ଏସଟିଏଫ ଚଢଉ ପରେ ନିଦଭାଙ୍ଗିଲା ; ଫେରାର୍ ବାଘ ଶୀକାରୀକୁ ଧରିଲା ବନ୍ୟପ୍ରାଣୀ ବିଭାଗ
ଦେଶୀ ବନ୍ଧୁକ ସହ, ଖପୁରୀ, ହାଡ, ଲୋମ, କଟୁରୀ ଜବତ,ଜଣେ ଗିରଫ
ହରଭଙ୍ଗା : କିଛିଦିନ ତଳେ ବୌଦ୍ଧଜିଲ୍ଲାର ହରଭଙ୍ଗା ଏବଂ ପଲାଶ ଅଂଚଳରୁ ବାଘ ,ହରିଣ, କୁଟୁରା ଭଳି ବନ୍ୟପ୍ରାଣୀ ଚମଡା ସାଙ୍ଗକୁ ଦୁଇଟି ଜୀବନ୍ତ ବଜ୍ରକାପ୍ତା ଏସଟିଏଫ ଜବତ କରିବା ପରେ ବନ ବିଭାଗ ଏବଂ ବନ୍ୟପ୍ରାଣୀ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହୋଇଛି। ଏ ସର୍ମ୍ପକରେ ଗତ ରବିବାର ‘ସମାଜ’ ସଂଖ୍ୟାରେ ଏକ ଅନୁସନ୍ଧାନ ମୂଳକ ଖବର ପ୍ରକାଶ ପରେ ବନ ବିଭାଗ ଏବଂ ବନ୍ୟପ୍ରାଣୀ ବିଭାଗ ଉପରେ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କ ଚାପ ପଡିଛି। ଯାହାର ପ୍ରଭାବରେ ସୋମବାର ବଡିଭୋରରୁ ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞର ବଡଖଜୁରୀ ଗ୍ରାମର ବିଶ୍ୱାମିତ୍ର ଯାନୀ(୩୫)ଙ୍କ ଘରେ ମିଳିତ ଭାବେ ବନ ବିଭାଗ ଏବଂ ବନ୍ୟପ୍ରାଣୀ ବିଭାଗର ଏକ ୧୬ଜଣିଆ ଟିମ୍ ଚଢଉ କରିଥିଲା। ବିଶ୍ୱାମିତ୍ରଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ବାଘର ଖପୁରୀ, କିଛି ହାଡ, ଲୋମ, ଚମଡା, କଟୁରୀ ଜବତ କରିବାରେ ଟିମ ସକ୍ଷମ ହୋଇଛି।
ସୂଚନା ଥାଉ କି ଗତ ଦେଢମାସ ତଳେ ବଡଖଜୁରୀ ଅଂଚଳରୁ ଗୋଟିଏ କଲରାପତରିଆ ବାଘ ଶୀକାର ମାମଲାରେ ବିଶ୍ୱାମିତ୍ର ନାମରେ ବାଣିଗୋଛା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ବିଶ୍ୱାମିତ୍ର ଫେରାରଥିବାରୁ ତାକୁ ଧରିବାରେ ବନ୍ୟପ୍ରାଣୀ ବିଭାଗ ଫେଲ ମାରିଥିଲା। ଏହି ମାମଲାରେ ବିଶ୍ୱାମିତ୍ର ଘରେ ଆଜି ୧୬ ଜଣିଆ ଟିମ୍ ଅଚାନକ ଚଢଉ କରିଥିଲା। ତାକୁ କାବୁ କରିବା ସହିତ ବାଘ ଶୀକାର ସର୍ମ୍ପକରେ ପଚରାଉଚରା କରିଥିଲା। ଶୀକାର ପରେ ଘରଠାରୁ ଦେଢ କିଲୋମିଟର ଦୂରରେ ବାଘର ମୃତଦେହ ପୋତିଥିବା ସ୍ଥାନରୁ ଖପୁରୀ,ହାଡ,ଲୋମ ଇତ୍ୟାଦି ଜବତ କରାଯାଇଛି। ଏହି ଚଢଉ ସମୟରେ ବାଣିଗୋଛା(ପଶ୍ଚିମ) ବନ୍ୟପ୍ରାଣୀ ରେଞ ଅଫିସର ସଂସାର ବର୍ଗୀଆ, ବାଣିଗୋଛା(ପୂର୍ବ) ବନ୍ୟପ୍ରାଣୀ ରେଞ ଅଫିସର ରୁକମଣ ବାରିହା, ଫରେଷ୍ଟର ଗୋଲକ ବିହାରୀ ବେହେରା, ମନୋରଞନ ନାଏକ, ହେମନ୍ତ ମହାକୁଡ, ଜନକ ଯାନୀ, ଶଙ୍କର ଖଣ୍ଡେଇ ଭଳି ବନ୍ୟପ୍ରାଣୀ କର୍ମଚାରୀଙ୍କ ସହିତ ମାଧପୁର ରେଞ ଅଫିସର ପ୍ରବୀଣ କୁମାର ମହାକୁଡ, ଏସିଏଫ ଆଶିଷ କହଁର, ଫରେଷ୍ଟ ଗାର୍ଡ ଦୀପକ ନାୟକ, ପ୍ରଦୀପ ସାହୁ, ପ୍ରକାଶ ପ୍ରଧାନ, ଅର୍ଜ୍ଜୁନ ବେହେରା, ଦୀପକ ପ୍ରଧାନ, ବନ୍ୟପ୍ରାଣୀ କର୍ମଚାରୀ ପ୍ରମୁଖ ସାମିଲ ଥିଲେ। ଏ ସର୍ମ୍ପକରେ ବାଣିଗୋଛା(ପଶ୍ଚିମ) ବନ୍ୟପ୍ରାଣୀ ରେଞ ଅଫିସର ସଂସାର ବର୍ଗୀଆଙ୍କୁ ପଚାରିବାରୁ ଗତ ଦେଢମାସ ତଳେ ବଡଖଜୁରୀ ଅଂଚଳରୁ କଲରାପତରିଆ ବାଘ ଶୀକାର କରିଥିଲା। ବାଘର ମୃତଦେହ ପୋତିବା ପରେ ତାର ଚାରିଟି ପାଦକୁ କାଟାଯାଇଥିଲା। ଏ ଘଟଣାରେ ଅଭିଯୁକ୍ତଙ୍କୁ କାବୁ କରି ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଥିଲେ।
Comments are closed.