ନିଆଁର ଆଁରେ ଜଳିଯାଉଛି ଶହଶହ ହେକ୍ଟର ଜଙ୍ଗଲ, ପୋଡ଼ିଯାଉଛି ଲକ୍ଷାଧିକ ମୂଲ୍ୟବାନ ଗଛଲତା
ଲାଞ୍ଜିଗଡ଼: କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ। ନିଆଁର ଆଁରେ ଜଳିଯାଉଛି ହେକ୍ଟର ହେକ୍ଟର ଜଙ୍ଗଲ। ପୋଡ଼ିଜଳି ପାଉଁଶ ହୋଇଯାଉଛି ଲକ୍ଷ ଲକ୍ଷ ମୂଲ୍ୟବାନ ଗଛଲତା। ଏସବୁ ଅଞ୍ଚଳରେ ଜଙ୍ଗଲରେ ରହୁଥିବା ଜୀବଜନ୍ତୁଙ୍କ ଜୀବନ ବିପଦରେ ରହୁଥିବାବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବନ ବିଭାଗ ଅଧିକାରୀ। କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ଗୋଟିକ ପରେ ଗୋଟିଏ ଜଙ୍ଗଲ ହୁତୁହୁତୁ ହୋଇ ନିଆଁ ଜଳୁଥିବାବେଳେଏହାକୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହୋଇଛି।
ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବିଶ୍ବନାଥପୁର ବନାଞ୍ଚଳ ଅଧିନରେ ଥିବା ମୁଷାନାଳ ସେକ୍ସନ ନିକଟରେ ଥିବା ପାତର ଜଙ୍ଗଲ ରେତନଦୀ କୂଳରେ ବନ ବିଭାଗ ଦ୍ବାରା ୨୦୨୦-୨୧ ମସିହାରେ ପ୍ରାୟ ୭ ଏକର ଜମିରେ ୧୦ ହଜାର ଗଛ ଲଗାଯାଇଥିବାବେଳେ ଏଥିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ ନଷ୍ଟ ହୋଇଯାଇଥିଲା। ଏହାପରେ ଗୋଟିଏ ସପ୍ତାହ ମଧ୍ୟରେ ସେହି ସେକ୍ସନର ପଦ୍ମଥପା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ହଜାର ହଜାର ଔଷଧୀୟ ଓ ମୂଲ୍ୟବାନ ଗଛ ଜଳି ପୋଡ଼ି ନଷ୍ଟ ହୋଇଥିଲା। ସେହିପରି ବିଶ୍ବନାଥପୁର ସେକ୍ସନ ବକଟପୁର ସ୍ଥିତ ମାଁ ହୀରାନୀଳା ଜଙ୍ଗଲରେ ନିଆଁ ଲାଗି ବହୁତ ଗଛ କ୍ଷୟକ୍ଷତି ହୋଇଥିଲା। ଏପରିକି ସିକେରକୁପା ସେକ୍ସନ କିଡିଙ୍ଗ ବିଟ୍ କାଉଗୁଡା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିଲା। ସେହିପରି ପୋଖରୀବନ୍ଧ ନିକଟସ୍ଥ ବରାଘାଟି ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିବା ଦେଖିବାକୁ ମିଳିଛି !
ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଙ୍ଗଲ ନିଆଁ ଏବେ ଜନସାଧାରଣଙ୍କ ଚିନ୍ତାର କାରଣ ପାଲଟିଛି। ଗୋଟିଏ ପଟେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ନିଆଁ ଝାସରେ ସ୍ଥାନୀୟ ଅଞ୍ଚଳବାସୀ ହନ୍ତସନ୍ତ ହେଉଥିବା ବେଳେ ବନବିଭାଗ ଚୁପ ବସିଥିବା ଭଳି ମନେ ହେଉଛି। ନିଆଁ ଲିଭାଇବାକୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଉଛି ବୋଲି ଅଧିକାରୀମାନେ କହି ବୁଲୁଥିବାବେଳେ ବାସ୍ତବରେ କିନ୍ତୁ ନିଆଁ ଲିଭାଇବାକୁ ପ୍ରୟାସ କରାଯାଉନଥିବା ଅଭିଯୋଗ ହୋଇଛି। ଏପରିକି ଜଙ୍ଗଲ ନିଆଁ ରୋକିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଲକ୍ଷଲକ୍ଷ ଟଙ୍କାର ବ୍ୟୟବରାଦ ତାହା ଖର୍ଚ୍ଚ ହେଉନଥିବା ଅଭିଯୋଗ ହେଉଛି। ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଓ ଦାୟିତ୍ବହୀନତା ଯୋଗୁଁ ଜଙ୍ଗଲ ସଂପଦ ସଂକଟାପନ୍ନ ହୋଇପଡ଼ିଛି। ଉଚ୍ଚ କର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
Comments are closed.