ଆଠଗଡ: ଆଠଗଡ ବ୍ଲକ୍ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ଯରେ ବର୍ଷା ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ କ୍ରୀଡା ଓ ଯୁବସେବା ମନ୍ତ୍ରଣାଳୟ ଅଧୀନ କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନ ସହଯୋଗରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କନ୍ଦରପୁର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରତାପ ଚନ୍ଦ୍ର ଉପାଧ୍ୟାୟ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ କ୍ଷୀରୋଦ ଚନ୍ଦ୍ର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ସୁଧାକର ସାହୁ ଓ ଶିକ୍ଷୟତ୍ରୀ ସଂଗୀତା ମହାପାତ୍ର ଯୋଗଦେଇ ସମଗ୍ର ବିଶ୍ବରେ ଦେଖାଯାଇଥିବା ଜଳ ସଂକଟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାର ସମାଧାନ ପାଇଁ ବର୍ଷାଜଳକୁ କିପରି ସଂରକ୍ଷିତ କରି ରଖା ଯାଇ ତାକୁ ଉପଯୋଗ କରା ଯାଇପାରିବ ସେ ବିଷୟରେ ବିସ୍ତୃତ ଭାବେ ଅବତାରଣା କରିଥିଲେ । ସେହିପରି ଜଳ ଅପଚୟ ରୋକିବା ଓ ଜଳଉତ୍ସ ଗୁଡିକର ସଂରକ୍ଷଣ ଉପରେ ବକ୍ତା ମାନେ ଗୁରୁତ୍ଵାରୋପ କରିଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ,ବକୃତା ଓ ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ଗ୍ରାମର ସର୍ବସାଧାରଣ କାନ୍ଥରେ ସଚେତନତା ଚିତ୍ର କରାଯାଇଥିଲା । ଫ୍ରେଣ୍ଡସ କ୍ଲବ ତରଫରୁ ସଭାପତି ପ୍ରିୟବ୍ରତ ଦାସ, ସମ୍ପାଦକ ଭାସ୍କର ଚନ୍ଦ୍ର ବେହେରା, ତପନ କୁମାର ସାହୁ, ସଂଜୀତ୍ ବାରିକ୍, ପ୍ରଦୀପ କୁମାର ସାହୁ, ପ୍ରକାଶ ଚନ୍ଦ୍ର ଦଳାଇ, ସୂର୍ଯ୍ୟକାନ୍ତ ସେଠି, ଚନ୍ଦନ ନାୟକ ଆଦି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
Popular Categories



