ଓଡ଼ିଶା ଧାନ ଉତ୍ପାଦନରେ ଏକ ବଳକା ରାଜ୍ୟ
ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ରର ପ୍ରତିନିଧି ମଣ୍ଡଳୀଙ୍କ ସହ କୃଷି ମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର: ରାଜ୍ୟରେ ଧାନ ଫସଲର ବିବିଧତା ଓ ଜଳବାୟୁ ସହନଶୀଳ ଫସଲ ଚାଷର ବହୁଳ ପ୍ରସାର ତଥା ଚାଷୀମାନଙ୍କ ମଧ୍ୟରେ ଆଦୃତି ଆଣିବା ଦିଗରେ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ଏବଂ ଏ ଦିଗରେ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ରର ସହଯୋଗ ସ୍ୱାଗତ ଯୋଗ୍ୟ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ଫିଲିପାଇନ୍ସର ମାନିଲାସ୍ଥିତ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ରର ପ୍ରତିନିଧି ମଣ୍ଡଳୀଙ୍କ ସହ ଆଲୋଚନା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଓଡ଼ିଶା ଧାନ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇଥିବାବେଳେ ଜଳବାୟୁର ପରିବର୍ତ୍ତନ ଓ ଅନିୟମିତତାକୁ ଦୃଷ୍ଟିରେ ରଖି ଧାନ ଫସଲରେ ବିବିଧତା ଆଣିବା ଓ ଜଳବାୟୁ ସହନଶୀଳ ଫସଲ କରି ଚାଷୀମାନଙ୍କର ଆୟବୃଦ୍ଧି ନିମନ୍ତେ ସମସ୍ତ ସମ୍ଭାବନାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉପଯୋଗ କରାଯାଉଛି ।
ବୈଠକରେ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ରର ଦକ୍ଷିଣ-ଏସିଆର ବୈଜ୍ଞାନିକ ଡ. ସ୍ୱାତି ନାୟକ ଏବଂ ଧାନ ଗବେଷଣା କେନ୍ଦ୍ରର ଓଡ଼ିଶା ରାଜ୍ୟ ସଂଯୋଜକ ଡ. ମୁକୁନ୍ଦ ଭାରିୟାର ସଅଳ କିସମର ଧାନ ଏବଂ ମରୁଡ଼ି ପ୍ରତିରୋଧୀ ଧାନ ଚାଷ ଉପରେ ଗୁରୁତ୍ୱ ଦେଇଥିଲେ। ଏଥି ସହିତ ବୈଠକରେ ଅଣ-ବାସମତି ଚାଉଳ ଏବଂ ବାୟୋଫର୍ଟିଫାଏଡ୍ ଚାଉଳ ଉତ୍ପାଦନର ସୁଯୋଗ ସଂପର୍କରେ ଆଲୋଚନା ହୋଇଥିଲା। ଧାନଚାଷ ନିମନ୍ତେ ପ୍ରଚୁର ଜଳର ଆବଶ୍ୟକତା ଦୃଷ୍ଟିରୁ ମାଟି ଉପରେ ବୋହି ଯାଉଥିବା ଜଳରାଶିର ସର୍ବାଧିକ ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଆଲୋଚନା ଅବସରରେ ପ୍ରତିନିଧିଦଳ ଗବେଷଣା କେନ୍ଦ୍ର ପକ୍ଷରୁ ବିକଶିତ ବିଭିନ୍ନ କିସମର ଅଧିକ ଅମଳକ୍ଷମ ଧାନ ବିହନ ସଂପର୍କରେ ଆଲୋକପାତ କରିଥିଲେ । ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟ ଭାରତରେ ଅବସ୍ଥାପିତ ବୈଜ୍ଞାନିକ ଏସ୍.କେ. ମୋସାରାଫ୍ ହୋସେନ୍ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ର ପକ୍ଷରୁ ରାଜ୍ୟରେ କର୍ମଶାଳା ଓ ସେମିନାର ଆୟୋଜନ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ।
Comments are closed.