କାଶ୍ମୀରରେ ବଢ଼ିଛି ପର୍ଯ୍ୟଟକଙ୍କ ସଂଖ୍ୟା
କାଶ୍ମୀର: କାଶ୍ମୀରରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସେଠାକାର ପର୍ଯ୍ୟଟନ ବିଭାଗ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ୨୦୨୨ରେ କାଶ୍ମୀରକୁ ୨୫ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥିବା ନେଇ ପର୍ଯ୍ୟଟନ ବିଭାଗ ତରଫରୁ ଦର୍ଶାଯାଇଛି। ଗତ ୪୦ ବର୍ଷ ମଧ୍ୟରେ କାଶ୍ମୀରକୁ ଆସିଥିବା ହାରାହାରି ପର୍ଯ୍ୟଟକ ସଂଖ୍ୟା ମଧ୍ୟରେ ଏହା ସର୍ବାଧିକ ବୋଲି ଜଣାପଡ଼ିଛି। ସେହିପରି ଗତ ଫେବୃଆରୀରେ କାଶ୍ମୀରକୁ ୧.୨ ଲକ୍ଷ ପର୍ଯ୍ୟଟକ ଆସିଥିବା ପର୍ଯ୍ୟଟନ ବିଭାଗ ରେକର୍ଡରୁ ଜଣାପଡ଼ିଛି। ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ବେଶ୍ ଲାଭବାନ ହୋଇଛି।
ଗତ ଫେବୃଆରୀରେ କାଶ୍ମୀରକୁ ୧.୨ ଲକ୍ଷ ପର୍ଯ୍ୟଟକ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦% ପ୍ରସିଦ୍ଧ ଗୁଲମାର୍ଗ ସ୍କି ରିସୋର୍ଟ ବୁଲିବାକୁ ଯାଉଥିବା ଜଣାପଡ଼ିଛି। ଗତବର୍ଷ ଠାରୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ବହୁତ ହ୍ରାସ ପରିଲକ୍ଷିତ ହେଉଥିବା ବେଳେ ଏହାର ସୁପ୍ରଭାବ ସେଠାକାର ପର୍ଯ୍ୟଟନ କ୍ଷେତ୍ର ଉପରେ ପଡ଼ିଥିବା ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଏହି ଧାରା ବଜାୟ ରହିଲେ କାଶ୍ମୀରକୁ ପ୍ରତିବର୍ଷ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି। କାଶ୍ମୀରକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସ୍ଥାନୀୟ ପର୍ଯ୍ୟଟନ ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡ଼ିଛି। ସୂଚନାଥାଉ କି ୨୦୧୮ରେ ୮.୫ ଲକ୍ଷ ପର୍ଯ୍ୟଟକ କାଶ୍ମୀର ଆସିଥିବା ବେଳେ ୪ବର୍ଷ ମଧ୍ୟରେ ଏହି ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ପରିଲକ୍ଷିତ ହୋଇଛି।
Comments are closed.