କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ସଦସ୍ୟଙ୍କ ପାଇଁ ସମ୍ବର୍ଦ୍ଧନା ସଭା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ଭାବେ ମନୋନୀତ ସଭ୍ୟ-ସଭ୍ୟାମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ସଭା ସ୍ଥାନୀୟ କରୋନେସନ ପଡ଼ିଆ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝି ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇ କହିଲେ, ନୂତନ ଭାବେ ମନୋନୀତ ସଭ୍ୟ-ସଭ୍ୟାମାନେ ଜାଗ୍ରତ ପ୍ରହରୀଭାବେ ଆଦିବାସୀ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବେ। ତେବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନର ଉଦ୍ଦେଶ୍ୟ,ଏହାର କାର୍ଯ୍ୟ ଖସଡ଼ା ଏବଂ ଆଦିବାସୀ ସମାଜର ଦାୟିତ୍ୱ ଉପରେ ପ୍ରଚାର ପ୍ରସାରର ଆବଶ୍ୟକତା ନେଇ ମତ ରଖିଥିଲେ। ସରକାରୀ ସ୍ତରରେ ଏହା ଏକ ସାମାଜିକ କାର୍ଯ୍ୟ। ଆଦିବାସୀ ଭାଇ ଭଉଣୀମାନଙ୍କର ବହୁ ଆଶା ଓ ସ୍ୱପ୍ନ ଏଥିରେ ରହିଛି ବୋଲି ପ୍ରକାଶ କରିଥିଲେ। ଆଗାମୀ ଦିନରେ ଆଦିବାସୀ ସମାଜର ସମସ୍ତ ଭାଇଭଉଣୀଙ୍କୁ ଏଥିରେ ସାମିଲ କରାଯିବା ପାଇଁ ପ୍ରଚେଷ୍ଟା କରାଯିବ। ଏହାକୁ ଏକ ନୂଆ ରୂପ ଦିଆଯିବା ପାଇଁ କାର୍ଯ୍ୟ ଖସଡ଼ା ମଧ୍ୟ ପ୍ରସ୍ତୁତ ହେଉଛି । ସେଥିପାଇଁ ସୁଚିନ୍ତିତ ମତାମତ ଦେବା ଳାଗି ଶ୍ରୀ ମାଝି ଅନୁରୋଧ କରିଥିଲେ । ଶ୍ରୀ ମାଝି କହିଲେ, କେବଳ ବିଲୁପ୍ତ ହୋଇଯାଇଥିବା ଆଦିବାସୀ କଳା,ସଂସ୍କୃତି, ପରମ୍ପରା, ଜାନିଯାତ୍ରା, ପୂଜା ପୀଠ,ସାଂସ୍କୃତିକ କାର୍ଯ୍ୟକ୍ରମର ପୁନରୁଦ୍ଧାର କରିଦେଲେ ଆଦିବାସୀ ସମାଜର ଉନ୍ନତି ହୋଇଯିବ ନାହିଁ । ସେମାନଙ୍କ ଜୀବନ ଜୀବିକାର ଉନ୍ନତି ହେବାର ଆବଶ୍ୟକତା ମଧ୍ୟ ରହିଛି। ଆଗାମୀ ଦିନରେ ସେମାନଙ୍କର ଭବିଷ୍ୟତ କ’ଣ ରହିବ, ଆଧୁନିକ ସମାଜ ସହିତ ତାଳ ଦେଇ ଚାଲିବା ପାଇଁ ବ୍ୟବସ୍ଥା, ଓଡ଼ିଶାର ସମୁଦାୟ ୬୨ ବର୍ଗର ବା ଜାତିର ଆଦିବାସୀ ଭାଇଭଉଣୀ ମାନଙ୍କୁଏକାଠି କରିବା, ସମସ୍ତେ ସମସ୍ତଙ୍କର ସମସ୍ୟା ବିଷୟରେ ଅବଗତ ହେବା ସହିତ ସମାଧାନ ପାଇଁ ବ୍ୟବସ୍ଥା କରିବା, ଯୁବ ଗୋଷ୍ଠୀଙ୍କୁ କୁ-ସଂସ୍କାରରୁ ଦୂରେଇ ରଖିବା ପାଇଁ ସଚେତନ କରିବା, ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରିବା, ରାଜ୍ୟ ଓ ରାଜ୍ୟ ବାହାରେ ତଥା ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ମାଗଣା କୋଚିଂର ବ୍ୟବସ୍ଥା କରିବା, ରାଜ୍ୟର ସମସ୍ତ ଅନୁସୂଚିତ ଜନଜାତି ବର୍ଗଙ୍କୁ ୧୦ଲକ୍ଷ ଟଙ୍କାର ବାସଗୃହ ଯୋଗାଇ ଦେବା, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦନ ପାଇଁ ୩୫ଲକ୍ଷ ଟଙ୍କା ଅନୁଦାନର ଗୃହ ନିର୍ମାଣ, ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଇ-କମର୍ସ ଆପ୍ ଯୋଗେ ନିଜ ନିଜର ଉତ୍ପାଦନକୁ ବିକ୍ରୟ କରିବା ହେଉଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟ ବୋଲି ଶ୍ରୀ ମାଝି କହିଥିଲେ । ସେଥିପାଇଁ ମୁଖ୍ୟମନ୍ତ୍ରୀ ୨୬୭କୋଟି ଅନୁଦାନ ଦେଇଛନ୍ତି ଏବଂ ସଠିକ୍ ଭାବେ ଖର୍ଚ୍ଚ କଲେ ଆଗକୁ ୪୦୦ ରୁ ୫୦୦ କୋଟି ଟଙ୍କା ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ଦିଆଯିବ ବୋଲି ସୂଚନା ଦେଇଥିଲେ। ସେଥିପାଇଁ ଆମଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଆମଙ୍କୁ ଏକାଠି ହେବା ପାଇଁ ଏକ ସୁନ୍ଦର ପ୍ଲାଟଫର୍ମ ଦେଇଛନ୍ତି ଯାହାର ସଦୁପଯୋଗ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଶ୍ରୀ ମାଝି କହିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲ୍ଲିକ, ଉପାଧ୍ୟକ୍ଷ ନଳିନୀ କହଁର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସୁସ୍ମିତା କହଁର, ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷା ଅନିମା କହଁର ପ୍ରମୁଖ ଯୋଗଦେଇ ଓଡ଼ିଶାର ଆଦିବାସୀ ସମାଜର ଉନ୍ନତି ପାଇଁ ସ୍ୱତନ୍ତ୍ର ଭାବେ ଗଠିତ ଏହି ପରିଷଦ ମୁଖ୍ୟମନ୍ତ୍ରୀଙ୍କର ଆଶୀର୍ବାଦ ବୋଲି କହିଥିଲେ। କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ଭାବେ ମନୋନୀତ ସଭ୍ୟ ସଭ୍ୟା ଭଜମନ ପ୍ରଧାନ(ଫୁଲବାଣୀ), ସୁଜାତା କହଁର ଓ ଲାଲନନ୍ଦା ପ୍ରଧାନ (ଫିରିଙ୍ଗିଆ), ପ୍ରମୋଦ କୁମାର କହଁର(ଚକାପାଦ), ସୌଦାମିନୀ କହଁର ଓ ସ୍ୱର୍ଣ୍ଣଲତା କହଁର(ଖଜୁରୀପଡ଼ା),ସୁରେଖା ପାଟ୍ଟମାଝି(କୋଟଗଡ଼), ରଞ୍ଜିତା ପ୍ରଧାନ ଓ ରମାକାନ୍ତ ମାଝୀ (ଦାରିଙ୍ଗବାଡ଼ି), କୁନ୍ତି ମଲ୍ଲିକ(ବାଲିଗୁଡ଼ା), କାରଲ ମାଲ୍ଲିକ(ଘୁ.ଉଦୟଗିରି) ଓ ଭୁଷଣ ପ୍ରଧାନ(ରାଇକିଆ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ଶବର ସ୍ୱାଗତ ଭାଷଣ ପ୍ରଦାନ କରିଥବାବେଳେ ଏସ୍.ଡି.ସି.ଉପଧ୍ୟକ୍ଷା ଧନ୍ୟବାଦ ଦେଇଥିଲେ।
Comments are closed.