ପ୍ରତିଯୋଗିତା ମୂଳକ ଦୁନିଆରେ ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ
ବେଣ୍ଟପଦା ନୋଡାଲ ହାଇସ୍କୁଲର ବାର୍ଷିକ ଉତ୍ସବ
ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ବେଣ୍ଟପଦା ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ପ୍ରତିଭା ବିକାଶ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହି ପ୍ରତିଯୋଗିତା ମୂଳକ ଦୁନିଆରେ ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ ସହିତ ସେମାନଙ୍କର ବୌଦ୍ଧିକ ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ।
ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଚୈତନ୍ୟ ବେହେରା ଯୋଗଦେଇ ସରକାରଙ୍କର ବିଦ୍ୟାଳୟ ରୂପାନ୍ତରିକରଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ଏବଂ ବିଦ୍ୟାଳୟ ଗୁଡିକରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନିଯୁକ୍ତି ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାମାନେ ପିତାମାତା, ଗୁରୁଜନଙ୍କୁ ଭକ୍ତି କରିବା ସହିତ ନିଜ ଉଚ୍ଚାରଣ ଓ ଆଚରଣରେ ଶୃଙ୍ଖଳା ପ୍ରଦର୍ଶନ କରିବା ଜରୁରୀ ବୋଲି ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବିଜୟ କୁମାର ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ, ସରପଞ୍ଚ ଶ୍ରୀକାନ୍ତ ପଣ୍ଡା ଓ ସମିତି ସଭ୍ୟ ରୂପ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ବିଭିନ୍ନ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଗାୟତ୍ରୀ ମିଶ୍ର, ପ୍ରିୟମ୍ବଦା ସାହୁ ଓ ସୌମ୍ୟାଶ୍ରୀ ବେହେରାଙ୍କୁ ମନ୍ତ୍ରୀ ସମ୍ମାନିତ କରିଥିଲେ।
ଏଥି ସହିତ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟର ଉନ୍ନତି ପାଇଁ ସାହାଯ୍ୟ କରିଥିବା ନରେନ୍ଦ୍ର ସାହୁ, କନକ ସାହୁ ଓ କର୍ପୂରବାଳା ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀ ଶ୍ରୀ ଗଣେଶ ଗୀତିନାଟ୍ୟ ସହିତ ପରିବେଷଣ କରିଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନ ମୋହି ନେଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ପରିଚାଳନା କମିଟି ସଭାପତି ବିଭୂପ୍ରସାଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.