ଅତାବିରା ଓ ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବରଗଡ଼ ଜିଲାର ଅତାବିରା ଓ ଢେଙ୍କାନାଳ ଜିଲାର ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦ ଦ୍ୱୟର ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରାଇଛନ୍ତି । ଅତାବିରା ଓ ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର କାର୍ଯ୍ୟକାଳ ଆସନ୍ତା ତା. ୧୨/୦୪/୨୦୨୩ରିଖରେ ଶେଷ ହେବ ଓ ତା’ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି।
ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିବା ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଶ୍ରୀ ପାଢ଼ୀ ହେବାକୁ ଥିବା ନିର୍ବାଚନ ସଂପର୍କରେ ବିସ୍ତୃତ ଭାବେ ଅବଗତ କରାଇଛନ୍ତି । ଅତାବିରା ଅଧିସୂଚିତ କ୍ଷେତ୍ର ପରିଷଦର

ସମୁଦାୟ ୧୨ ଗୋଟି ୱାର୍ଡର ୧୬ଗୋଟି ବୁଥ୍‌ ଥିବାବେଳେ ଭୋଟରଙ୍କ ସଂଖ୍ୟା ହେଉଛି ୧୩୫୨୦ ଜଣ । ସେହିପରି ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର ସମୁଦାୟ ୧୬ ଗୋଟି ୱାର୍ଡର ୧୬ ଗୋଟି ବୁଥ୍‌ ରହିଥିବାବେଳେ ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୯୮୭୭ ଜଣ। ଉଭୟ ଅଧିସୂଚିତ କ୍ଷେତ୍ର ପରିଷଦର ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି ଓ ଉଭୟ କ୍ଷେତ୍ର ପରିଷଦର ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇରହିଛି।

ଉଭୟ ଅଧିସୂଚିତ କ୍ଷେତ୍ର ପରିଷଦରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ କାଉନ୍‌ସିଲର ଏବଂ ଅଧ୍ୟକ୍ଷ ପଦ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିବେ ସେମାନେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ସଂପତ୍ତି ଓ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସତ୍ୟପାଠ ଦାଖଲ କରିବେ। ଅସଂପୂର୍ଣ୍ଣ ସତ୍ୟପାଠ କିମ୍ବା ସତ୍ୟପାଠ ଦାଖଲ ନକରିବା ଦ୍ୱାରା ସଂପୃକ୍ତ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ନାକଚ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି। ଯଦି କେହି ମିଥ୍ୟା ସତ୍ୟପାଠ ଦାଖଲ କରିବା ଜଣାଯାଏ, ସେମାନଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

prayash

ରାଜ୍ୟ ନିର୍ବାଚନ ଆୟୋଗ ପ୍ରାର୍ଥୀପତ୍ର ମନୋନୟନ ପ୍ରମାଣପତ୍ର ସହିତ ଜାତିଗତ ପ୍ରମାଣପତ୍ର ଦାଖଲ ବାଧ୍ୟତାମୂଳକ କରିଛନ୍ତି। ଯେଉଁ ପ୍ରାର୍ଥୀମାନେ ସଂରକ୍ଷିତ ସ୍ଥାନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି, ସେମାନେ ସେମାନଙ୍କର ଜାତିଗତ ପ୍ରମାଣପତ୍ର ମନୋନୟନ ପତ୍ର ସହ ଦାଖଲ କରିବେ, ନଚେତ ସେମାନଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯିବ ଓ ନିର୍ବାଚନ ଫିସ୍‌ରେ ଛାଡ଼ ପାଇଁ ସେମାନେ ବିବେଚିତ ହେବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ବୈଠକରେ ସୂଚନା ଦେଇଛନ୍ତି।

କାଉନ୍‌ସିଲର ପଦ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୫୦ ହଜାର ଟଙ୍କା ଓ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୨ ଲକ୍ଷ ଟଙ୍କା ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଛି। ନିର୍ବାଚନ ସମୟରେ କାଉନ୍‌ସିଲର ପଦ ନିମନ୍ତେ ଜଣେ ପ୍ରାର୍ଥୀ (ତିନି ଚକିଆ ଓ ଚାରିଚକିଆ ଯାନ) ମୋଟରେ ୨ ଗୋଟି ଯାନ ବ୍ୟବହାର କରିପାରିବେ। ଅଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ ଲଢ଼ୁଥିଲେ ଜଣେ ପ୍ରାର୍ଥୀ (ଦୁଇ ଚକିଆ ଓ ଚାରିଚକିଆ ଯାନ) ମୋଟରେ ୪ ଗୋଟି ଯାନ ବ୍ୟବହାର କରିପାରିବେ ବୋଲି ରାଜ୍ୟ ନିର୍ବାଚନ କମିଶନର ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ବିଜୟ କୁମାର ଦାଶ, ଆୟୋଗର ଯୁଗ୍ମ ସଚିବ ଆଜାଦ୍‌ ହିନ୍ଦ୍‌ ପାଣିଗ୍ରାହୀ, ଅଇନ୍‌ ଅଧିକାରୀ ମାଧୁରୀ ମିଶ୍ର, ଭାରତୀୟ ଜନତା ପାର୍ଟିର ଡ. ଜତୀନ୍‌ ମହାନ୍ତି ଓ ଜୟନ୍ତ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦରାୟ, ବିଜୁ ଜନତା ଦଳର ବିଧାୟକ ଅନନ୍ତ ନାରାୟଣ ଜେନା, ବହୁଜନ ସମାଜ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ମଧୁସୂଦନ ଯାଦବ, ସମାଜବାଦୀ ପାର୍ଟି, ଓଡ଼ିଶାର ସୁଦର୍ଶନ ପ୍ରଧାନ, ଆମ ଆଦ୍‌ମି ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ସୌମ୍ୟରଞ୍ଜନ ସ୍ୱାଇଁ, କଳିଙ୍ଗ ସେନାର ରାଜ୍ୟ ସାଧାରଣ ସଂପାଦକ ମନୋଜ କୁମାର ନାୟକ, କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆର ରାଜ୍ୟ ସଂପାଦକ ଜୟନ୍ତ ଦାଶ, ସମତାକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, କୃପା ପାର୍ଟିର ବିଶ୍ୱନାଥ ରାଉତ ଓ ମୋ ଦଳର ଅଶୋକ କୁମାର ମହନ୍ତି ପ୍ରମୁଖ ସର୍ବଦଳୀୟ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

kalyan agarbati

Comments are closed.