ସଂଗୀତ ସମଗ୍ର ବିଶ୍ୱକୁ ଏକାଠି କରିଛି-ରାଜ୍ୟପାଳ

ବୃନ୍ଦାବନ ମହୋତ୍ସବ

ଭୁବନେଶ୍ୱର: ରାଜ୍ୟଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଆନୁକୂଲ୍ୟରେ ଏବଂଓଡ଼ିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ବୃନ୍ଦାବନ ଗୁରୁକୁଳ ତରଫରୁ ପ୍ରମୁଖ ଭାରତୀୟ ଶାସ୍ତ୍ରୀୟ ସଂଗୀତ କାର୍ୟ୍ୟକ୍ରମ ୮ମ ବୃନ୍ଦାବନ ମହୋତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର କଳିଙ୍ଗନଗର, ଘାଟିକିଆସ୍ଥିତ ବୃନ୍ଦାବନ ଗୁରୁକୁଳ ଆୟୋଜନରେ ଅନୁଷ୍ଠିତ ଏହି ମହୋତ୍ସବରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ।

ବୃନ୍ଦାବନ ଗୁରୁକୁଳର ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରଖ୍ୟାତ ବଂଶୀ ବାଦକ ପଦ୍ମବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସଙ୍ଗୀତ ମହୋତ୍ସବରେ ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଆମର ଧର୍ମଶାସ୍ତ୍ର ସାମବେଦରେ ସୁନ୍ଦର ସଂଗୀତ ଗାନ କଥା କୁହାଯାଇଛି। ଯୁଗେ ଯୁଗେ ସଂଗୀତର ମହାତ୍ମ୍ୟ ରହିଆସିଛି। ବିଶ୍ୱରେ ସବୁଠାରେ ସଂଗୀତ ଭରି ରହିଛି। ସଂଗୀତର ସୀମା ନାହିଁ। ସଂଗୀତ ଦେଶର ଭୌଗୋଳିକ ସୀମା ସରହଦକୁ ଡେଇଁ ସମଗ୍ର ବିଶ୍ୱକୁପରିବ୍ୟାପ୍ତ ହୋଇପାରେ। ନୈସର୍ଗିକ ସ୍ତରରେ ସଂଗୀତ ଅହରହ ଗାନ ହୋଇ ଚାଲିଛି। ସଂଗୀତଜ୍ଞମାନେ ସଂଗୀତର ‘ପରୀ’ ସଦୃଶ। ସଂଗୀତ ବ୍ୟକ୍ତି ଜୀବନରେ ଆଧ୍ୟାତ୍ମିକତା ଭରିଦେବା ସହ ଅତି ମାନବୀୟ ଗୁଣର ନିକଟତର କରାଇଥାଏ।

ଯନ୍ତ୍ରସଙ୍ଗୀତ ବା ସୁନ୍ଦର କଣ୍ଠ ସଗୀତ ପରିବେଷଣ କରୁଥିବା ପ୍ରତ୍ୟେକ କଳାକାର ସଂଗୀତର ରାଜଦୂତ ସଦୃଶ। ପଣ୍ଡିତ ହରି ପ୍ରସାଦ ଚୌରାସିଆ ବଂଶୀ ବାଦନ କରୁଥିବାବେଳେ ସତେ ଯେପରି ସେ ଭଗବାନ ଶ୍ରୀକୃଷ୍ଣଙ୍କର ବଂଶୀ ବାଦନ କରୁଛନ୍ତି ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସଂଗୀତ ସମଗ୍ର ବିଶ୍ୱକୁ ଏକାଠି କରିଛି ବୋଲି ସେ କହିଥିଲେ ।କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସଂଗୀତ ବିଶାରଦ ଓ ଯୁବ ସଂଗୀତ ଶିଳ୍ପୀମାନଙ୍କୁ ମାନ୍ୟବର ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।

