କାର୍ଯ୍ୟକ୍ରମରେ ସୋନୁ ନିଗମଙ୍କୁ ଦୁର୍ବ୍ୟବହାର; ବିଧାୟକଙ୍କ ପୁଅ ବିରୋଧରେ ମାମଲା ରୁଜୁ
ମୁମ୍ବାଇ: ଚେମ୍ବୁରରେ ଏକ କାର୍ଯ୍ୟକ୍ରମ ସମୟରେ ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ସହ ଧସ୍ତାଧସ୍ତି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଠାକରେ ଦଳର ବିଧାୟକ ପ୍ରକାଶ ଫାଟେରପେକରଙ୍କ ପୁଅ ସ୍ବପ୍ନିଲ୍ ଫାଟେରପେକର ସୋନୁ ନିଗମ ଓ ତାଙ୍କ ଟିମ୍ ସଦସ୍ୟଙ୍କୁ ଧକ୍କା ମାରିଥିବା ସୂଚନା ମିଳିଛି। ଏଥିରେ ସୋନୁ ତଳେ ପଡ଼ି ଯାଇଥିଲେ। ଘଟଣାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ତେବେ ଗାୟକଙ୍କ ଅଭିଯୋଗ ଆଧାରରେ ବିଧାୟକଙ୍କ ପୁଅ ସ୍ବପ୍ନିଲ୍ ଫାଟେରପେକରଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଆଇପିସି ଧାରା ୩୪୧, ୩୨୩, ୩୩୭ ଅନୁଯାୟୀ ବିଧାୟକ ପ୍ରକାଶ ଫାଟେରପେକରଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସୂଚନା ଅନୁସାରେ ବିଧାୟକ ପ୍ରକାଶ ଫାଟେରପେକର ସୋମବାର ରାତିରେ ଚେମ୍ବୁର ମହୋତ୍ସବର ଆୟୋଜନ କରିଥିଲେ। ଏଥିରେ ଗାୟକ ସୋନୁ ନିଗମ୍ଙ୍କ ଶୋ’ ଥିଲା। ଶୋ’ ସରିବା ପରେ ସୋନୁ ମଞ୍ଚରୁ ଓହ୍ଲାଇବା ସମୟରେ ବିଧାୟକଙ୍କ ପୁଅ ସ୍ପପ୍ନିଲ୍ ଓ ତାଙ୍କର କିଛି ସମର୍ଥକ ସେଲ୍ଫି ନେବା ପାଇଁ ସୋନୁଙ୍କ ନିକଟକୁ ଯାଇଥିଲେ। ହେଲେ କଣ୍ଠଶିଳ୍ପୀଙ୍କ ଟିମ୍ର ସଦସ୍ୟ ତାଙ୍କୁ ଚିହ୍ନିନପାରି ସୋନୁଙ୍କ ପାଖକୁ ସ୍ବପ୍ନିଲ୍ଙ୍କୁ ଛାଡ଼ିନଥିଲେ। ଏହି କଥାକୁ ନେଇ ବିଧାୟକଙ୍କ ପୁଅ ସ୍ବପ୍ନିଲଙ୍କ ସମର୍ଥକ ଓ ସୋନୁ ନିଗମଙ୍କ ଟିମ୍ ମଧ୍ୟରେ ବିବାଦ ଉପୁଜିିଥିଲା ଓ ଧସ୍ତାଧସ୍ତି ହୋଇଥିଲା। ଏଥିରେ ସୋନୁ ନିଗମ ତଳେ ପଡ଼ିଯାଇଥିବା ବେଳେ ତାଙ୍କ ଟିମ୍ର କିଛି ସଦସ୍ୟ ମଧ୍ୟ ଆହତ ହୋଇଥିଲେ।
ଏହାପରେ ବିଳମ୍ବିତ ରାତିରେ ସୋନୁ ନିଗମ ଚେମ୍ବୁର ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ବିଧାୟକଙ୍କ ପ୍ରକାଶ ଫାଟେରପେକରଙ୍କ ପୁଅଙ୍କ ବିରୋଧରେ ଆଇପିସି ଧାରା ୩୪୧, ୩୨୩, ୩୩୭ ଅନୁଯାୟୀ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
Comments are closed.