ଆଠଗଡ଼: ଆଠଗଡ଼ ନିର୍ବାଚନ ମଣ୍ଡଳୀ ମହିଳା ବିଜେଡି ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ମହୋତ୍ସବ ପଡ଼ିଆଠାରେ ଏକ ବିଶାଳ ମହିଳା ସମାବେଶ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ତାରିଖରେ ପଡ଼ିଥିବାବେଳେ ସେଦିନ ହୋଲି ଉତ୍ସବ ଥିବାରୁ ମହିଳା ଦିବସ ଏଠାରେ ମହିଳା ବିଜେଡି ପକ୍ଷରୁ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ମହିଳା ସଶକ୍ତିକରଣ, ଲିଙ୍ଗଗତ ସମତା, ସ୍ୱାଧୀନତା ସଂଗ୍ରାମରେ ମହିଳାଙ୍କ ଅବଦାନ ଏବଂ ସାଂପ୍ରତିକ ସାମାଜିକ-ରାଜନୈତିକ ପରିପ୍ରେକ୍ଷୀରେ ମହିଳାଙ୍କ ଭୁମିକା ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଶାନ୍ତିଲତା ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟବକ୍ତା ଭାବେ ନ୍ୟାସନାଲ ଫେଡେରେସନ ଅଫ ଇଣ୍ଡିଆନ ଓମେନ୍ସର କାର୍ୟ୍ୟକର୍ତ୍ତା ଡଃ ଅମୃତା ପାଠକ, ସମ୍ମାନିତ ବକ୍ତା ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ସୁଜାତା ଦାଶ, ଅଡସପୁରସ୍ଥିତ ୟୁଏନ ସ୍ୱୟଂଶାସିତ କଲେଜର ପ୍ରାଧ୍ୟାପିକା ଡଃ ଚିରଶ୍ରୀ ଇନ୍ଦ୍ରଶୀ ଓ ସର୍ବଭାରତୀୟ ଛାତ୍ରସଂଘର ସଭାନେତ୍ରୀ ସଂଘମିତ୍ରା ଜେନା ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ବିଷୟବସ୍ତୁ ଉପରେ ବିସ୍ତୃତ ବ୍ୟାଖ୍ୟାନ କରିଥିଲେ। ଦେଶରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ବେଶ୍ ଆଗରେ ରହି ଅନ୍ୟମାନଙ୍କ ଭିତରେ ଉଦାହରଣ ପାଲଟିଛି। ଲିଙ୍ଗଗତ ଭେଦଭାବ ଆଜିର ଦିନରେ ଆଦୌ ଗ୍ରହଣୀୟ ନୁହେଁ ବରଂ ଲିଙ୍ଗଗତ ସମତା ଆଜିର ଆହ୍ୱାନ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ମହିଳା ବୀରାଙ୍ଗନା ଓ ସଂଗ୍ରାମୀଙ୍କ ଭୂମିକା ଅନସ୍ୱୀକାର୍ୟ୍ୟ ଏବଂ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଆମ ଦେଶରେ ମହିଳାମାନେ ନିଜର ପରାକାଷ୍ଠା ପ୍ରତିପାଦିତ କରିପାରିଛନ୍ତି ବୋଲି ସମସ୍ତ ବକ୍ତା ମତପ୍ରକାଶ କରିଥିଲେ। ଏହି କାର୍ୟ୍ୟକ୍ରମରେ ତିଗିରିଆ ବ୍ଲକ ଅଧ୍ୟକ୍ଷ ସନ୍ଧ୍ୟାରାଣୀ ନାୟକ, ତିଗିରିଆ ମହିଳା ବିଜେଡିି ସଭାନେତ୍ରୀ ରୂପା ଦଳେଇ, ଆଠଗଡ଼ ଏନଏସି ନଗରପାଳ ସସ୍ମିତା ରାଉତ, ଜିଲ୍ଲା ମହିଳା ବିଜେଡି ସଂପାଦିକା ମଧୁସ୍ମିତା ସେଠୀ, ଜିଲ୍ଲା ପରିଷଦ ସଭ୍ୟା ମିନତୀ ଗାଗରାଇ, ସସ୍ମିତା ରାଉତ, ବରିଷ୍ଠ ନେତ୍ରୀ ମିତା ରାଉତ, ନିରୁପମା ଭଞ୍ଜ, ବାସନ୍ତି ରାଉଳ, ରଞ୍ଜିତା ଭକ୍ତାଙ୍କ ସମେତ ବହୁ ମହିଳା ସରପଞ୍ଚ, ସମିତି ସଭ୍ୟ, କାଉନସିଲର ଏବଂ ଆଗଧାଡିର ମହିଳା ବିଜେଡି ନେତ୍ରୀ ଯୋଗଦାନ କରିଥିଲେ।
Popular Categories



