ଶାସ୍ତ୍ରୀୟ ଓଡ଼ିଆ ଗବେଷଣାର ରୂପରେଖ
୨୦୧୪ ଆଜିର ଦିନରେ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ଭାବରେ ସ୍ୱୀକୃତି ପାଇବା ପରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ଭାଷା ସଂସ୍ଥାନ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ସ୍ଥାପିତ ହୋଇଛି। ଏଠାରେ ନିଯୁକ୍ତ ଗବେଷକମାନେ ଓଡ଼ିଆ ଭାଷାର ପ୍ରାଚୀନ ଉପାଦାନ ଓ ଶାସ୍ତ୍ରୀୟ ଗ୍ରନ୍ଥକୁ ନେଇ ଭାଷାତାତ୍ତ୍ୱିକ ବିଶ୍ଳେଷଣ କରିଛନ୍ତି। ଓଡ଼ିଆ ଅଭିଲେଖ, ଚର୍ଯ୍ୟାପଦ, ମାଦଳାପାଞ୍ଜି, ରୁଦ୍ରସୁଧାନିଧି, ଚଉତିଶା ଓ ପ୍ରଥମ ଓଡ଼ିଆ ଅଭିଧାନ ଉପେନ୍ଦ୍ର ଭଞ୍ଜଙ୍କ ‘ଗୀତାଭିଧାନ’ ଆଦି ପ୍ରାଚୀନ ଗ୍ରନ୍ଥର ପାଠ ଅନୁଶୀଳନ କରି ପ୍ରତ୍ୟେକର ଶବ୍ଦ ବିଧାନ ପ୍ରସ୍ତୁତ କରାଯାଇଛି। ଏହା ପରେ ସେହି ଶବ୍ଦ ଉପାଦାନକୁ ଭାଷାବିଜ୍ଞାନ ଦୃଷ୍ଟିରୁ ଆଲୋଚନା କରି ତା’ର ଆଦିମ ଓ ମୌଳିକ ବୈଶିଷ୍ଟ୍ୟ ନିରୂପଣ କରାଯାଇ ପାରିବ। ଏସବୁ ଗବେଷଣା କାର୍ଯ୍ୟରୁ ପ୍ରସୂତ ଛ’ଟି ଗ୍ରନ୍ଥ ଆଜିର ‘ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ’ରେ ମାନ୍ୟବର ରାଜ୍ୟପାଳଙ୍କ ହସ୍ତରେ ଲୋକାର୍ପିତ ହେବ। ଏହିସବୁ ଗବେଷଣା କାର୍ଯ୍ୟର ରୂପରେଖ ବିଷୟରେ ଆଲୋଚନା କରିବା ପାଇଁ ଦୀର୍ଘ ପ୍ରବନ୍ଧର ପ୍ରୟୋଜନ। ବର୍ତ୍ତମାନ ଏଠାରେ ସଂକ୍ଷିପ୍ତ ଭାବରେ ଏକ ସୂଚନାତ୍ମକ ବିବରଣୀ ପ୍ରଦାନ କରାଯାଉଛି।
ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଖୋଦିତ ସମ୍ରାଟ ଅଶୋକଙ୍କ ‘ଧଉଳି’ ଓ ‘ଜଉଗଡ଼’ ଶିଳାଲେଖଠାରୁ ପଞ୍ଚଦଶ ଶତାବ୍ଦୀରେ କପିଳେନ୍ଦ୍ରଦେବଙ୍କ ପୁରୀ ମନ୍ଦିର ‘ଜୟ ବିଜୟ’ ଶିଳାଲେଖ ପର୍ଯ୍ୟନ୍ତ ଅଭିଲେଖରୁ ଅବିକଳ ଓଡ଼ିଆ ଶବ୍ଦ ଉଦ୍ଧାର କରି ଶିଳାଲେଖ ଆଧାରରେ ପ୍ରାଚୀନ ଓଡ଼ିଆ ଭାଷାର ବିକାଶକ୍ରମ ଆଲୋଚିତ ହୋଇଛି। ଏ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ଡଃ କୁଞ୍ଜବିହାରୀ ତ୍ରିପାଠୀ। ଧଉଳି ଅନୁଶାସନରୁ ‘କଳେ’, ‘ପଛା’, ‘ଦାସ’, ଜଉଗଡ଼ ଅନୁଶାସନରୁ ‘ମଣିଷ’, ‘ବାହ୍ମୁନ’, ‘ସିରି’, ‘ପୁତ’, ‘ସତ’ ଓ ଖ୍ରୀ.ପୂ. ପ୍ରଥମ ଶତାବ୍ଦୀର ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରୁ ‘ଜୁଗେ’, ‘ପକାଇ’, ‘ସିତଳ’, ‘ସୁଭ’, ‘ଦୁତିୟେ’, ‘ନତ’, ‘ପଣାଳିଂ’, ‘ଭିଖୁ’, ‘ବାହିନି’ ପ୍ରଭୃତି ଶବ୍ଦ ଉଦ୍ଧାର କରାଯାଇଛି। ଏହି ଶିଳାଲେଖଗୁଡ଼ିକ ପାଲିଭାଷାରେ, ବ୍ରାହ୍ମୀଲିପିରେ ଖୋଦିତ ହୋଇଥିଲେ ମଧ୍ୟ ଏହିସବୁ ଶବ୍ଦକୁ ଆଧାର କରି ସେହି ସମୟରେ ପ୍ରତ୍ନ-ଓଡ଼ିଆ ଭାଷାର ସନ୍ଧାନ କରାଯାଇପାରେ।
ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ନେପାଳ ଦରବାରରୁ ଚର୍ଯ୍ୟାଗୀତିକା ସଂଗ୍ରହ କରି ଆଣିବା ପରେ ପୂର୍ବଭାରତର ସବୁ ଭାଷା ତାହାକୁ ନିଜନିଜର ପ୍ରଥମ ରଚନା ବୋଲି ଦାବି କରୁଛନ୍ତି। କିନ୍ତୁ ଏହି ରଚନାର ଭାଷାତାତ୍ତ୍ୱିକ ବିଶ୍ଳେଷଣ ତାହାର ପ୍ରକୃତ ସ୍ୱରୂପ ପ୍ରମାଣ କରିପାରିବ। ବଙ୍ଗଳାରେ ହରପ୍ରସାଦ ଶାସ୍ତ୍ରୀ, ସୁକୁମାର ସେନ୍ଙ୍କଠାରୁ ଆରମ୍ଭ କରି ନୀଲରତନ ସେନ୍ଙ୍କ ପର୍ଯ୍ୟନ୍ତ ବହୁ ଗବେଷକ ଏହାକୁ ନେଇ ବିଚକ୍ଷଣ ଗବେଷଣା କାର୍ଯ୍ୟ କରିଛନ୍ତି। ଓଡ଼ିଆରେ ମାତ୍ର ଦୁଇଜଣ ଗବେଷକ ଡଃ କରୁଣାକର କର ଓ ଡଃ ଖଗେଶ୍ୱର ମହାପାତ୍ର ଚର୍ଯ୍ୟାପଦକୁ ନେଇ ଅଧ୍ୟୟନ କରିଥିଲେ। ସେଥିରୁ ମୌଳିକ ଶବ୍ଦ ଉଦ୍ଧାର କରି ଓ ପଦ ପ୍ରକରଣର