www.samajalive.in
Monday, December 15, 2025
27.1 C
Bhubaneswar

‘ରତ୍ନଭଣ୍ଡାର ଖୋଲିବା ପାଇଁ ହସ୍ତକ୍ଷେପ କରିବୁନି’

ନୂଆଦିଲ୍ଲୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ହସ୍ତକ୍ଷେପ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରି ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଦାଖଲ ସ୍ଥିତିପତ୍ର ଅନୁଯାୟୀ ନ୍ୟାୟାଳୟଙ୍କ ୪ ନଭେମ୍ବର ୨୦୧୯ ଅନ୍ତରୀଣ ରାୟ କାର୍ଯ୍ୟକାରୀ ହୋଇଥିବା ବିଷୟ ଜଣାପଡ଼ୁଛି। ନ୍ୟାୟାଳୟଙ୍କ ଆଦେଶନାମା ଅନୁପାଳନ ନେଇ ଯଦି କୌଣସି ପକ୍ଷର କିଛି ଆପତ୍ତି ରହିଥାଏ ସେମାନେ ଚାହିଁଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ସୋମବାର ମାମଲାର ଶୁଣାଣିବେଳେ ବିଚାରପତି ଏମ୍‌.ଆର. ଶାହ ଓ ବିଚାରପତି ସି.ଟି. ରବିକୁମାରଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ଓଡ଼ିଶା ସରକାରଙ୍କ ତରଫରୁ ମହାଅଧିବକ୍ତା (ଆଡ୍‌ଭୋକେଟ୍‌ ଜେନେରାଲ) ଅଶୋକ ପରିଜା ଜଣାଇଥିଲେ ଯେ ନ୍ୟାୟାଳୟଙ୍କ ଆଦେଶମତେ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମସ୍ତ ଆଦେଶନାମାକୁ କାର୍ଯ୍ୟକାରୀ କରି ସାରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ଓକିଲ ସି. ଏସ୍‌. ବୈଦ୍ୟନାଥନ୍‌ ଦର୍ଶାଇଥିଲେ ଯେ ୨୦୧୮ ଅକ୍ଟୋବର ୩ରେ ପୁରୀ ସହରରେ ଉପଦ୍ରବକାରୀଙ୍କ ଯୋଗୁଁ ଘଟିଥିବା ହିଂସାକାଣ୍ଡ ଏବଂ ଭଙ୍ଗାରୁଜା ଘଟଣାରେ କ୍ଷତିପୂରଣ ରାଶି ଆଦାୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆବେଦନକୁ ବିଚାର କରି ଖଣ୍ଡପୀଠ ଓଡ଼ିଶା ସରକାରଙ୍କୁ ନିର୍ଦେଶ ଦିଅନ୍ତୁ। ସେହିପରି ଅଦାଲତମିତ୍ର ରଣଜିତ କୁମାର ଦର୍ଶାଇଥିଲେ ଯେ ରତ୍ନଭଣ୍ଡାର ଖୋଲିବାକୁ ମୂଳ ରିଟ୍‌ ଆବେଦନ ହୋଇଥିଲା। ଏପର୍ଯ୍ୟନ୍ତ ସେ ବିଷୟରେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ନିଜ ସ୍ଥିତିପତ୍ରରେ କିଛି ଉଲ୍ଲେଖ କରିନାହାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଥିବା ୬୦ ହଜାର ଏକର ଜମିରୁ ମାତ୍ର ୩୮ ହଜାର ଏକର ଜମିର ସ୍ୱତ୍ବାଧିକାର ମିଳିଛି। ବାକି ଜମିର ରେକର୍ଡ କେବେ ସୁଦ୍ଧା ହେବ ସେ ବିଷୟରେ କିଛି ଉଲ୍ଲେଖ ନାହିଁ। ଆନନ୍ଦ ବଜାରରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ଦର ଏପର୍ଯ୍ୟନ୍ତ ନିର୍ଦ୍ଧାରଣ ହୋଇନାହିଁ କି ଖଣି ଖାଦାନ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଉପରେ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ଦ୍ୱାରା ହୋଇଥିବା ୧୨ କୋଟି ଜୋରିମାନା ଦଣ୍ଡାଦେଶ ବିଷୟରେ ସ୍ପଷ୍ଟ ଭାବେ କିଛି କୁହାଯାଇନାହିଁ। ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବିଚାରପତି ଏମ୍‌.ଆର. ଶାହ ଟିପ୍ପଣୀ କରିଥିଲେ ଯେ ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ଆମର ସମ୍ପୂର୍ଣ୍ଣ ଆସ୍ଥା ରହିଛି। ଏହି ଧାର୍ମିକ ତଥା ସମ୍ବେଦନଶୀଳ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଆଉ ହସ୍ତକ୍ଷେପ କରିବେନାହିଁ। ଯଦି କାହାର କିଛି ଆପତ୍ତି ରହିଛି ସେମାନେ ଚାହିଁଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ। ଏଥିସହ ଶ୍ରୀଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ୨୦୧୮ ଜୁନ୍‌ ମାସରୁ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ମୃଣାଳିନୀ ପାଢ଼ୀ ବନାମ କେନ୍ଦ୍ର ସରକାର ସମେତ ଅନ୍ୟ ସମସ୍ତ ମାମଲା ବିଚାର ପ୍ରକ୍ରିୟାର ଅଦାଲତ ପରିସମାପ୍ତି ଘଟାଇଥିଲେ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories