www.samajalive.in
Friday, December 12, 2025
19.1 C
Bhubaneswar

ବିକାଶର କୁହେଳିକା ସାଙ୍ଗେ ଅଭିବୃଦ୍ଧିର ପ୍ରହେଳିକା

ସାରା ବିଶ୍ୱ ସାମ୍ପ୍ରତିକ ପରିସ୍ଥିତିରେ ତିନୋଟି ସଂକଟ; ଅର୍ଥନୈତିକ ମାନ୍ଦାବସ୍ଥା, ଜଳବାୟୁ ପରିବର୍ତ୍ତନ ଓ କରୋନା ମହାମାରୀର ସମ୍ମୁଖୀନ ହୋଇଛି। ପଚିଶ ବର୍ଷର ଅମୃତ କାଳ ପରିକଳ୍ପନା କରି ଇଣ୍ଡିଆ ୭୫ରୁ ଇଣ୍ଡିଆ ୧୦୦କୁ ପରିଣତ କରିବାର ଲକ୍ଷ୍ୟ ଉପରେ ଆଧାରିତ କେନ୍ଦ୍ର ସରକାରଙ୍କ ଏ ବର୍ଷ ବଜେଟ​ରେ‌ ୪୫ ଲକ୍ଷ କୋଟିର ବ୍ୟୟ ବରାଦ କରାଯାଇଛି। ଜାତୀୟ ଆୟକୁ ପାଞ୍ଚ ଟ୍ରିଲିୟନରେ ପହଞ୍ଚାଇବାର ଲକ୍ଷ୍ୟ ସହ ଅଭିବୃଦ୍ଧି ହାର ୭ ପ୍ରତିଶତ ହାସଲ କରିବା, ବିତ୍ତୀୟ ନିଅଣ୍ଟକୁ ୫.୯ରୁ ୪.୫କୁ ହ୍ରାସ ଓ ମୁଦ୍ରାସ୍ଫୀତିକୁ ୬ରୁ ୭ ପ୍ରତିଶତ ସୀମା ଭିତରେ ରଖିବାର ଆଶା ରଖିଛନ୍ତି। ୨୦୨୩-୨୪ ବଜେଟ ମୁଖ୍ୟତଃ ସାତୋଟି ଦିଗକୁ ପ୍ରାଧାନ୍ୟ ଦେଇଛି। ୧) ସମାବେଶୀ ବିକାଶ ୨) ସବୁଜ ଅଭିବୃଦ୍ଧି ୩) ଶେଷ ମାଇଲରେ ପହଞ୍ଚିବା ୪) ଭିତ୍ତିଭୂମି ଓ ପୁଞ୍ଜି ନିବେଶ ବୃଦ୍ଧି ୫) ସମସ୍ତ ସମ୍ଭାବନାକୁ ମୁକ୍ତି ୬) ଯୁବ ଶକ୍ତି ବିନିଯୋଗ ୭) ବିତ୍ତୀୟ କ୍ଷେତ୍ରର ଉନ୍ନତି।
ସାମ୍ପ୍ରତିକ ସଂକଟ ପରିପ୍ରେକ୍ଷୀରେ ଏ ବର୍ଷର କେନ୍ଦ୍ର ବଜେଟକୁ ଅାଲୋଚନା କରିବା ଦରକାର। ପୂର୍ବ ବର୍ଷପରି ଏ ବଜେଟ ବେଶ୍‍ ସଂସ୍କାରଧର୍ମୀ ହୋଇଛି। ଅର୍ଥନୈତିକ ଦୃଷ୍ଟିକୋଣରୁ ବିଚାର କଲେ, ସଂସ୍କାର ଭିତ୍ତିକ ବିକାଶ ଧାରାରୁ ଏହା ଅନୁସୃତ। ଏଇ ବର୍ଷ ଭାରତର ଜାତୀୟ ଆୟ(ଜିଡିପି) ୩.୨୫ ଟ୍ରିଲିୟନ ଡଲାର ହିସାବ କରାଯାଇଛି (ଗତ ବର୍ଷ ଏହା ୨୩୨.୧୫ ଲକ୍ଷ କୋଟି ଟଙ୍କା ଥିଲା), ଯାହାକି ବିଶ୍ୱ ଜିଡିପିର ମାତ୍ର ୩.