ଆଲୋଚନା ତଥା ଏଥିରେ ବ୍ୟବହୃତ ‘ରାଗ’ ବିଶେଷରୁ ଚର୍ଯ୍ୟାପଦଗୁଡ଼ିକ ପ୍ରାଚୀନ ବା ପ୍ରତ୍ନ-ଓଡ଼ିଆ ଭାଷାର ବୋଲି ପ୍ରମାଣ ମିଳିଥାଏ। ଉଦାହରଣସ୍ୱରୂପ କାହ୍ନୁପାଙ୍କ ‘ନଗର ବାହିରେ ଡୋମ୍ବି ତୋହରି କୁଡ଼ିଆ’ ବା ଶବରୀପାଙ୍କ ‘ଉଁଚା ଉଁଚା ପାବତ ତହିଁ ବସଇ ସବରୀ ବାଳୀ’ ପଦଗୁଡ଼ିକରେ ବ୍ୟବହୃତ ସବୁ ଶବ୍ଦ ଓଡ଼ିଆ ବୋଲି ଅନୁମିତ ହୁଏ। ଭାଷାତତ୍ତ୍ୱ ଦୃଷ୍ଟିରୁ ବିଚାର କଲେ ଚର୍ଯ୍ୟାଗୀତରେ ବ୍ୟବହୃତ କ୍ରିୟାପଦ (ଦେଇ, ଥାଇ, ଦେଖଇ, ହୋନ୍ତି, ରମନ୍ତେ ଇତ୍ୟାଦି) ସର୍ବନାମ (ଯା, ଯେ, ଏହୁ, ଏଥୁ, ସେ, ତେ, କେହୋ, କୋଇ), ସମ୍ବୋଧନ ପଦ, କୃଦନ୍ତ, ତଦ୍ଧିତ ଓ ବାକ୍ୟବିନ୍ୟାସ ଆଧୁନିକ ଓଡ଼ିଆ ଭାଷାର ନିକଟବର୍ତ୍ତୀ। ୧୨୫ଟି ଦେଶଜ ଶବ୍ଦ ଏଥିରେ ରହିଥିବା କଥା ଗବେଷକମାନେ କହିଛନ୍ତି। ଚର୍ଯ୍ୟାରେ ବ୍ୟବହୃତ ‘ରାଗ’ ସମୂହ ଯଥା- ‘ପଟ୍ଟମଞ୍ଜରୀ’, ‘ଗୁଜ୍ଜରୀ’, ‘କାମୋଦ’, ‘ବରାଡ଼ି’, ‘ରାମକେରୀ’, ‘ମାଳଶୀ (ଶ୍ରୀ)’, ‘ଭୈରବୀ’ ଓ ‘ଧନାସୀ (ଶ୍ରୀ)’ ଯେ ସମଗ୍ର ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ପରମ୍ପରାରେ ବିଭିନ୍ନ ଛନ୍ଦ ଭାବେ ବ୍ୟବହୃତ ହୋଇଆସିଛି, ସେଥିରୁ ଚର୍ଯ୍ୟାପଦ ଯେ ଓଡ଼ିଆ ଭାଷାର ଆଦି ସୃଷ୍ଟି ଏଥିରେ ଦ୍ୱିମତ ହେବାର ନାହିଁ। ପ୍ରଥମରୁ ହରପ୍ରସାଦ ଶାସ୍ତ୍ରୀ ନିଜେ ‘ଡ’ ଉଚ୍ଚାରଣକୁ ଓଡ଼ିଆ ଭାଷାର ଅନନ୍ୟ ଗୁଣ ଭାବେ ଚିହ୍ନିତ କରିଥିଲେ ଓ ପଣ୍ଡିତ ରାହୁଳ ସଂକୃତାୟନ କେତେଜଣ ଚର୍ଯ୍ୟାରଚୟିତାଙ୍କୁ ଉତ୍କଳବାସୀ ବୋଲି ସ୍ଥିର କରିଥିଲେ। ବର୍ତ୍ତମାନ ଶବ୍ଦସିଦ୍ଧାନ୍ତ ଓ ପଦବିନ୍ୟାସକୁ ନେଇ ଭାଷାତାତ୍ତ୍ୱିକ ଦିଗରୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣର ପ୍ରୟାସ ଜାରି ରହିଛି।
ପ୍ରାଚୀନ ଓଡ଼ିଆ ଗଦ୍ୟ ଭାଷାର ଅଧ୍ୟୟନ ପାଇଁ ମାଦଳାପାଞ୍ଜିର ଭୂମିକା ମହତ୍ତ୍ୱପୂର୍ଣ୍ଣ। ଏଥିରେ ଜଗନ୍ନାଥ ମନ୍ଦିରର ନିତ୍ୟପ୍ରତ୍ୟହ ବିବରଣୀ ସହିତ ସାମାଜିକ ଇତିହାସ ସରଳ ଓ ପ୍ରଚଳିତ ଭାଷା ଲିଖିତ। ନାତିଦୀର୍ଘ ଓ କ୍ରିୟାହୀନ ବାକ୍ୟ ବ୍ୟବହାର ଏହାର ବୈଶିଷ୍ଟ୍ୟ। କେବଳ ଧାର୍ମିକ ଚିତ୍ର ନୁହେଁ, ଧର୍ମନିରପେକ୍ଷ ସାମାଜିକ ଓ ଅର୍ଥନୈତିକ ଅବସ୍ଥା ଏଥିରେ ବର୍ଣ୍ଣିତ। ଏଥିରେ ଉଲ୍ଲିଖିତ ଅନେକ କାହାଣୀ ଓ କିମ୍ବଦନ୍ତୀକୁ କେହି କେହି ଇତିହାସର ଉପାଦାନ କରିଛନ୍ତି। ତାହାକୁ ବାଦ୍ଦେଲେ ଚୋଡ଼ଗଙ୍ଗଦେବଙ୍କ ସିଂହାସନ ଆରୋହଣ, ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ନିର୍ମାଣ, ବୌଦ୍ଧ ଓ ବ୍ରାହ୍ମଣଙ୍କ ମଧ୍ୟରେ ସଂଘର୍ଷ ବିଷୟରୁ ସାମାଜିକ ଚିତ୍ର ପ୍ରତିଭାତ ହୁଏ। କିନ୍ତୁ ଆମର ଉଦ୍ଦେଶ୍ୟ ଏଥିରୁ ପ୍ରାଚୀନ ଭାଷାର ବିଶ୍ଳେଷଣ ଓ ଅପ୍ରଚଳିତ ଶବ୍ଦୋଦ୍ଧାର। ଏଥିରେ ବ୍ୟବହୃତ ଅନେକ ପ୍ରାଚୀନ ଶବ୍ଦ ବର୍ତ୍ତମାନ ଲୁପ୍ତପ୍ରାୟ। ଯେପରି ‘ଏମନ୍ତ’, ‘ଭିଆଣ’, ‘ମହରଗ’, ‘କିମ୍ପା’, ‘ସୋମଦ୍ର’, ‘ଯୁଝ’ ଆଦି ଶବ୍ଦ ଏବେ ବ୍ୟବହୃତ ହେଉନାହିଁ। ବାକ୍ୟ ପ୍ରକରଣରେ ମଧ୍ୟ ଏଥିରେ ବୈଶିଷ୍ଟ୍ୟ ଲକ୍ଷ୍ୟ କରାଯାଏ। କ୍ଷୁଦ୍ରବାକ୍ୟ- ‘ବରାହ କେଶରୀ ରାଜା ରାଜ୍ୟ କଲେ।’ ସମାପିକା ଅର୍ଥରେ ଅସମାପିକା କ୍ରିୟା- ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇକି ନଖାଇ’। ନିଷେଧାର୍ଥକ ଅବ୍ୟୟର ବ୍ୟବହାର- ‘ଏ ସକାସୁଁ ବ୍ରାହ୍ମଣମାନେ ନମସ୍କାର ନ ଘେନିଲେ’ ଓ କ୍ରିୟାହୀନ ବାକ୍ୟ- ‘ଗଙ୍ଗବଂଶରୁ ଜାତ ଆଦିପାଟ ଚୂଡ଼ଗଙ୍ଗଦେବ। ଏହି ଚୂଡ଼ଗଙ୍ଗଦେବ ବେତାଳସାଧ୍ୟ।’ ଏହିପରି ଶବ୍ଦ ଓ ବାକ୍ୟ ସଂଗ୍ରହ କରି ତା’ର ରୂପତାତ୍ତ୍ୱିକ ଓ ବାକ୍ୟତାତ୍ତ୍ୱିକ ବିଶ୍ଳେଷଣ ମାଧ୍ୟମରେ ପ୍ରାଚୀନ ଓଡ଼ିଆ ଭାଷାର ରୂପ ବିଭବ ଆବିଷ୍କୃତ ହେବ।
