ପୂର୍ବ ଶତ୍ରୁତାରୁ ଠେଙ୍ଗାରେ ପିଟିପିଟି ହତ୍ୟା ଅଭିଯୋଗ, ଥାନାରେ ମାମଲା

ଲାଞ୍ଜିଗଡ଼ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଭଳି ଏକ ସଙ୍ଗୀନ ଅଭିଯୋଗ ଲାଞ୍ଜିଗଡ଼ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଲାଞ୍ଜିଗଡ଼ ସହରର ସୁବାସ ମହାକୁଡ଼(୫୫) ରବିବାର ସନ୍ଧ୍ୟାରେ ନିଜର ଜଣେ ବନ୍ଧୁଙ୍କ ସହିତ କୁଆଡ଼େ ଯାଇ ନିଜ କାରରେ ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କ ଘର ସାମ୍ନାରେ ମେଟାଲ ଓ ଚିପ୍ସ ଜମା ହୋଇଥିବା ଦେଖି ସାମ୍ନାରେ ଥିବା ପଡ଼ୋଶୀ ଘରଙ୍କୁ ଏ ସଂପର୍କରେ ପଚାରିଥିଲେ । ଏହାକୁ ନେଇ ସେମାନଙ୍କ ମଧ୍ୟରେ କିଛି ସମୟ କଥା କଟାକଟି ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପଡୋଶୀ ମନୋଜ ପ୍ରଧାନ, ତାଙ୍କ ସ୍ତ୍ରୀ ମିନତୀ ପ୍ରଧାନ, ମନୋଜଙ୍କ ବଡ଼ଭଉଣୀ ଶାନ୍ତିଲତା ମହାକୁଡ଼, ଭଣଜା ଯୋଗେଶ ମହାକୁଡ଼ ମିଳିତ ଭାବେ ଆକ୍ରମଣ କରିବା ସହ ସୁବାସଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଠେଙ୍ଗାରେ ଆକ୍ରମଣ ସହିତ ପ୍ରବଳ ମାଡ଼ ମାରିବା ଯୋଗୁଁ ସୁବାସଙ୍କ ମୁହଁ ଓ ନାକରୁ ପ୍ରଚୁର ରକ୍ତସ୍ରାବ ହେବା ସହ ସେ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରି ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ସୁବାସଙ୍କ ପୁଅ ଶୁଭେନ୍ଦୁ ମହାକୁଡ଼ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିବାବେଳେ ପୁଲିସ ମାମଲା ରୁଜୁ କରି ଥାନାଧିକାରୀ ଉତ୍ତମ କୁମାର ସାହୁ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ଏହି ମାମଲାରେ ଚାରିଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ଅପରପକ୍ଷରେ ମୁଖ୍ୟ ଅଭିଯୁକ୍ତ ମନୋଜଙ୍କ ସ୍ତ୍ରୀ ମିନତୀ ମଧ୍ୟ ପାଲଟା ଅଭିଯୋଗ  କରିଥିବାବେଳେ ଏନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।  ସୋମବାର ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି । ସୂଚନାଯୋଗ୍ୟ, ଗତ ଦୁଇବର୍ଷ ତଳେ ସୁବାସଙ୍କ ପୁଅ ଶୁଭେନ୍ଦୁ ପଡ଼ୋଶୀ ମନୋଜଙ୍କ ଭାଣିଜୀ ତଥା ଶାନ୍ତିଲତା ମହାକୁଡ଼ଙ୍କ ଝିଅକୁ ଧରି ପଳାଇଥିବା ସହ କୋର୍ଟ ମ୍ୟାରେଜ କରିବା ଦିନଠୁ ଉଭୟ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା।

Comments are closed.