୨୨ ପ୍ରତିଶତ। ଆୟ ଦୃଷ୍ଟିରୁ ଭାରତ ବିଶ୍ୱର ଷଷ୍ଠ ବୃହତମ ଅର୍ଥ ବ୍ୟବସ୍ଥା ଓ ଅଭିବୃଦ୍ଧି ହାର ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନର ମାନ୍ୟତା ପାଇଛି। ବର୍ତ୍ତମାନର ସରକାର ଉଚ୍ଚ ଅଭିବୃଦ୍ଧି ହାର ଜନିତ ଗୌରବରେ ଅଭିଭୂତ ହୋଇପଡ଼ିଛନ୍ତି ଏବଂ ଏହି ଊର୍ଦ୍ଧ୍ବ ଗତିକୁ ବଜାୟ ରଖିବାର ପ୍ରତିବଦ୍ଧତା ସବୁ ବଜେଟରେ ଘୋଷଣା କରୁଛନ୍ତି। ସବୁ ଦେଶର ଜିଡିପି ପାଞ୍ଚଟି ଉପାଦାନରେ ଗଢ଼ା। ଉପଭୋଗ, ନିବେଶ, ସରକାରୀ ଖର୍ଚ୍ଚ, ରପ୍ତାନି ଓ ଆମଦାନୀ। ଆମଦେଶର ଜିଡିପିରେ ଏବେ ଚାଷର ୧୫.୪ ଅଂଶ, ଶିଳ୍ପର ୨୩ ଓ ସେବାର ୬୧.୫ ଅଂଶ ରହିଛି। ଭାରତର ସ୍ଥାନ ୧୯୯୧ ରେ ଥିଲା ୧୭; କିନ୍ତୁ ଏବେ(୨୦୧୯) ୫ମ ସ୍ଥାନକୁ ଉନ୍ନତି କରିଛି। ଦେଶରେ ମୋଟ ୫୬୧ ନିୟୁତ ଶ୍ରମିକ ମଧ୍ୟରୁ ୪୧.୯ ଚାଷରେ, ୨୬.୧୮ ଶିଳ୍ପରେ ଏବଂ ୩୨.୩୩ ନିୟୁତ ସେବା କ୍ଷେତ୍ରରେ ନିୟୋଜିତ। ପ୍ର‌େ‌ତ୍ୟକ ବର୍ଷ ୮ନିୟୁତାଧିକ ଶ୍ରମିକ ଶ୍ରମ ବଜାରରେ ସାମିଲ ହେଉଛନ୍ତି।
କେନ୍ଦ୍ର ସରକାର ଅଭିବୃଦ୍ଧି ହାର ଲକ୍ଷ୍ୟ ହାସଲକୁ ଅବ୍ୟାହତ ରଖିଛନ୍ତି। ୨୦୨୩-୨୪ ବଜେଟରେ କର୍ପୋରେଟ-ବନ୍ଧୁଭାବାପନ୍ନ ପାରିପାର୍ଶ୍ବିକ ଅବସ୍ଥା ବଜାୟ ରଖିଛନ୍ତି। ବଜେଟରେ କର୍ପୋରେଟ ଟିକସକୁ ୧୮ରୁ ୧୫ ପ୍ରତିଶତ ହ୍ରାସ ଓ ସମ୍ପ୍ରତି ଟିକସ ଉଚ୍ଛେଦ କରାଯାଇଛି। ଆତ୍ମନିର୍ଭର ଭାରତ ନିର୍ମାଣ କରିବା ପାଇଁ ଗତ ବର୍ଷ ୧୪ଟି କ୍ଷେତ୍ରକୁ ନିର୍ଦ୍ଧାରିତ କରିଥିଲେ। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ମାଧ୍ୟମରେ ସାତଟା ଇଂଜିନ (ରେଳ,ରାସ୍ତା, ବନ୍ଦର, ବିମାନ ବନ୍ଦର ,ଗଣ ପରିବହନ ବ୍ୟବସ୍ଥା ଇତ୍ୟାଦି)ର ଉନ୍ନତି କରାଯିବା ଲକ୍ଷ୍ୟ ରଖିଥିଲେ। ସେ ବିଷୟରେ ଚଳିତ ବଜେଟରେ କିଛି ବି ଉଲ୍ଲେଖ ନାହିଁ।