ପ୍ରାଚୀନ ଓଡ଼ିଆ ଗଦ୍ୟସାହିତ୍ୟର ଅନ୍ୟ ଗୋଟିଏ ମହନୀୟ ସୃଷ୍ଟି ନାରାୟଣାନନ୍ଦ ଅବଧୂତ ସ୍ୱାମୀଙ୍କର ‘ରୁଦ୍ର ସୁଧାନିଧି’। ସମଗ୍ର ଭାରତୀୟ ସାହିତ୍ୟରେ ଏ ପ୍ରକାର ଗଦ୍ୟ ରଚନା ବିରଳ। ପ୍ରକୃତରେ ଏଥିରେ ଗଦ୍ୟ ଓ ପଦ୍ୟର ବିଚିତ୍ର ସମନ୍ୱୟ ସାଧିତ ହୋଇଛି। କାବ୍ୟ ରଚନାର ସକଳ ଉତ୍କର୍ଷ ଏହି ଗଦ୍ୟଗ୍ରନ୍ଥରେ ଅନାୟସଲବ୍ଧ। ଏହାର ଭାଷା ସଂସ୍କୃତାନୁଗ ପୁଣି ସମାନ୍ତରାଳ ଭାବେ ଦେଶଜ ବହୁଳ। ସମଗ୍ର ଗ୍ରନ୍ଥର ଶବ୍ଦବିଧାନ ପ୍ରସ୍ତୁତ ହେବାପରେ ଏବେ ବୟାକରଣିକ ଅଧ୍ୟୟନ କରାଯାଉଛି ଓ ପ୍ରତ୍ୟେକ ଛତ୍ରରେ ବିସ୍ମୟାଭିଭୂତ ହେବାକୁ ପଡୁଛି। ଦୁଇ ତିନିଟି ଶବ୍ଦକୁ ନେଇ ଅଦ୍ଭୁତ ବାକ୍ୟଗଠନର ଦୃଷ୍ଟାନ୍ତ ଅଭିନବ ଓ ଅନନ୍ୟ। ତାହା ଉଭୟ ସଂସ୍କୃତାନୁଗ ତତ୍ସମ ଶବ୍ଦରେ ପୁଣି ନିପଟ ଦେଶଜ ଶବ୍ଦରେ। ଯେପରି- ‘ବାଗ୍ବିଶେଷ’। ‘ଶୁଦ୍ଧ ପଣ୍ଡିତ’। ‘ନରାକୃତି କଣ୍ଠିରବ’। ‘ତପତ କନକ କଣିକା’। ‘ମନୋରମ ସୁନ୍ଦରେ’। ‘ଜିତାଶ୍ରମ କନ୍ଦରେ’ ପ୍ରଭୃତି। ପୁଣି ଦେଶଜ ଶବ୍ଦରେ- ‘ଜାଣିମେ ତଥାକେ’। ‘ଭୂଅତିଅଣ୍ଡେ’। ‘ନଜାଣି ପୁଚ୍ଛିବେ ନା ବହୁତ ଲୋକେ।’ ‘ସେମାନେ କେମନ୍ତ ଅଟନ୍ତି’ ଆଦି। ଏଥିରେ ବ୍ୟବହୃତ ବହୁ ଶବ୍ଦ ବର୍ତ୍ତମାନ ଅପ୍ରଚଳିତ। ବାକ୍ୟବନ୍ଧ ମଧ୍ୟ ସ୍ୱତନ୍ତ୍ର- ‘ୟେବଂଭୂତ ପ୍ରକାରେ’। ‘ତ ହାଇ ହାଇ।’ ‘ଆଧନ୍ୟଧନ୍ୟ’। ‘କି ଭୂମି ଗତି ଥିତି।’ ‘ଲଜା ଗଳିଲେ।’ ଏଥିସହିତ ଦୀର୍ଘ ବର୍ଣ୍ଣନାତ୍ମକ ସମାସଯୁକ୍ତ ବାକ୍ୟ। ଏହି ଭାଷା ବିଶ୍ଳେଷଣରୁ ପ୍ରାଚୀନ ଓଡ଼ିଆ ଗଦ୍ୟର ସମ୍ଭ୍ରାନ୍ତ ଶୈଳୀ ଓ ଅମାପ ଶକ୍ତିର ପ୍ରମାଣ ମିଳେ।
