www.samajalive.in
Sunday, December 14, 2025
19.1 C
Bhubaneswar

‘ସବୁ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇବା ଲକ୍ଷ୍ୟ’

ଖୋର୍ଦ୍ଧା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଖୋର୍ଦ୍ଧାର ଗୁରୁଜଙ୍ଗଠାରେ ପ୍ରସିଦ୍ଧ ଜୟପୁର ଫୁଟ୍‌ର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ୍‌ ସେଣ୍ଟର’ ଉଦ୍‌ଘାଟନ କରିଛନ୍ତି। ଏହାଦ୍ବାରା ରାଜ୍ୟର ଭିନ୍ନକ୍ଷମମାନଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି। ଜୟପୁର ଫୁଟ୍‌ର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଜରିଆରେ ସେମାନେ ହୋଇପାରିବେ ସକ୍ଷମ। ପ୍ରତିଷ୍ଠାତା ପଦ୍ମଭୂଷଣ ଡ. ଡି.ଆର ମେହେଟ୍ଟାଙ୍କ ଦ୍ବାରା ୧୯୭୫ ମସିହାରେ ଜୟପୁର ଫୁଟ୍‌ ସେଣ୍ଟର ପ୍ରତିଷ୍ଠିତ ହୋଇଥିଲା। ଏହାର ନାମ ହେଉଛି ଭଗବାନ ମହାବୀର ବିକଳାଙ୍ଗ ସେନା ସମିତି। ଏବେ ଜୟପୁର ଫୁଟ ସେଣ୍ଟର ଭାବେ ଏହା ଦେଶ ବିଦେଶରେ ସୁନାମ ଅର୍ଜନ କରିଛି। ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣ କ୍ଷେତ୍ରରେ ଏହା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ସଂସ୍ଥା ଭାବରେ ସୁନାମ ଅର୍ଜନ କରିଛି। ସାରା ବିଶ୍ବର ୨୧ ଲକ୍ଷ ଭିନ୍ନକ୍ଷମଙ୍କୁ ଏହା କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ସକ୍ଷମ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ
ଏହି ନୂଆ କେନ୍ଦ୍ରର ସହଯୋଗରେ ଖୁବ୍‌ଶୀଘ୍ର ଓଡିଶାର ସବୁ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି। ଭିନ୍ନକ୍ଷମମାନେ ସମାଜର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନଙ୍କ ଉପଯୁକ୍ତ ଥଇଥାନ ଆମ ସମସ୍ତଙ୍କ ଦାୟିତ୍ବ। ଏଥିପାଇଁ ସମସ୍ତେ ମିଶି କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ସେମାନଙ୍କ କଲ୍ୟାଣ ପାଇଁ ଓ ସେମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଅନେକ କାମ କରୁଛନ୍ତି। ସେମାନଙ୍କ ଥଇଥାନ ସହିତ ତାଲିମ ଜରିଆରେ ସେମାନଙ୍କୁ ସଶକ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭିନ୍ନକ୍ଷମମାନଙ୍କ ସହାୟତା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ଜୟପୁର ଫୁଟ କେନ୍ଦ୍ରର ପ୍ରତିଷ୍ଠାତା ଡ. ମେହେଟ୍ଟାଙ୍କ ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସେ ଆଜି ଲକ୍ଷ ଲକ୍ଷ ଭିନ୍ନକ୍ଷମଙ୍କ ପାଇଁ ଏକ ଆଶୀର୍ବାଦ ସ୍ବରୂପ ହୋଇପାରିଛନ୍ତି । ସମାଜ ପ୍ରତି ତାଙ୍କର ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ପ୍ରେରଣା। ଓଡ଼ିଶାରେ ଏହି ଅଭିଯାନ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଜୟପୁର ଫୁଟ ଏକ ଅନନ୍ୟ ଉତ୍ପାଦନ ଯାହା ଭିନ୍ନକ୍ଷମଙ୍କୁ ସମ୍ପୂର୍ଣ୍ଣ ସକ୍ଷମ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାକୁ ବ୍ୟବହାର କରି ଜଣେ ଭିନ୍ନକ୍ଷମ ବ୍ୟକ୍ତି ଚାଲିବା, ଦୌଡିବା, ନାଚିବାଠାରୁ ଆରମ୍ଭ କରି ମୋଟରସାଇକେଲ ଓ କାର ମଧ୍ୟ ଚଲାଇ ପାରିବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଭିନ୍ନକ୍ଷମ ଲୋକଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବାପାଇଁ ଏକ ଭ୍ରାମ୍ୟମାଣ ଯାନର ଶୁଭାରମ୍ଭ ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କେନ୍ଦ୍ରରେ ଏମ୍‌ ଖାନ ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା।
ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହିତ କାର୍ଯ୍ୟକାରୀ କରିଚାଲିଛି। ଜୟପୁର ଫୁଟ୍‌ କେନ୍ଦ୍ର ଏ ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଅଭିଯାନ ବୋଲି ସେ କହିଥିଲେ। ସ୍ବାଗତ ଭାଷଣ ଦେଇ ଜୟପୁର ଫୁଟ୍‌ କେନ୍ଦ୍ରର ପ୍ରତିଷ୍ଠାତା ଡ. ଡି.ଆର ମେହେଟ୍ଟା କହିଲେ ଯେ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣ ଆମର ଏକ ସାମାଜିକ ପ୍ରତିବଦ୍ଧତା। ୫୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଏହି ସଂସ୍ଥା ଆଜି ବିଶ୍ବର ଅନେକ ଦେଶରେ ଭିନ୍ନକ୍ଷମମାନଙ୍କୁ ସକ୍ଷମ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି। ଏହି କେନ୍ଦ୍ରରେ ଭିନ୍ନକ୍ଷମ ଲୋକର ବ୍ୟକ୍ତିଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯାଉଛି। ଭ୍ରାମ୍ୟମାଣ ଯାନ ଜରିଆରେ ରାଜ୍ୟର ସବୁ ଜିଲାକୁ ଯାଇ ଭିନ୍ନକ୍ଷମଙ୍କୁ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ଉପସ୍ଥିତ ଥିଲେ। ଜୟପୁର ଫୁଟ୍‌ କେନ୍ଦ୍ରର କାର୍ଯ୍ୟନିର୍ବାହୀ ସଭାପତି ସତୀଶ ମେହେଟ୍ଟା ସ୍ବାଗତ ଭାଷଣ ଦେଇଥିଲେ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଉପଜିଲାପାଳ ଦୀପ୍ତିରଞ୍ଜନ ସେଠି, ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ୧୬ଜଣଙ୍କୁ କୃତ୍ରିମ ଅଙ୍ଗ, ୮ଜଣଙ୍କୁ ଟ୍ରାଇସାଇକଲ, ୧୭ଜଣଙ୍କୁ ହୁଇଲ ଚେୟାର, ୩୩ଜଣଙ୍କୁ ଆଶାବାଡ଼ି, ୪ଜଣଙ୍କୁ ୱାକିଂ ଷ୍ଟିକ ଓ ୫ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories