜଣ କୃତକାର୍ଯ୍ୟ ହୋଇ ନ ଥିବା ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ସୁତ୍ରରୁ ପ୍ରକାଶ । ଆଠଗଡର ବିଶ୍ୱନାଥ ବିଦ୍ୟାପୀଠ, କନ୍ତୋଲର ଅଚ୍ୟୁତାନନ୍ଦ ବିଦ୍ୟାପୀଠ, ବେଣ୍ଟପଦା ହାଇସ୍କୁଲ, ଗୋବରା ହାଇସ୍କୁଲ, ମେଘାର ବିଶ୍ୱେଶ୍ୱର ହାଇସ୍କୁଲ, ଗୁରୁଡିଝାଟିଆ ନୋଡାଲ ହାଇସ୍କୁଲ, ଡାଳଭାଗ ପ୍ରକଳ୍ପ ହାଇସ୍କୁଲ, ଜାଗିଆପଡା ପ୍ରକଳ୍ପ ହାଇସ୍କୁୁଲ, ଗୁରୁଡିଝାଟିଆ ବାଳିକା ହାଇସ୍କୁଲ, କନ୍ଦରପୁର ହାଇସ୍କୁଲ, କୁମାରପୁର ହାଇସ୍କୁଲ, ଅରଖପାଟଣାର ଲୋକନାଥ ବିଦ୍ୟାପୀଠ, ଧୁରୁଷିଆର ପଞ୍ଚାୟତ ହାଇସ୍କୁଲ, ଘଣ୍ଟିଖାଲ ପଞ୍ଚାୟତ ହାଇସ୍କୁଲ, ସମସରପୁରର ସାବିତ୍ରୀ ରଥ ବିଦ୍ୟାପୀଠ, ସଠିଲୋ-ବାସୁଦେବପୁର ହାଇସ୍କୁଲ ପ୍ରଭୃତି ୧୭ଟି ହାଇସ୍କୁଲରେ ଶତ ପ୍ରତିଶତ ଫଳାଫଳ ହୋଇଛି।
ରାଧେଶ୍ୱରୀ ବେହେରା ବ୍ଲକ ମାଟ୍ରିକ ଟପ୍ପର
ତେବେ ଆଠଗଡସ୍ଥିତ ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀ ରାଧେଶ୍ୱରୀ ବେହେରା ୬୦୦ରୁ ୫୬୧(୯୩.୫୦%) ନମ୍ବର ରଖି ବ୍ଲକରେ ଟପ୍ପର ହୋଇଥିବା ଜଣାପଡିଛି । ବ୍ଲକରେ ଟପ୍ପର ହୋଇଥିବା ରାଧେଶ୍ୱରୀ ଦିନକୁ ୮-୧୦ଘଣ୍ଟା ପରିଶ୍ରମ କରୁଥିଲେ ଏବଂ ସେ ଜଣେ ପ୍ରଶାସନିକ ଅଧିକାରୀ ହେବା ପାଇଁ ଲକ୍ଷ୍ୟ ରଖିଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ଖୁଣ୍ଟୁଣୀସ୍ଥିତ ରାଧାନାଥ ନୋଡା ବିଦ୍ୟାପୀଠର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ୫୬୦ନମ୍ବର ରଖି ୨ୟ ସ୍ଥାନରେ ରହିଥିବାବେଳେ, ସର୍ପେଶ୍ୱର ବିଦ୍ୟାପୀଠର ଛାତ୍ର ସୁଶିଲ କୁମାର ରାଉତ ଓ ସମସରପୁରସ୍ଥିତ ସାବିତ୍ରୀ ରଥ ବିଦ୍ୟାପୀଠର ଛାତ୍ରୀ ବିସ୍ମିତା ସାହୁ ୫୫୨ ଲେଖାଏଁ ନମ୍ବର ରଖି ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସମସରପୁରସ୍ଥିତ ସାବିତ୍ରୀ ରଥ ବିଦ୍ୟାପୀଠରେ ସର୍ବାଧିକ ୬ଜଣ ଏ-୧ ଗ୍ରେଡ ପାଇଥିବାବେଳେ ଖୁଣ୍ଟୁଣୀର ରାଧାନାଥ ବିଦ୍ୟାପୀଠରେ ୩ଜଣ ଓ ସର୍ପେଶ୍ୱର ବିଦ୍ୟାପୀଠରେ ୨ଜଣ ଏ-୧ ଗ୍ରେଡ ପାଇଛନ୍ତି। ଖୁଣ୍ଟୁକଟା ଗୋପବନ୍ଧୁ ବାଳିକା ହାଇସ୍କୁଲ, ଆଠଗଡ ସରକାରୀ ବାଳିକା ହାଇସ୍କୁଲରେ ଜଣେ ଲେଖାଏଁ ପରୀକ୍ଷାର୍ଥୀ ଏ-୧ ଗ୍ରେଡ ପାଇଥିବା ଜଣାପଡିଛି ।
ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ଚଳିତବର୍ଷ ଜଣେ ହେଲେ ବି ଏ-୧ ଗ୍ରେଡ ନପାଇବା ଚିନ୍ତାଜନକ ବିଷୟ । ସେହିପରି ଜିଲ୍ଲାପାଳଙ୍କ ପରୀକ୍ଷାମୂଳକ ଯୋଜନା ‘ସୁପର ୩୦’ ସଫଳ ହୋଇନଥିବା ଦେଖିବାକୁ ମିଳିଛି । ୭୦%ରୁ ଅଧିକ ନମ୍ବର ରଖି ୯ମ ଶ୍ରେଣୀ ପାସ କରିଥିବା ବିଶ୍ୱନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ହାଇସ୍କୁଲର ୩୦ଜଣ ବିଦ୍ୟାର୍ଥୀଙ୍କୁ ନେଇ ସୁପର ୩୦ ଯୋଜନାରେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଶିକ୍ଷାଦାନ କରି ଚଳିତ ମାଟ୍ରିକ ପରୀକ୍ଷାରେ ସେମାନେ କିପରି ୯୦ପ୍ରତିଶତରୁ ଉର୍ଦ୍ଧ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ ସେଥିଲାଗି ସେମାନଙ୍କ ପାଇଁ ବିଶ୍ୱନାଥ ବିଦ୍ୟାପୀଠରେ ଗତ ପ୍ରାୟ ୮ମାସ ଧରି ସ୍ୱତନ୍ତ୍ର ଶିକ୍ଷାଦାନ କରାଯାଉଥିଲା ତେବେ ସେଥିରୁ ବାଳିକା ହାଇସ୍କୁଲର ଜଣେ ମାତ୍ର ଛାତ୍ରୀ ରାଧେଶ୍ୱରୀ ବେହେରା ୯୦ ପ୍ରତିଶତରୁ ଉର୍ଦ୍ଧ ରଖି ପାରିଛନ୍ତି।
Comments are closed.