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବିଭିନ୍ନ ରଚନାରୀତି ମଧ୍ୟରୁ ଗୋଟିଏ ଉଲ୍ଲେଖଯୋଗ୍ୟ ଧାରା ଥିଲା ଚଉତିଶା। ବ୍ୟଞ୍ଜନବର୍ଣ୍ଣର ଚଉତିରିଶଟି ଅକ୍ଷରକୁ ନେଇ ବର୍ଣ୍ଣାନୁକ୍ରମିକ ଭାବେ ରଚିତ ହେଉଥିଲା ଚଉତିଶା। ବତ୍ସା ଦାସଙ୍କ ‘କଳସା ଚଉତିଶା’ଠାରୁ ଆରମ୍ଭ କରି ଭୀମଭୋଇଙ୍କ ବିଲୋମ ଚଉତିଶା ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ପ୍ରଚୁର ଚଉତିଶା ରଚିତ ହୋଇଥିଲା। ସେସବୁର ଅଧ୍ୟୟନ ପାଇଁ ଶବ୍ଦ ବିଧାନ ସହିତ ତାହାର ଶୈଳୀତାତ୍ତ୍ୱିକ ବିଶ୍ଳେଷଣ କରାଯାଉଛି। ଏଥିରେ ବ୍ୟବହୃତ ଅନେକ ଶବ୍ଦ କ୍ରମଶଃ ଦୁଷ୍ପ୍ରାପ୍ୟ ହୋଇଯାଉଛି, ଯେପରି- ‘ଫରମାଣ’, ‘ଫୁକା’, ‘ଠଣ’, ‘ପୋଏ’, ‘ତରକିଲା’, ‘ଲୋଚାଏ’, ‘ନିର୍ମାଖୀ’, ‘ଡିଙ୍ଗର’ ପ୍ରଭୃତି। ‘କ’ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଅକ୍ଷରକୁ ଆଦ୍ୟ ରଖି ଚଉତିଶା ରଚିତ ହୋଇଥିଲା। କେଶବ କୋଇଲି ମଧ୍ୟ କୋଇଲିକୁ ସମ୍ବୋଧନ କରି ଏକ ଚଉତିଶା ରଚନା। ସନ୍ଥକବି ଭୀମଭୋଇ କିନ୍ତୁ ଅସାଧାରଣ। ସେ ‘କ’ରୁ ଆରମ୍ଭ ନକରି ‘କ୍ଷ’ରୁ ‘କ’ଯାଏ- ବିଲୋମ କ୍ଷିତିମଣ୍ଡଳେ ଚଉତିଶା ରଚନା କରିଛନ୍ତି। ଦୀର୍ଘ ଚାରି ଶତାବ୍ଦୀର ଚଉତିଶା ସଂଗ୍ରହରୁ ଶବ୍ଦ ଓ ରଚନା ରୀତିର ଶୈଳୀ ତାତ୍ତ୍ୱିକ ବିଚାର ଆମ ଭାଷା ବୈଚିତ୍ର୍ୟ ପ୍ରତିପାଦନ କରିବ।
ଗବେଷଣାରେ ଆଉ ଗୋଟିଏ ଶବ୍ଦ ସମ୍ପଦକୁ ଅନ୍ତର୍ଭୁକ୍ତ କରାଯାଇଛି। ତାହା ହେଉଛି ଓଡ଼ିଆ ଭାଷାର ପ୍ରଥମ ଅଭିଧାନ- ଗୀତରେ ରଚିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ‘ଗୀତାଭିଧାନ’। ଏହା ସଂସ୍କୃତ ଅମରକୋଷ ପରି ସମାର୍ଥ ଶବ୍ଦକୋଷ। ଏକ ଅଦ୍ଭୁତ ରଚନା। ଭାରତୀୟ ପ୍ରାନ୍ତୀୟ ସାହିତ୍ୟରେ ଏହା ଅତୁଳନୀୟ। ଯେପରି-
