ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ୍ୟୁ: ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ, ୩ ଅଟକ
ଗୁରୁଡିଝାଟିଆ:ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁରେ ଛେଳିଚୋରିକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ୍ୟୁ ହୋଇଛି। ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅପରପକ୍ଷରେ ଏହି ଘଟଣାରେ ବହୁ ଅଭିଯୁକ୍ତ ସଂଶ୍ଲିଷ୍ଟ ଥିବାରୁ ଗିରଫ ଭୟରେ କୃଷ୍ଣପୁର ସଡକ ସାହି ପୁରୁଷଶୂନ୍ୟ ହୋଇଯାଇଛି। ଅଟକ ଥିବା ଅଭିଯୁକ୍ତଙ୍କ ଠାରୁ ତଥ୍ୟ ହାସଲ କରି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଉଦ୍ୟମ ଜାରି ରଖିଛନ୍ତି।
ଆଜି ମୃତ ପୁନିଆ ର ମୃତଦେହ ବ୍ୟବଚ୍ଛେଦ ହୋଇ କଟକ ବଡମେଡିକାଲରୁ ଆସିବା ପରେ ଗାଁରେ ଚାପା ଉତ୍ତେଜନା ଦେଖାଯାଇଥିଲା। ପରିବାର ସଦସ୍ୟ ନ୍ୟାୟ ପାଇବା ଦାବିରେ ଅଟଳ ରହିଥିଲେ। ଘଟଣାସ୍ଥଳରେ ଆଠଗଡ ତହସିଲଦାର ତଥା ମାଜିଷ୍ଟ୍ରେଟ ପ୍ରିୟବ୍ରତ ଦାସ , ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା ଓ ଖୁଣ୍ଟୁଣୀ ଥାନା ଅଧିକାରୀ ଶ୍ରୀ ଖୁଣ୍ଟିଆ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଅନ୍ତ୍ୟୋଷ୍ଟିକ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହାପରେ ମୃତଦେହ ସତ୍କାର କରାଯାଇଥିଲା।
ପ୍ରକାଶଯୋଗ୍ୟ ଗତ ଦୁଇଦିନ ତଳେ ଛେଳି ଚୋରି ସନ୍ଦେହରେ ସଡକ ସାହିର କେତେକ ଲୋକ ସଂଘବଦ୍ଧ ଭାବରେ କୃଷ୍ଣପୁର ଗ୍ରାମର ପୁନିଆ ଓ ପ୍ରକାଶକୁ ବାଟରୁ ଉଠାଇନେଇ କୋଠଘରେ ରଖି ମାଡମାରିଥିଲେ। ଏଥିରେ ପୁନିଆ ଗୁରୁତର ଆହତ ହୋଇପଡିଥିଲା। ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ରାତିରେ ତାର ମୃତ୍ୟୁ ଘଟିଥିଲା। ଏଥିରେ ପ୍ରକାଶ ନାମକ ଅନ୍ୟଜଣେ ଯୁବକ ଆହତ ହୋଇଥିଲା। ମୃତ ପୁନିଆର ମାଆ ବିରୁଆ ନାଏକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Comments are closed.