ପରିବେଶ ପ୍ରଦୂଷଣକୁ ୨୦୭୦ ସୁଦ୍ଧା ଶୂନ୍ୟ ସ୍ତରକୁ ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୫୦୦ ନୂଆ ଗୋବର୍ଦ୍ଧନ ପ୍ରକଳ୍ପ ବ୍ୟବସ୍ଥା କରିଛନ୍ତି। ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ ମିଳିତ ଭାବେ କର୍ପୋରେଟ ସେକ୍ଟରକୁ ସେମାନଙ୍କ ପୁଞ୍ଜି ନିବେଶ ସମୟରେ ପରିବେଶ ଓ ଜଳବାୟୁ ସମ୍ବନ୍ଧୀୟ ବିପଦ ଏଡ଼ାଇବା କୌଶଳ ଅବଲମ୍ବନ କରିବାପାଇଁ ସତର୍କ କରାଇବେ। ଚାଷର ଉନ୍ନତି ପାଇଁ ଅମଳ ପରେ ଚାଷ ଉତ୍ପାଦନକୁ ମୂଲ୍ୟଯୁକ୍ତ କରିବାକୁ ପ୍ରସ୍ତାବ ରଖିଛନ୍ତି। କୃଷି କ୍ଷେତ୍ର ଲାଗି ୧୧୫୫୩ କୋଟି ବ୍ୟୟ ବରାଦ କରିଛନ୍ତି , କୃଷି ଋଣ ସୀମା ୨୦ କୋଟିକୁ ବୃଦ୍ଧି କରିଛନ୍ତି କିନ୍ତୁ ଖାଦ୍ୟ ନିରାପତ୍ତା ପାଇଁ ମାତ୍ର ୯୦ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ସାର ଅର୍ଥାନୁକୂଲ୍ୟ ୨୨୫ ରୁ ୧୭୫ ହଜାର କୋଟିକୁ ହ୍ରାସ, କୃଷି ବୀମା ଅନୁଦାନ ୧୫.୫ରୁ ୧୩.୬ ହଜାର କୋଟିକୁ ହ୍ରାସ କରିଛନ୍ତି। ନ୍ୟୂନତମ ସହାୟକ ମୂଲ୍ୟ ବିଷୟରେ ସଂପୂର୍ଣ୍ଣ ନିରବ ରହିବା ବଡ଼ ଆଶ୍ଚର୍ଯ୍ୟ ଲାଗୁଛି।
ସାମାଜିକ କ୍ଷେତ୍ର ପାଇଁ ସମସ୍ତ ବ୍ୟୟ ବରାଦ ସମୁଦ୍ରକୁ ଶଙ୍ଖେ। ଏପରିକି ବର୍ତ୍ତମାନର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ କେବଳ ପୋଷଣୀୟ କରିବାକୁ ମଧ୍ୟ ନିଅଣ୍ଟ ହେବ। ‘ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ’ ଏବେବି ଏକ ରାଜନୈତିକ ଢୋଲପିଟା ଘୋଷଣା। କରୋନାର ତିକ୍ତ ଅନୁଭୂତି ସତ୍ତ୍ବେ ସାଧାରଣ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ବ୍ୟାପକ ଓ ପ୍ରସାରିତ କରିବା ପ୍ରସ୍ତାବ ନାହିଁ। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା କିମ୍ବା ସାମାଜିକ ନିରାପତ୍ତା ପାଇଁ କିଛି ବ୍ୟବସ୍ଥା ନାହିଁ। ଦେଶରେ ବର୍ତ୍ତମାନ ୧୬୬ ଜଣ ବିଲିଓନେୟାର । ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତର ସ୍ଥାନ ପୃଥିବୀରେ ୧୪୫ତମ। ବେରୋଜଗାରୀ, ଦାରିଦ୍ର୍ୟ ଓ ବୈଷମ୍ୟର ବାସ୍ତବ ଚିତ୍ର ସରକାରୀ ତଥ୍ୟଠାରୁ ଅତ୍ୟଧିକ ଉଦ୍‍ବେଗଜନକ। ବଜେଟରେ ସ୍ୱାସ୍ଥ୍ୟ ଓ ଶିକ୍ଷାବ୍ୟବସ୍ଥାକୁ ଅଧିକ ଘରୋଇକରଣ କରିବା ଲକ୍ଷ୍ୟ ରଖାଯାଇଛି। ଶିକ୍ଷା ଓ ସ୍ୱାସ୍ଥ୍ୟର ପ୍ରସାର ଅଧିକ ବଜାର ଭିତ୍ତିକ ହୋଇଚାଲିଛି,କାରଣ ଉଭୟ ଅତି ଲାଭଜନକ ବ୍ୟବସାୟ। କିନ୍ତୁ ଶିକ୍ଷାର ଗୁଣାତ୍ମକ ମାନ ବଢୁ ନାହିଁ। ସାଧାରଣ ରୋଗୀ ଘରୋଇ ଡାକ୍ତରଖାନାରେ ଅତ୍ୟଧିକ ଖର୍ଚ୍ଚ କରି ତଳିତଳାନ୍ତ ହେଉଛନ୍ତି। ଯୋଜନା କିମ୍ବା ଅଣ ଯୋଜନା ଖର୍ଚ୍ଚକୁ ଉତ୍ପାଦକତା ଭିତ୍ତିକ କରାଯାଇନାହିଁ। ସଂଗଠିତ କ୍ଷେତ୍ରରେ ଦରମାକୁ ଉତ୍ପାଦକତା ସଙ୍ଗେ ଯୋଡ଼ାଗଲା ନାହିଁ। ଅନ୍ୟ ପକ୍ଷରେ ସାଧାରଣ ଲୋକଙ୍କ ଜୀବନଧାରଣର ମାନଦଣ୍ଡ, ଗ୍ରାମୀଣ ବିକାଶ ଧାରା, ବେରୋଜଗାରୀ ସମସ୍ୟା କିମ୍ବା ଅନ୍ତର୍ଜାତୀୟ ବାଣିଜ୍ୟରେ ଦେଣନେଣ ଅସନ୍ତୁଳନ ପରି‌େ‌ପ୍ରକ୍ଷୀରେ ଅଲୋଚନା କଲେ ବଜେଟର ଫାଙ୍କା ଆବାଜ ପରିଲଖିତ ହୁଏ। ତେଣୁ ବଜେଟ ଦେଶର ଦୀର୍ଘ କାଳୀନ ଅନ୍ତର୍ଭୁକ୍ତି ବିକାଶର ଅଂଶ ବୋଲି ମନେ ହେଉ ନାହିଁ।
ବିମୁଦ୍ରୀକରଣ ଓ କରୋନା ମହାମାରୀ ଦ୍ୱାରା କ୍ଷୁଦ୍ର-ଅତି କ୍ଷୁଦ୍ର–ମାଧ୍ୟମ ଉତ୍ପାଦନ କ୍ଷେତ୍ର ଅତ୍ୟନ୍ତ ସଂକୁଚିତ ହୋଇ ଯାଇଛି। ତେଣୁ ବଜେଟରେ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା କଥା, କିନ୍ତୁ ତାହା ସମ୍ପୂର୍ଣ୍ଣ ଉପେକ୍ଷିତ। ଅଣ ସଂଗଠିତ କ୍ଷେତ୍ରକୁ କରୋନା ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛି। ସଂଗଠିତ କ୍ଷେତ୍ରରେ ନିଯୁକ୍ତି ଓ ଅଣ ସଂଗଠିତ କ୍ଷେତ୍ରରେ ଆତ୍ମନିଯୁକ୍ତିର କିଛି ବ୍ୟବସ୍ଥା କରାଯାଇ ନାହିଁ। ଆମ ଦେଶପାଇଁ ଆତ୍ମନିର୍ଭର ଭାରତ ନିର୍ମାଣ କରିବା ଅନିବାର୍ଯ୍ୟ କିନ୍ତୁ ଆତ୍ମନିର୍ଭରଶୀଳତା ହେଉଛି ସୌଖୀନ ବ୍ୟାପାର। ସବୁ କ୍ଷେତ୍ରରେ ପିପିପି ପ୍ରକ୍ରିୟାରେ ଉନ୍ନତି କରାଯିବ। ଏହାର ଅର୍ଥ ଦେଶ ସାରା ଘରୋଇକରଣ ପ୍ରକ୍ରିୟା ଅତ୍ୟନ୍ତ ତ୍ୱରାନ୍ବିତ ହେବ। ବଜେଟରେ କେନ୍ଦ୍ରୀୟ ଟିକସର ଅଂଶ ବୃଦ୍ଧି କରାଯାଇଛି। ଯାହାଫଳରେ ରାଜ୍ୟମାନଙ୍କରେ କେନ୍ଦ୍ର ଉପରେ ନିର୍ଭରଶୀଳତା ବୃଦ୍ଧି ପାଇବ। ଭାରତର ସଂଘୀୟ ବ୍ୟବସ୍ଥାରେ ପରୋକ୍ଷ ଟିକସ, ସେବା ଟିକସ ଓ ଦ୍ରବ୍ୟ ଟିକସ ବୃଦ୍ଧି କରାଯିବା ଫଳରେ ରାଜ୍ୟମାନଙ୍କର ବିତ୍ତୀୟ ସ୍ୱାୟତ୍ତ ବ୍ୟାଘାତ ହେବ। ଏହା ଫଳରେ ଭାରତର ସଂଘୀୟ ବ୍ୟବସ୍ଥା ଦୁର୍ବଳ ହେବ। ବିକେନ୍ଦ୍ରୀକରଣ ପରିବ​‌େ​‌ର୍ତ୍ତ ଉଦାରୀକରଣ ନୀତି ଦ୍ୱାରା କ୍ଷମତା ଓ ଅର୍ଥ କେନ୍ଦ୍ରୀଭୂତ ହେବ।
ସାରା ବିଶ୍ୱରେ ସର୍ବାଧିକ ଅର୍ଥନୈତିକ ବୈଷମ୍ୟ ହେଉଛି ଭାରତରେ। ଉପର ସ୍ତରର ୧ ପ୍ରତିଶତ ଲୋକେ ସମଗ୍ର ଦେଶର ଆୟର ୭୭ ଭାଗର ଅଧିକାରୀ। ଜିଏସ୍‍ଟିରେ ଅସ୍ଥିରତା ଲାଗି ରହିଛି କିନ୍ତୁ ଦେଶରେ ମୁଦ୍ରାସ୍ଫୀତି ହାର ଅନବରତ ବୃଦ୍ଧି ପାଉଛି। ମୁଦ୍ରାସ୍ଫୀତି ଯୋଗୁ ଲୋକଙ୍କର କ୍ରୟଶକ୍ତି ଅନବରତ କମି କମି ଯାଉଛି। ପ୍ରତି ବର୍ଷ ବିନିବେଶ ଲକ୍ଷ୍ୟ କେବେ ପୂରଣ ହୋଇ ପାରୁନାହିଁ। ଭାରତର ପ୍ରଯୁକ୍ତି କ୍ଷେତ୍ରର ପ୍ରସାରଣ ସାରା ପୃଥିବୀରେ ଅଭୂତପୂର୍ବ। ଉଚ୍ଚ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ ଅବଦାନ ଅଛି। କିନ୍ତୁ ଶିଳ୍ପକ୍ଷେତ୍ରରେ ପ୍ରତିବଦ୍ଧତା ସନ୍ତୋଷଜନକ ନୁହେଁ। ଆଜିଯାଏ ଭାରତ କେବେ ଶିଳ୍ପାୟନରେ ସଫଳତା କିମ୍ବା ବୈଜ୍ଞାନିକ ଉତ୍କୃଷ୍ଟରେ ପକ୍ୱତା ଅର୍ଜନ କରିପାରିଲା ନାହିଁ। ଭାରତର ସ୍ଥାନ ଦୁର୍ନୀତି ସୂଚକାଙ୍କ ଅନୁସାରେ ୮୫ ତମ। ସାଧାରଣ ଲୋକେ ବିଶେଷ କରି ଗ୍ରାମ ବାସିନ୍ଦା କିଳାପୋତେଇ ନ ଦେଲେ କିଛି ପାଉନାହିଁ। ନେତା, କଣ୍ଟ୍ରାକ୍ଟର, ଅମଲାତନ୍ତ୍ରଙ୍କ ବିଷାକ୍ତ ମେଣ୍ଟର ବଳୟ ଭାଙ୍ଗି ସାଧାରଣ ଲୋକ ତାର ନ୍ୟାଯ୍ୟ ଅଧିକାର/ ପ୍ରାପ୍ୟ ପାଏ ନାହିଁ। ଏ ସମସ୍ୟାର ପ୍ରତିବାଦ କରିବାର ସେମାନଙ୍କର କ୍ଷମତା ମଧ୍ୟ ନଥାଏ। ନାଗରିକ ସଶକ୍ତୀକରଣ ସମ୍ପୂର୍ଣ୍ଣ ଅବାସ୍ତବ କଥା ହୋଇଯାଇଛି।
ସଂସ୍କାର ଭିତ୍ତିକ ବିକାଶର ଚିତ୍ର ଖୋଜିଲେ, ମନେ ହୁଏ ଯେପରି ବିକାଶ ଦିଗହୀନ ଓ ବଜେଟ ଲକ୍ଷ୍ୟହୀନ। ଶାସନତନ୍ତ୍ରର ଅପାରଗତା ଓ ଦୁର୍ନୀତି ଭିତରେ ସବୁ କଲ୍ୟାଣକାରୀ ଯୋଜନାରେ ସାଧାରଣ ଲୋକ ବିଶେଷ ଉପକୃତ ହୁଅନ୍ତି ନାହିଁ। କାରଣ ଏସବୁ ‘ଥାଳ ସଭ୍ୟତା’ ଓ ‘ଊର୍ଦ୍ଧ୍ବ-ଅଧଃ’ ସନ୍ତୁଷ୍ଟୀକରଣ ଅନୁଚିନ୍ତାରୁ ଅନୁସୃତ। ସପୂର୍ଣ୍ଣ ବଜେଟ ବଜାର ଭିତ୍ତିକ ସଂସ୍କାର ଉପରେ ଆଧାରିତ ହୋଇଥିବାରୁ ଏହା ସହର-ଗ୍ରାମ୍ୟ ଜୀବନ ମାନଦଣ୍ଡର ବ୍ୟବଧାନ ଓ ଧନୀ-ଗରିବର ବ୍ୟବଧାନ ବେଶି ବୃଦ୍ଧି କରିବାରେ ସାହାଯ୍ୟ କରିବ। ତେଣୁ ବିକାଶ ଲୋକାଭିମୁଖୀ ଓ ଗ୍ରାମାଭିମୁଖୀ ହେବା ଉଚିତ। ବିକାଶ ପ୍ରକ୍ରିୟାରେ, ନାଗରିକର ଅଧିକାର/ଭାଗୀଦାରିତା ରହିବା ଉଚିତ; ହିତାଧିକାରୀ ଭାବେ ନୁହେଁ। ତେଣୁ ସରକାର ସୁଶାସନ ପହଞ୍ଚାଇବା ସହ ବିକାଶ ପ୍ରକ୍ରିୟାରେ ସାଧାରଣ ଲୋକଙ୍କୁ ସାମିଲ କରିବା ଜରୁରୀ।

କୁମାର ବର ଦାସ
ପୂର୍ବତନ କୁଳପତି,
ଫକିରମୋହନ ବିଶ୍ବବିଦ୍ୟାଳୟ
ଦୂରଭାଷ:୯୪୩୭୧୪୪୩୭୫

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories