ଯନ୍ତ୍ରୀଙ୍କ ବଦଳି ଦାବିରେ ସରପଞ୍ଚଙ୍କ ଅନଶନ
କଙ୍କଡ଼ାଯୋଡ଼ି ପଞ୍ଚାୟତରେ ଉନ୍ନୟନମୁଳକ କାର୍ଯ୍ୟ ବାଧାପ୍ରାପ୍ତ ଅଭିଯୋଗ
ବଡ଼ମ୍ବା: ବଡ଼ମ୍ବା ବ୍ଲକ ଅନ୍ତର୍ଗତ କଙ୍କଡ଼ାଯୋଡ଼ି ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି। ଉପୁଜିଥିବା ସମସ୍ୟା ସଂକ୍ରାନ୍ତରେ ଗ୍ରାମପଞ୍ଚାୟତର ସରପଞ୍ଚ ସୀତା ଦାସ ଏବଂ ୱାର୍ଡ଼ ସଭ୍ୟସଭ୍ୟା ସ୍ଥାନୀୟ ପ୍ରଶାସନ ସମେତ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଏଦିଗରେ କୌଣସି ସୁଫଳ ନମିଳିବାରୁ ପୂର୍ବ ଚେତାବନି ଅନୁଯାୟୀ ଆଜି ଏହାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଓ ଅନଶନ ଦିଆଯାଇଥିଲା। ସରପଞ୍ଚ ଏବଂ ଅନେକ ୱାର୍ଡ଼ସଭ୍ୟ ଏଥିପାଇଁ ସଂପୃକ୍ତ ପଞ୍ଚାୟତଲାଗି ନ୍ୟସ୍ତ ଯନ୍ତ୍ରୀଙ୍କୁ ଦାୟୀ କରିବା ସହିତ ତାଙ୍କର ବଦଳି ଦାବି କରିଥିଲେ।
ସରପଞ୍ଚ ଶ୍ରୀମତୀ ଦାସଙ୍କ ସମେତ ନାଏବ ସରପଞ୍ଚ ହରେକୃଷ୍ଣ ସାହୁ ,ସରପଞ୍ଚଙ୍କ ପ୍ରତିନିଧି ରମେଶଚନ୍ଦ୍ର ଦାସ ଏବଂ ପ୍ରାୟ ୧୨ଜଣ ୱାର୍ଡ଼ ସଭ୍ୟସଭ୍ୟା ଗ୍ରାମବାସୀଙ୍କ ସହିତ ଉକ୍ତ ଅନଶନ ଓ ଗଣଧାରଣାରେ ଯୋଗଦେଇଥିଲେ। ପୂର୍ବତନ ଜିଲାପରିଷଦ ସଦସ୍ୟ ସୂର୍ଯ୍ୟକିଶୋର ମହାନ୍ତି, ବିଜେପି ନେତା ବିଜୟ କୁମାର ଦଳବେହେରା, ମହେନ୍ଦ୍ର କୁମାର ପଢିଆରୀ ପ୍ରମୁଖ ନୈତିକ ସମର୍ଥନ ଜଣାଇ ଉକ୍ତ ଧାରଣାରେ ଯୋଗଦେଇଥିଲେ। କେବଳ କଙ୍କଡ଼ାଯୋଡ଼ି କାହିଁକି ବ୍ଲକର ଅନ୍ୟ କେତକ ପଞ୍ଚାୟତରେ ମଧ୍ୟ ଏଭଳି ସମସ୍ୟା ରହିଛି। ପ୍ରଶାସନ ଏଦିଗରେ ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଅଧିକରୁ ଅଧିକ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବିଜେପି ନେତା ଶ୍ରୀ ଦଳବେହେରା ଏହି ଅବସରରେ କହିଥିଲେ।
ଅପରାହ୍ନରେ ବଡ଼ମ୍ବା ବିଡିଓ ରମେଶ କୁମାର ଜେନା, ଏବିଡିଓ ଯାଜ୍ଞସେନୀ ଗୋଛାୟତ ପ୍ରମୁଖ ଧାରଣାସ୍ଥଳକୁ ଆସି ପଞ୍ଚାୟତ ପ୍ରତିନିଧିଙ୍କ ସହିତ ସେମାନଙ୍କ ଦାବି ଓ ଅଭିଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ସପ୍ତାହକ ମଧ୍ୟରେ ଉକ୍ତ ପଞ୍ଚାୟତରେ ଜଣେ ଅସ୍ଥାୟୀ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବାସହ ଅଭିଯୋଗ ସଂକ୍ରାନ୍ତରେ ତଦନ୍ତ କରାଯାଇ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେବାରେ ଉକ୍ତ ଗଣଧାରଣା ଓ ସରପଞ୍ଚଙ୍କ ଅନଶନ ପ୍ରତ୍ୟାହୃତ ହୋଇଥିଲା ବୋଲି ଜଣାଯାଇଛି।
Comments are closed.