www.samajalive.in
Sunday, December 7, 2025
23.1 C
Bhubaneswar

ଅଟୋ ଚଲାଇ ନିଜେ ପାଠପଢିବା ସହ ବାପା-ମାଆଙ୍କ ମୁହଁରେ ଦାନା ଦେଉଛନ୍ତି କୁଇନ୍‌

ଚାନ୍ଦିପୁଟ: ପରିବାର ଚଳାଉଛି ପାଠୋଇ ଝିଅ। ପରିବାର ଭରଣପୋଷଣ ଓ ନିଜେ ପାଠପଢି ମଣିଷ ହେବା ପାଇଁ ଅଟୋ ଚଲାଉଛନ୍ତି କୁଇନ୍‌। ବୃଦ୍ଧ ବାପା ମାଆଙ୍କ ପାଇଁ ନିଜର ଖୁସିକୁ ଜଳାଞ୍ଜଳି ଦେଇଥିବା ଝିଅ ବି ପୁଅଠାରୁ କୌଣସି ଗୁଣରେ କମ୍‌ ନୁହେଁ ବୋଲି ସେ ପ୍ରମାଣ କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ୍ ପି.ବନ୍ଧାଗୁଡ଼ା ଗାଁରେ। ଗାଁର କୁଇନ୍ ନାୟକ ଆଜି ପାଲଟି ଯାଇଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା।

ଏନେଇ କୁଇନ୍‌ କୁହନ୍ତି, ‘‘ପୁଅ ଯଦି ସବୁ କିଛି କରି ପାରିବେ, ତେବେ ମୁଁ କାହିଁକି କରିପାରିବି ନାହିଁ । ମୁଁ ଜଣେ ଝିଅ ହୋଇ ଅଟୋ ଚଳାଇବାରେ କୗଣସି ପ୍ରକାର ଲଜ୍ଜା ଅନୁଭବ କରୁନାହିଁ। ମୋ ପାଇଁ ମୋ ପରିବାର ଓ ସାଙ୍ଗସାଥୀ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି।’’ ଅଟୋ ଚଳାଇ ପାଠ ପଢ଼ିବା ସହ ଘରର ଗୁଜୁରାଣ ମେଣ୍ଟାଇ ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ପାଲଟିଛନ୍ତି କୁଇନ୍। କୁଇନଙ୍କ ବୟସ ମାତ୍ର ୨୦ ବର୍ଷ। ବାପା ବଛିଆ ନାୟକ ଓ ମାଆ କନକ ନାୟକଙ୍କ ବୟସ ୬୦ରୁ ଊର୍ଦ୍ଧ୍ବ। ଘରେ ତିନି ଭଉଣୀ, ବଡ଼ ଭାଇ ଓ ବାପା ମାଆଙ୍କୁ ନେଇ ସଂସାର । ହେଲେ ଚାରି ବର୍ଷ ହେଲା ଘରର ବଡ଼ ଭାଇ ବାହା ହୋଇ ଅନ୍ୟତ୍ର ରହୁଥିବା ବେଳେ ଦୁଇ ଭଉଣୀ ମଧ୍ୟ ବାହା ହୋଇ ଶାଶୁଘର ଚାଲିଗଲେଣି । ଏବେ ସାନ ଝିଅ କୁଇନ୍‌ ଘରେ ରହି ବୃଦ୍ଧ ବାପା ମାଆଙ୍କ ସେବା ଯତ୍ନ କରୁଛନ୍ତି।

- Advertisement -

ଦିନ ଥିଲା ବାପା ବଛିଆ ନାୟକ ନିଜ ଅଟୋ ଚଲାଇ ରୋଜଗାର କରି ପରିବାର ଚଳାଉଥିଲେ। ହେଲେ ବୟସ ବଡିବା ସହ ବିଭିନ୍ନ ରୋଗର ଶିକାର ହୋଇ ସେ ଏବେ ଅସୁସ୍ଥ । ଅଟୋ ଚଳାଇବାକୁ ସକ୍ଷମ ନହେବା ଯୋଗୁ ବଛିଆ ଅଟୋକୁ ବିକିଦେବାକୁ ବାହାରିଥିଲେ, ହେଲେ ସାନ ଝିଅ କୁଇନ ଅଟୋ ବିକିବାକୁ ମନା କରିବା ସହ ନିଜେ ଅଟୋ ଚଳାଇବାକୁ ମନ ବଳାଇଥିଲେ। କୁଇନ୍ ବର୍ତମାନ ମୋହନା ହିଲଟପ୍ କଲେଜର +୨ର ଛାତ୍ରୀ । ପରିବାରର ସ୍ଥିତିକୁ ଦେଖି ନିଜ ପାଠ ପଢ଼ିବାର ଖର୍ଚ୍ଚ ତୁଲାଇବା ଓ ବୃଦ୍ଧ ବାପା ମାଆଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ କୁଇନ ଏବେ ଅଟୋ ଚଳାଇ ଦି ପଇସା ରୋଜଗାର କରୁଛନ୍ତି । କଲେଜ୍ ଛୁଟି ପରେ ଅଞ୍ଚଳରେ ସାପ୍ତାହିକ ହାଟରେ ପାସେଞ୍ଜର ନେଇ ଯାହା ପଇସା ମିଳିଥାଏ ସେତିକିରେ ଘର ଚଳାଇବା ସହ ନିଜେ ପାଠ ପଢ଼ୁଛନ୍ତି। ସରକାରୀ ସହାୟତା କହିଲେ କେବଳ ପରିବାରକୁ ୧୫ କିଲୋ ଚାଉଳ ଓ ମାଆଙ୍କୁ ମିଳୁଛି ୫ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା। ହେଲେ ବାପାଙ୍କ ନାଁରେ ଏଯାଏଁ ଲାଗୁ ହୋଇନାହିଁ ଭତ୍ତା ।

କୁଇନଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘର ଖଣ୍ଡେ ନାହିଁ । କୁଇନଙ୍କର ଦୃଢ଼ ମନୋବଳ ଓ ନିଜେ ସ୍ବାବଲମ୍ବୀ ହେବା ଚିନ୍ତା ଧାରା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା ସହ କଲେଜ୍ ତଥା ପଞ୍ଚାୟତ ପାଇଁ ଗର୍ବ ଆଣିଛି। ସରକାର ଏହି ଦୁଃଖୀ ପରିବାରକୁ ଟିକିଏ ସାହାଯ୍ୟ କଲେ ପରିବାର ଭଲରେ ଚଳିପାରିବେ ବୋଲି ପରିବାର ଲୋକେ ଆଶା ରଖିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories