‘ଲଜ୍ଜାହୀନ ହେଲେ ହେଳେ ସେ ଜିଣିପାରେ…’

ଏ ଗଣ, ଜନର ପ୍ରତିନିଧିମାନଙ୍କ ଆଚରଣ, ତାଙ୍କ ଠାଣିବାଣୀ ସବୁ ମଣିମାଙ୍କ ଦରବାରୀ ଢାଞ୍ଚାକୁ ବଳିଯାଉଛି

ସବୁ ଲଢ଼େଇ, ସବୁ ମୁକାବିଲା ବା ସବୁ ଆଲୋଚନା ଏକ ପ୍ରକାର ହୋଇନଥାଏ। ରୁଚି, କିସମ ବା ସଂସ୍କାର ଅନୁଯାୟୀ ତାହା ହୋଇଥାଏ। ବଣକୁ ଗଲାବେଳେ ବାଣୁଆର ବେଶ ଓ ପ୍ରସ୍ତୁତି, ବିତର୍କ ସଭାରେ ଯୋଗ ଦେଉଥିବା ବୁଦ୍ଧିଜୀବୀର ପରିପାଟୀ ଓ ପ୍ରସ୍ତୁତିଠାରୁ ଢ଼େର ଭିନ୍ନ ଓ ଫରକ। ବାଣୁଆ ଗୀତା ବା ଜ୍ଞାନକୋଷ ସହ ତିଳକ ମଣ୍ଡିତ ହୋଇ ବଣକୁ ଯିବା କି ବୁଦ୍ଧିଜୀବୀ ତାଙ୍କ ତର୍କସଭାକୁ ଧନୁଶର ସହ ମାଲକଛା ମାରିବା ଉଦ୍ଭଟ ଏକ ଆଚରଣ ନିଶ୍ଚୟ। ତା’ କ’ଣ କେବେ ଘଟିପାରେ? ହଁ, ଘଟିପାରେ, ନୁହଁ ଘଟୁଚି ଏବେ ବି। ଏ ପ୍ରସଙ୍ଗରେ କୋଉ ହୀନ ବା ନିର୍ବୋଧଙ୍କୁ ଉଦାହରଣ ଦିଆଯାଉନି। ଏବେ ଆମ ପବିତ୍ର ବିଧାନସଭା ମାନ୍ୟବର ସଦସ୍ୟମାନଙ୍କ ବୌଦ୍ଧିକ, ସାମାଜିକ ଓ ସାଂସ୍କୃତିକ ଆଲୋଚନା ବା ବିତର୍କ ଏ ଉଦାହରଣ ବନିଛି।
ମଣିମା ବା ରାଜୁଡ଼ା ଅମଳକୁ ଗଣତାନ୍ତ୍ରିକ ବ୍ୟବସ୍ଥା ଫିଙ୍ଗି ଫୋପାଡ଼ି ଦେଇଥିଲେ ମଧ୍ୟ, ଏ ଗଣ, ଜନର ପ୍ରତିନିଧିମାନଙ୍କ ଆଚରଣ, ତାଙ୍କ ଠାଣିବାଣୀ ସବୁ ମଣିମାଙ୍କ ଦରବାରୀ ଢାଞ୍ଚାକୁ ବଳିଯାଉଛି। ସାଂସଦ ଓ ବିଧାନସଭା ଭିତର ଦେଖୁନାହାନ୍ତି ! ସେଠା ଚଟାଣରେ ଦାମୀ ଗାଲିଚା, ସଦା ବସନ୍ତର ବ୍ୟବସ୍ଥା ଏ.ସି (ଶୀତତାପନିୟନ୍ତ୍ରିତ ଯନ୍ତ୍ର) ଦ୍ବାରା କରାଯାଇଛି। ଇନ୍ଦ୍ରଭୁବନର ପୌରାଣିକ ବର୍ଣ୍ଣନାଠୁ ଏଙ୍କ ବ୍ୟବସ୍ଥା ଢେର କେତେ ବଢ଼ିଯାଇଛି। ଏ ସବୁ ଭବନରେ ଜନତା ଦୁଃଖ ସୁଖ, ସାମାଜିକ ଓ ସାଂସ୍କୃତିକ ବିଷୟକ ସମସ୍ୟାର ଆଲୋଚନା ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ବାରା କରାଯାଇଥାଏ। ପ୍ରତି ବିଧାନସଭା, ସଂସଦ ବୈଠକ ପୂର୍ବରୁ ଜନତା ବଡ଼ ଆତୁର ସହ ଅପେକ୍ଷା କରିଥାନ୍ତି ଏହି ପ୍ରତିନିଧିମାନେ ସେମାନଙ୍କ ପାଇଁ କ’ଣ କରୁଛନ୍ତି, କ’ଣ କହୁଛନ୍ତି? ବିଧାନସଭା ଓ ସଂସଦ ବୈଠକ ବେଳେ ଦିନକର ଖର୍ଚ୍ଚ ତାଜୁବ କରିଦିଏ। ମାତ୍ର ଏଥିରେ ହୁଏ କ’ଣ? ଏ ପବିତ୍ର ଭବନ ଜନତାର ନିର୍ବାଚିତ ପ୍ରତିନିଧିଙ୍କର ନ ହୋଇ କ୍ଷମତାର ପ୍ରତିଷ୍ଠା ଲୋଭର କଳିହୁଡ଼ୀ ଦି’ ସଉତୁଣୀକୁ ବଳିଯାଏ। ସଂଖ୍ୟାଗରିଷ୍ଠ ସରକାର ଗଢ଼ୁଥିବା ଦଳ ଓ ସଂଖ୍ୟାନ୍ୟୂନ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧିମାନେ ଭାଇ ଭାଇ ନ ହୋଇ ଦି’ ସଉତୁଣୀ କି ଦି ମଲ୍ଲଯୋଦ୍ଧା ପରି ମୁହାଁମୁହିଁ ହାତାହାତି ହୋଇଯାଆନ୍ତି। ସଂସଦ ଓ ବିଧାନସଭାରେ ପରସ୍ପର ମଧ୍ୟରେ ଠେଲାପେଲା, ଚଉକି ଫୋପଡ଼ା ଓ ମାଇକ୍‌ ଭାଙ୍ଗିବା ଭଳି ଅବିଶ୍ବସନୀୟ ଘଟଣା ଘଟେ। ମୂଳ ପ୍ରସଙ୍ଗ, ଜନତାର ସମସ୍ୟା ହୋ ହଲ୍ଲା ଗୋଳରେ ମିଳେଇ ଯାଏ। ହଟ୍ଟଗୋଳ ଏମିତି ହୁଏ ଯେ ବାଚସ୍ପତିଙ୍କ ନିୟନ୍ତ୍ରଣ ବାହାରକୁ ଏହା ବାରମ୍ବାର ଯାଇଥାଏ। ୨୦୨୦ ମସିହାରେ ପରୀ ହତ୍ୟା ମାମଲାରେ ପାଞ୍ଚଦିନ କାଳ, ୨୦୨୨ରେ ମମିତା ମେହେର ମୃତ୍ୟୁ ବିଷୟରେ ୭ଦିନ ବିଧାନସଭା କ୍ରମାଗତ ମୁଲତବୀ ହୋଇଥିଲା। ଆଲୋଚନା ବୌଦ୍ଧିକତା, ବିଚାରଶୀଳତାର ହିଡ଼ ଡେଇଁ ବ୍ୟକ୍ତିଗତ ଆକ୍ରମଣରେ ରହିଯାଇଥାଏ। ତତ୍କାଳୀନ ଗୃହରାଷ୍ଟ୍ରମନ୍ତ୍ରୀ ବିଧାନସଭାକୁ ଆସିଲେ ଗଙ୍ଗାଜଳ, ଗୋମୂତ୍ର ଓ ତୁଳସୀ ପାଣି ପକାଇବା ପାଇଁ ସନ୍ତୋଷ ସିଂ ସାଲୁଜା କହିଲେ, ସତରେ ପକେଇଲେ ବି। ସେମିତି ୨୦୨୨ରେ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପାଇଁ ବିରୋଧୀ ଦଳଙ୍କ ହୋହଲ୍ଲା ବିଧାନସଭାକୁ ଅଚଳ କରିଦେଇଛି। ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଏକପ୍ରକାର ଅଚଳ ହେଲା। ଆଜିଠୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ। ଆରମ୍ଭରୁ ପୁଣି ଅଚଳ। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବିଫଳ ହୋଇଛି। ତେବେ ବରିଷ୍ଠ କଂଗ୍ରେସ ନେତା, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଗତ ଅଧିବେଶନରେ ଆଣିଛନ୍ତି। ଗାଁଗଣ୍ଡାରେ ସରଳା, ଅଶିକ୍ଷିତା ଝିଅମାନେ ଦୁଇ ଦଳର ଭାଲୁକୁଣୀ ମେଢ଼ ଗଲାବେଳେ ପରସ୍ପର ଭାଲୁକୁଣୀକୁ ଗାଳି ଭଳି ଏ ଆକ୍ଷେପ ଓ ପ୍ରତିଆକ୍ଷେପ ଗଣତନ୍ତ୍ରର ମର୍ଯ୍ୟାଦା ଲଙ୍ଘୁଛି। ଏହା ଭୟଙ୍କର ଭାବେ ହାନି କରୁଛି। ମାତ୍ର ଏକୁ ବୁଝାଇବ କିଏ? ଏମାନେ କୋଉ ଅଯୋଗ୍ୟ କି ମୂର୍ଖ ଯେ ତାଙ୍କୁ ବୁଝାଯିବ! ଗାଁ ଗହଳିରେ କଥା ଅଛି, ‘ଅଧା ଲଙ୍ଗଳାକୁ କଥା ଅଛି, ପୂରା ଲଙ୍ଗଳାକୁ ଭାଷା ନା କଥା ନାହିଁ।’ ‘‘ଯା’ର ମୁଖେ ଲଜ୍ଜା ନାହିଁ ତାକେ ଆମି ଡରି।’’
ସବୁଠୁ କୌତୂହଳ ଏ ସରଳ ଜନତା ପକ୍ଷେ ଅବୋଧ୍ୟ ଯେ, ଏମାନେ ଏ ପବିତ୍ର ଭବନ ମଧ୍ୟରେ ଯେତେ ଠେଲାପେଲା, ଭଙ୍ଗାରୁଜା କଲେ ବି କିଏ ବିଶ୍ବାସ କରିବ ଯେ ଏ ଲଢ଼େଇ ପରେ ସଭିଏଁ କୋଳାକୋଳି ହୁଅନ୍ତି। ‘ଚତୁରେ ଚତୁରେ କେଳାକୋଳି’। ପରେ ମନେହୁଏ ୟେ ନାଟକ ଥିଲା। ସେମିତି ବିଧାନସଭାରେ ଧାନମଣ୍ଡି ଅବ୍ୟବସ୍ଥା ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରୁଥିବା ମାନ୍ୟବର ସୁବାସ ପାଣିଗ୍ରାହୀ, ଆତ୍ମହତ୍ୟା କରିବାକୁ ବିଧାନସଭା ମଧ୍ୟରେ କୋକାକୋଲା ପିଇଲା ପରି ହାତଧୁଆ ରାସାୟନିକ ବୋତଲଟାଯାକ ‘ସାନିଟାଇଜର୍‌’ ପିଇଦେଲେ। ଆରେ ଇଏ କି କଥା! ସତରେ ଭୋଟର ବା ମତଦାତା ପ୍ରାଣ ଏଇ ମାନ୍ୟବର ବିଧାୟକ ମହୋଦୟ ଯେମିତି ହେଇଥିବେ ! ଆମ କଳନା ଏଥିକୁ ପାଉନି।
ମୋଟ ଉପରେ ଜନତାର ଭାଗ୍ୟବିଧାନ ପାଇଁ ବ୍ୟବସ୍ଥିତ ବିଧାନସଭା ବା ସଂସଦ ହେଉ, ୟେ ଯେବେ କିଛି ନିଷ୍କର୍ଷ ଦେଇନପାରି କୋଟି କୋଟି ଟଙ୍କା ପାଣିକୁ ବୁହାଇ ଦେବେ, ଜନତାଙ୍କୁ ନିରାଶ ଓ ଭକୁଆ ବନେଇବେ ତେବେ କାହାକୁ କୁହାଯିବ? ଇୟେ କି ଅଣ୍ଟିସୁନା ଭେଣ୍ଡିର କଥା !

Comments are closed.