prayash

ଏହି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ , ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ପରିଚାଳକ ଚନ୍ଦ୍ର ଶେଖର ଶର୍ମା, ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ସଚିବ ପ୍ରବୋଧ ରଥଙ୍କ ଉପସ୍ଥିତ ଥିବା ବେଳେବୃନ୍ଦାବନ ଗୁରୁକୁଳ,କଳିଙ୍ଗ ନଗରର ସଭାପତି ଅନିକେତ ମହାରଣା ଓ ସମ୍ପାଦକ ଦିଗବିଜୟ ସିଂ ଚୌହାନପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଡ. ନାଜିଆ ଆଲାମ୍ କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ବୃନ୍ଦାବନ ଗୁରୁକୁଳସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିବା ବୃନ୍ଦାବନ ଗୁରୁକୂଳର ଶିକ୍ଷାନବୀଶମାନେ ଚିତ୍ତାକର୍ଷକ ବଂଶୀ ବାଦନ କରିଥିଲେ ।ପରେ ପରେ ଭାରତୀୟ ଶାସ୍ତ୍ରୀୟ ସରୋଦ ବାଦକ ପଦ୍ମବିଭୂଷଣ ଉସ୍ତାଦ ଅମଜାଦ ଅଲୀ ଖାନ୍ ସରୋଦ ବାଦନ କରିଥିବା ବେଳେ ଶାସ୍ତ୍ରୀୟ ସଂଗୀତ ବିଶାରଦ ପଦ୍ମଶ୍ରୀ ମାଳିନୀ ଅୱସ୍ତି ଶାସ୍ତ୍ରୀୟ କଣ୍ଠ ସଂଗୀତ ପରିବେଷଣ କରିଥିଲେ।ପ୍ରତିବର୍ଷ ବର୍ଷ ହୋଲିରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ଚଳିତ ବର୍ଷ ସରୋଦ ବାଦକ ପଦ୍ମବିଭୂଷଣ ଉସ୍ତାଦ ଅମଜାଦ ଅଲୀ ଖାନଙ୍କ ଦ୍ୱାରା ସରୋଦ ବାଦନ ଏବଂ ପଦ୍ମଶ୍ରୀ ମାଲିନୀ ଅୱସ୍ତିଙ୍କ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ ଏବଂ ହୋଲି ଉତ୍ସବ ଉପରେ ପର୍ୟ୍ୟବସିତ ଭକ୍ତି ରସାତ୍ମକ ଶାସ୍ତ୍ରୀୟ କଣ୍ଠ ସଂଗୀତ ପରିବେଷଣ ଦର୍ଶକମାନଙ୍କୁ କାର୍ୟ୍ୟକ୍ରମର ଶେଷ ପର୍ୟ୍ୟନ୍ତ ବାନ୍ଧି ରଖିପାରିଥିଲା। ତତ୍ ସହିତ ଶାସ୍ତ୍ରୀୟ ତବଲା ବାଦକ ପଣ୍ଡିତ ଅରବିନ୍ଦ କୁମାର ଆଜାଦ ଏବଂ ଅନ୍ୟ ଶାସ୍ତ୍ରୀୟ ସଂଗୀତ ବାଦକମାନଙ୍କ ଦ୍ୱାରାଯନ୍ତ୍ରସଂଗୀତ ପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିବା ସହ ରବୀନ୍ଦ୍ର ମଣ୍ଡପରେ ଏକ ଦିବ୍ୟ ପରିବେଶ ସୃଷ୍ଟି କରିଥିଲା ।

ପ୍ରକାଶ ଥାଉକି, ବୃନ୍ଦାବନ ଗୁରୁକୁଳର ପ୍ରତିଷ୍ଠାତା ସଭାପତି ଖ୍ୟାତନାମା ବଂଶୀବାଦକ ପଦ୍ମ ବିଭୂଷଣ ପଣ୍ଡିତ ଚୌରାସିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ସଂଗୀତ, କଳା ଓ ସଂସ୍କୃତିର ଜୀବନ୍ତ ଐତିହ୍ୟ । ଏହି ଭଳି ଗୁରୁକୁଳ ଗୋଟିଏ ମୁମ୍ବାଇରେ ଥିବା ବେଳେ ଅନ୍ୟଟି ଭୁବନେଶ୍ୱର ସ୍ଥିତ କଳିଙ୍ଗନଗର, ଘାଟିକିଆଠାରେ ୧୩ ବର୍ଷ ହେଲା ସ୍ଥାପିତ ହୋଇ ପ୍ରତିଷ୍ଠା ଲାଭ କରିଛି । ଏହା ସଂଗୀତ, ବଂଶୀ ଓ ଅନ୍ୟ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରୁଥିବା ଦେଶବିଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୈସର୍ଗିକ ପରିବେଶ ସ୍ଥଳୀ ହୋଇଛି ।ଅନୁଷ୍ଠିତ ଏହି କାର୍ୟ୍ୟକ୍ରମକୁ ଓଡିଶା ଖଣି ନିଗମ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଇଣ୍ଡିଆନ ଅଏଲ୍, ବେଦାନ୍ତ, ଜିନ୍ଦଲ ଷ୍ଟିଲ ଓ ପାୱାର , ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭୁବନେଶ୍ୱର ମହାନଗର ନିଗମ, ବୟନିକା, ସୋଆ ବିଶ୍ୱ ବିଦ୍ୟାଳୟ ସମେତ ଆତିଥେୟତା ପାଇଁ ମେ ଫେୟାର ହୋଟେଲ ଓ ରିସୋର୍ଟ, ସ୍ୱସ୍ତି ଗ୍ରୁପସ୍ ଓ ମିଡିଆ ପାର୍ଟନର ଭାବେ ପ୍ରମେୟ,ନ୍ୟୁଜ୍-୭ ସହାୟତା କରିଛନ୍ତି । ଡିଡି ଭାରତୀରେ ଏହି କାର୍ୟ୍ୟକ୍ରମ ସିଧା ପ୍ରସାରଣ ହୋଇଥିଲା ।

kalyan agarbati

Comments are closed.