‘ବୈଭବ ଭୂମି କେନ୍ଦୁଝର’ ଶୀର୍ଷକ ଆଭାସୀ ଆଲୋଚନାଚକ୍ର
କେନ୍ଦୁଝରଗଡ଼: ସୃଜନୀ ପରିବାର ଚେନ୍ନାଇ ପକ୍ଷରୁ ‘ବୈଭବ ଭୂମି କେନ୍ଦୁଝର’ ଶୀର୍ଷକ ଆଲୋଚନାଚକ୍ର ଆଭାସୀ ଯୋଗେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଆ ଭାଷା ସଂସ୍କୃତି ଗବେଷକ କବି ଦେବାଶିଷ ଚକ୍ରବର୍ତ୍ତୀ, ଚାରିଗଡ଼ ମହାବିଦ୍ୟାଳୟ ତେଲକୋଇର ପ୍ରାଧ୍ୟାପକ ଡ.ପାଣ୍ଡବ ଚରଣ ସାହୁ, ବିଶିଷ୍ଟ ସାହିତ୍ୟିକ ତଥା କବି କୈଳାସ ଚନ୍ଦ୍ର ସାହାଣୀ ଏହି ଆଭାସୀ ଆଲୋଚନାଚକ୍ରରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଆକାଶବାଣୀ ଓ ଦୂରଦର୍ଶନ କଣ୍ଠଶିଳ୍ପୀ ବିଦ୍ୟୁତପ୍ରଭା ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ସୃଜନୀ ପରିବାର ଚେନ୍ନାଇର ସମ୍ପାଦକ ଅଶୋକ ସାମନ୍ତ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିବାରର ମୁଖ୍ୟ ଉପଦେଷ୍ଟା ଆଶୁତୋଷ ସାମନ୍ତସିଂହାର ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ପ୍ରାରମ୍ଭରେ ବରେଣ୍ୟ ସାହିତ୍ୟ ସାଧକ ଦେବାଶିଷ ଚକ୍ରବର୍ତ୍ତୀ ପ୍ରାଚୀନ ଓଡିଆ ସାହିତ୍ୟକୁ କେନ୍ଦୁଝରର ଅବଦାନ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। କେନ୍ଦୁଝରର ପ୍ରାଚୀନ ଓଡିଆ ସାହିତ୍ୟ ସମ୍ପର୍କରେ ଅନେକ ଅନାଲୋଚିତ ଦିଗକୁ ଶ୍ରୀ ଚକ୍ରବର୍ତ୍ତୀ ଚମତ୍କାର ଭାବେ ବର୍ଣ୍ଣନା କରିଥିଲେ। ଚାରିଗଡ଼ ମହାବିଦ୍ୟାଳୟ ତେଲକୋଇର ପ୍ରାଧ୍ୟାପକ ଡ.ପାଣ୍ଡବ ଚରଣ ସାହୁ ଆଲୋଚନାରେ ଅଂଶଗ୍ରହଣ କରି ‘କେନ୍ଦୁଝର ଲୋକ ଗୀତରେ ଜୀବନଚର୍ଯ୍ୟା’ ପ୍ରସଙ୍ଗରେ ଉପାଦେୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବିଶିଷ୍ଟ ସାହିତ୍ୟିକ ତଥା କବି କୈଳାସ ଚନ୍ଦ୍ର ସାହାଣୀ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ‘କେନ୍ଦୁଝରର କୋହ୍ଲ ଜାତି ଓ ହୋ ଭାଷାର ଇତିବୃତ୍ତି’ ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସୃଜନୀ ପରିବାର ଚେନ୍ନାଇର ଦୁଇ ବିଦ୍ୱାନ ଉପଦେଷ୍ଟା ପ୍ରଫେସର ଗୋଦାବରୀଶ ମିଶ୍ର ଓ ଡାକ୍ତର ବାସନ୍ତୀ ମହାନ୍ତି ଯୋଗଦେଇ ଚିରାଚରିତ ଢ଼ଙ୍ଗରେ ମାର୍ଗଦର୍ଶନ କରିଥିଲେ। କବି ସୁଜିତ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଭାସୀ ଆଲୋଚନାଚକ୍ରରେ କେନ୍ଦୁଝରର ବହୁ କବି, ସଞ୍ଜିବନୀ ସାହିତ୍ୟ ସଂସଦର କର୍ମକର୍ତ୍ତା, ଡମ୍ବରୁଚରଣ ମହାନ୍ତଙ୍କ ସମତ କେନ୍ଦୁଝର ଜିଲା ଓ ଜିଲା ବାହାରୁ ବହୁ ସାହିତ୍ୟିକ ଯୋଗ ଦେଇଥିଲେ। କୁନୀ କଣ୍ଡଶିଳ୍ପୀ ସାମ୍ପ୍ରତିକା ସାହାଣୀ ଉଦ୍ଯାପନୀ ସଙ୍ଗୀତ ପରିବେଷଣ କରିଥିବା ବେଳେ ଶେଷରେ ବରିଷ୍ଠ କବି ରମେଶ ଚନ୍ଦ୍ର ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.