“କୁପକ ବୋଲାଇ ଗୁଣବୃକ୍ଷ ତୈଳ ଅବର ଯେ କୁକୁନ୍ଦର
କୁଚିକା ଶୁଚିକା ତୂଳିକା କୁଟ୍ମଳ କବାଟ ଗୁଡ଼କ କ୍ଷୀର।”
ଏଥିରେ ‘କୁପକ’ର ସମାର୍ଥ ଶବ୍ଦ ‘ଗୁଣବୃକ୍ଷ’, ‘ତୈଳ’, ‘କୁକୁନ୍ଦର’, ‘କୁଚିକା’, ‘ଶୁଚିକା’, ‘ତୁଳିକା’, ‘କୁଟ୍ମଳ’, ‘କବାଟ’, ‘ଗୁଡ଼’ ଓ ‘କ୍ଷୀର’ ପ୍ରଭୃତି ଦିଆଯାଇଛି। ଏଥିରୁ ଶବ୍ଦ ସଂଗ୍ରହ କରି ତା’ର ରୂପତାତ୍ତ୍ୱିକ, ଅର୍ଥତାତ୍ତ୍ୱିକ ବିଶ୍ଳେଷଣ ପାଇଁ ଓ ବ୍ୟାକରଣର ପ୍ରକରଣ ପାଇଁ ପ୍ରୟାସ କରାଯାଉଛି।
ଏହିସବୁ ପାଠ ବିଶ୍ଳେଷଣ ସହିତ ଆଉ ତିନିଟି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିଲା। ସେଥିମଧ୍ୟରୁ ପ୍ରାଚୀନ ଓଡ଼ିଆ ତାଳପତ୍ର ପୋଥି ସମୂହର ଗୋଟିଏ ସମନ୍ୱିତ ସୂଚୀ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇ ତାହା ଗ୍ରନ୍ଥାକାରରେ ପ୍ରକାଶ ପାଇଛି। ଆଉ ଗୋଟିଏ ପ୍ରକଳ୍ପରେ ମାଦଳା ପାଞ୍ଜିର ଇଂରାଜୀ ଅନୁବାଦ କରାଯାଉଛି। ଅନ୍ୟ ଏକ ବିଶେଷ କାର୍ଯ୍ୟ ସମନ୍ୱିତ ଭାବେ କରାଯାଉଛି- ତାହା ହେଲା ଶାସ୍ତ୍ରୀୟ ଓଡ଼ିଆର ଏକ ସହାୟକ ଗ୍ରନ୍ଥସୂଚୀ। ଏଥିରେ ଭାଷା, ସାହିତ୍ୟ, ଇତିହାସ, ପ୍ରତ୍ନତତ୍ତ୍ୱ, ନୃତତ୍ତ୍ୱ, ଧର୍ମଧାରା, ସଂସ୍କୃତି ବିଷୟକ ଆଲୋଚନା ଗ୍ରନ୍ଥ ସହିତ ଆରମ୍ଭରୁ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ସୃଷ୍ଟିର ତାଲିକା ସଂକଳିତ ହେବ।
ବସନ୍ତ କୁମାର ପଣ୍ଡା
ୟୁନିଟ୍-୨, ଭୁବନେଶ୍ୱର
[email protected]
Comments are closed.