ପ୍ରତିନିଧିଙ୍କ ଭାଉକଷା

ଉତ୍ସର୍ଗୀକୃତ ବିଧାୟକମାନଙ୍କୁ ଅନଙ୍କୁଶିତ ‘କ୍ରେଡିଟ କାର୍ଡ’ ଦିଆଯାଉ। ଇଚ୍ଛାନୁଯାୟୀ ଟଙ୍କା ଉଠାଇବେ ଓ ଏହି ଅର୍ଥ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ରାଜସ୍ବରୁ ଭରଣା କରାଯାଉ।

‘ଯେ ପକ୍ଷୀ ଉଡ଼େ ଯେତେ ଦୂର ସେ ଜାଣେ ତହିଁର ବେଭାର,’ ସଂସ୍କୃତରେ ଏ କଥାର ଏକ ପ୍ରତିଧ୍ବନ୍ୟାତ୍ମକ ଶ୍ଳୋକ ହେଲା, ‘ନ ହି ବନ୍ଧ୍ୟା ବିଜାନାତି ଗୁର୍ବୀ ପ୍ରସବବେଦନା।’ ସତରେ ବି ବନ୍ଧ୍ୟା କାହୁଁ ଜାଣିବ ପ୍ରସବ ଯନ୍ତ୍ରଣା ? ୟେ ଅନୁଭବର କଥା। ଏଥିକୁ ତର୍କ କି ଆବଶ୍ୟକ? କାର୍ଯ୍ୟର ଗ୍ରହଣୀୟତା, କ୍ଳିଷ୍ଟତା କାର୍ଯ୍ୟ କରୁଥିବା ବ୍ୟକ୍ତି ଜାଣେ। ଆଠ ଘଣ୍ଟା କାର୍ଯ୍ୟ କରୁଥିବା ମୂଲିଆ ଚାରିଶହ ଟଙ୍କା ପାଉଥିବାବେଳେ, ସେତିକି ସମୟରେ ଜଣେ ଇଞ୍ଜିନିୟର, ବୈଜ୍ଞାନିକ ସାଧାରଣତଃ ଚାରି ପାଞ୍ଚହଜାରରୁ ବେଶୀ ପାଆନ୍ତି। ଶାରୀରିକ ଶ୍ରମଠୁ ମାନସିକ ଶ୍ରମ ଅଧିକ ଗୁରୁ ବୋଲି ଜଣାଯାଏ। କାର୍ଯ୍ୟବୋଧର ଭାରରୁ ଜଣଙ୍କର ଆବଶ୍ୟକତା କଳାଯାଏ। ରେଳଗାଡ଼ିର ଗୋଟିଏ ଇଞ୍ଜିନ ଥାଏ, ମାତ୍ର ବେଳେବେଳେ ଦୁଇଟି ଇଞ୍ଜିନ ଦେଖାଯାଏ। ଆରେ ବାବୁ, ଗୋଟିଏ ଇଞ୍ଜିନ ଯେତେ ଡବା ଟାଣି ପାରିବ, ତା’ଠୁ ଅଧିକ ଡବା (ବଗି) ଲାଗିଲେ ଅଧିକ ଇଞ୍ଜିନ ଲାଗିବ ହିଁ ଲାଗିବ। ଏବେ ଆମ ବିଧାନସଭାରେ ମାନ୍ୟବର ବିଧାୟକମାନେ ସେମାନଙ୍କ ଭତ୍ତା ବୃଦ୍ଧି ପାଇଁ ସର୍ବସମ୍ମତ ଦାବି ଉପସ୍ଥାପନ କରିଛନ୍ତି। ସବୁଠୁ ଆନନ୍ଦର କଥା ଯେ, ପ୍ରତ୍ୟହ ରାଜ୍ୟ ବିଷୟକ କୌଣସି ସମସ୍ୟାରେ, ପ୍ରସଙ୍ଗରେ ଏମାନେ ପରସ୍ପର ଠେଲାପେଲା, ଯୁକ୍ତିତର୍କ କରୁଥିବାବେଳେ ଏ ବିଷୟରେ ନାହିକଟା ଭାଇ ଭଳି ଏକାଠି ହୋଇ ଯାଇଚନ୍ତି। ‘ମଇଁଷି ଶିଙ୍ଘଟି ଫଟା ଯୁଝିଲା ବେଳକୁ ଗୋଟା’। ମାତ୍ର ଏଙ୍କର ‘ସବୁ କଥାରେ ଫଟା, ଭତ୍ତା ବିଷୟରେ ଗୋଟା।’ ଭଲ କଥା। ଇୟେ ସବୁ ଗହନ କଥା। ସାଧାରଣ ସରଳ ଭୋଟରଟିଏର ବୋଧଗମ୍ୟ ନୁହେଁ। ଜଣେ କହିଲା, ଆରେ ଆମ ଗାଁର ବକରା ସାତ ପୁରୁଷ ହେଲା ମାଟି ଛପର ଚାଳଘରେ ଥିଲା। ଜରୁରୀ କାମ ପାଇଁ ମାଗିମୁଗା କରି ସାଇକୁଲଟେ ନିଏ। ଆମ ବିଧାୟକଙ୍କ ଦିହଲଗା ଭୃତ୍ୟ ବନିଗଲାଠୁ ତା’ ଭାଗ୍ୟ ବଦଳିଗଲା ଜାଣ। ସେ ପୁଣି ଟିକଟ ପାଇବା ପରେ ମାନ୍ୟବର ବିଧାୟକ ବନିଗଲା। ତା’ପରେ ସେ ଗାଁକୁ ଆସିଲେ, ଆଉ ଘରକୁ ଆସିଲା ନାହିଁ। ଦିନେ ରାସ୍ତା ଉପରେ ଠିଆ ହୋଇ ପାଟି ଆଁ କରି ଚାହୁଁଥିବା ସରକାରୀ ଡାକ ବଙ୍ଗଳାରେ ରହିଲା। ତା’ ପାଇଁ ସବୁ ରିଜର୍ଭ ଜାଣ। ତା’ପରେ ଚାରି ଚକିଆଟେ କିଣିଲା, ଇୟେ କେମିତି ଘଟିଲା ବୋଲି ଅବୋଧ୍ୟ ଭୋଟର ଗୁରୁ ଗୁରୁ ହୋଇଥାଏ। ବକରା ଏବେ ତା’ ପୁଅମାଇପଙ୍କ କଥାରେ ଆଉ ଦେଇପାରିଲାନି ମୁଣ୍ଡ। ବିଧାନସଭାଟା କେଡ଼େ ବଡ଼ ସ୍ଥାନ! ଆମ ରାଜ୍ୟର ହାନିଲାଭ, ବିକାଶ ଆଦି ଯାବତୀୟ ସମସ୍ୟା ସେଥିରେ ଆଲୋଚନା ହୁଏ। ଏପରି କି କାଲିର ମିତ୍ର ଥିବା ଜଣେ ବିଧାୟକଙ୍କ ସହ, ରାଜ୍ୟ ପାଇଁ କେବଳ ସେ ଠେଲାପେଲା, ଗାଳି ବେଜିତ୍‌ କରେ। କି ତ୍ୟାଗ ଓ ବଳ ଲୋ ବୋପା! ଏଥିକୁ ବକରା ବୁଦ୍ଧି କୋଉ ପାଇବ? ତେଣୁ ତାଙ୍କଠି ରଜା ବା ନେତାର ସ୍ବାଚ୍ଛନ୍ଦ୍ୟ ଡବଲ ଇଞ୍ଜିନ ଲାଗିବା ଜରୁରୀ। ମନ୍ତ୍ରୀ ମହୋଦୟ, ବିଧାୟକ ମହୋଦୟଙ୍କ ଅଧସ୍ତନ ସଚିବ ପୁଣି ତାଙ୍କ ଭତ୍ତାର ଦି ତିନିଗୁଣ ପାଆନ୍ତି। ଇୟେ କି ଶୋଭନୀୟ କଥାଟେ! ସେଥିପାଇଁ, ଏ ଗୁରୁତର କର୍ମଜାଲ ଓ ଦାୟିତ୍ବ ସମ୍ଭାଳିବା ପାଇଁ, ପ୍ରେଷ୍ଟିଜ୍‌ (ମର୍ଯ୍ୟାଦା) ପାଇଁ ମାନ୍ୟବର ବିଧାୟକମାନଙ୍କ ଭତ୍ତା ବଢ଼ିବା ପାଇଁ ସେମାନେ ବିଧାନସଭାରେ ମେଣ୍ଟ ହୋଇ ସର୍ବସମ୍ମତ ପ୍ରସ୍ତାବ ଆଣିଛନ୍ତି। କିଛି ବୁଝୁ ନ ଥିବା ଜଣେ ଭାବପ୍ରବଣ ନିର୍ବୋଧ ଭୋଟର କହିଲା, ‘ଆରେ ଏମାନେ ସବୁ ଜନତାର ସେବକ, ଲୋକ ପ୍ରତିନିଧି, ସେମାନେ ଭତ୍ତା ବଢ଼ାଇବା ଦାବି କରୁଛନ୍ତି, ଫେଣେ ଲାକ୍ଷେ ଟଙ୍କାରୁ କମ୍‌ରେ କୁଆଡେ ଚଳିହେବନି କହୁଛନ୍ତି। ଦେଶଟାକୁ ଲୁଟିକରି ଦେବେ ନା କ’ଣ। ଏବେ ଦରମା ବାଦ ମାଗଣା ଘର, ଗସ୍ତଖର୍ଚ୍ଚ ଆଦି ପାଉଛନ୍ତି। ସେଥିରେ ପୁଣି ଜନତାର କାମ ପାଇଁ ବିଧାୟକ ହାତପାଣ୍ଠି ଖର୍ଚ୍ଚ କରୁଛନ୍ତି। ଏ ଟଙ୍କା ଖର୍ଚ୍ଚରେ ଭାଗ ବଣ୍ଟାବଣ୍ଟି ହେଉଛି ବୋଲି ଦୁର୍ଜନେ କେବଳ କହୁଛନ୍ତି, ସୀତାଙ୍କୁ ତ ଏମାନେ ଛାଡ଼ିଲେନି, ଆଉମାନଙ୍କ କଥା କ’ଣ କହିବ?’
ଦିନ ଥିଲା ଉତ୍କଳ ଗୌରବ ମଧୁସୂଦନ ମନ୍ତ୍ରିପଦ ଛାଡ଼ିଦେଲେ। କହିଲେ, ‘ଜନତାର ସେବକ, ନିର୍ବାଚିତ ଲୋକ ପ୍ରତିନିଧି କୌଣସି ଦରମା ବା ଭତ୍ତା ନେବା ଉଚିତ ନୁହଁ।’ ସେଥିପାଇଁ ଲେଖିଲେ, ‘ଜାତିର ଉନ୍ନତି ସେ କାହିଁ କରିବ ସ୍ବା​‌େ​ର୍ଥ ଯାର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ ?’ ଆରେ ବାବୁ ଛାଡ଼ ସେ କଥା। ସେ କାଳ ପଖାଳ ଗଲାଣି। ମଧୁ ବାରିଷ୍ଟରଙ୍କୁ ଓକିଲାତିରେ ଢ଼େର ମିଳୁଥିଲା। ମାତ୍ର ଆମ ବକରାବାବୁଙ୍କ ପରି ଅନ୍ୟ ଧନ୍ଦା ଏଙ୍କର ସବୁ କାଇଁ? ଥିଲେ କାଁ ଭାଁ କାହାର ଜଣେ ଅଧେଙ୍କର ଥିବ। ଅବଶ୍ୟ ତତ୍ତ୍ବ ବଖାଣିଲେ ନାନା କଥା ଉଠିବ। ଇଂରାଜୀ ଅର୍ଥନୀତିଜ୍ଞ ଜେ.ଏସ୍‌.ମିଲ୍‌ କହିଲେ, ‘Man does not want to be rich but to be richer than others. ମହାତ୍ମା ଗାନ୍ଧୀ କହିଲେ, ‘I shall minimise myself to Zero.’ ‘ମୋ ନିଜ ଚାହିଦାକୁ ମୁଁ ଶୂନ୍‌କୁ କମେଇ ଦେବି’, ଛାଡ଼ନ୍ତୁ, ଡାମ୍ଫଣ ଅଗରେ ଘିଅ ଖାଇବା ଯୁଗ ନାହିଁ।
ଏବେ ଆମ ମାନ୍ୟବର ଉତ୍ସର୍ଗୀକୃତ ବିଧାୟକମାନଙ୍କ ପାଇଁ ଏକ ସର୍ବନିମ୍ନ ଭତ୍ତା ସ୍ଥିର କରାଯାଉ। ଏତଦ୍‌ ବ୍ୟତୀତ ତାଙ୍କୁ ଅନଙ୍କୁଶିତ ‘କ୍ରେଡିଟ କାର୍ଡ’ ଯୋଗାଇ ଦିଆଯାଉ। ସେମାନେ ତାଙ୍କ ଇଚ୍ଛାନୁଯାୟୀ ଆବଶ୍ୟକ ମତେ ଏଥିରେ ଟଙ୍କା ଉଠାଇ ପାରିବେ ଓ ଏହି ଅର୍ଥ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ରାଜସ୍ବରୁ ଭରଣା କରାଯାଉ। ଏଥିରେ ଲୋକେ ବି ହେଜିବେ ତାଙ୍କ ପ୍ରିୟ ବିଧାୟକଙ୍କ ଖର୍ଚ୍ଚ ପାଇଁ ସେମାନେ କେତେ ଅର୍ଥ ଦେଲେ। ଏହା ସଚେତନତା ଓ ସମ୍ମାନବୋଧ ଉଭୟ ମାନ୍ୟବର ବିଧାୟକ ଓ ଭୋଟର ବନ୍ଧୁମାନଙ୍କ ମଧ୍ୟରେ ସୃଷ୍ଟି କରିବ। ପ୍ରଜାଏ ବା ଭୋଟରେ ଏବେ ଖର୍ଚ୍ଚ ତୁଲାନ୍ତୁ। କାଳକୁ କାଳ ଏହି ମତେ ପରମାନନ୍ଦ ଏ ଜଗତେ। ୟେ ପରା ଗଣତନ୍ତ୍ର।

Comments are closed.