କେନ୍ଦୁଝରଗଡ଼: ଚାଷ ଜମିରେ ବନୀକରଣ ବନ୍ଦ ସାଙ୍ଗକୁ ପୋଡୁଚାଷୀଙ୍କୁ ତୁରନ୍ତ ଜମିର ପଟ୍ଟା ପ୍ରଦାନ ଦାବିରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଙ୍ଗଠନ(ଏଆଇକେକେଏମ୍ଏସ୍) ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ଜିଲା ସଭାପତି ଘନଶ୍ୟାମ ମହାନ୍ତଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ କାଳୀପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଙ୍ଗଠନର ରାଜ୍ୟ ସମ୍ପାଦକ ରଘୁନାଥ ଦାସ ଏହି ବିକ୍ଷୋଭ ସମାବେଶରେ ଯୋଗଦେଇ ୨୦୦୬ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ଦଖଲକାରୀଙ୍କ ନାମରେ ପଟ୍ଟା ପ୍ରଦାନ ପରିବର୍ତ୍ତେ ବନୀକରଣ ନାମରେ ପୁରୁଷ ପୁରୁଷ ଧରି ବସବାସ କରି ଆସୁଥିବା ନିରୀହ ଆଦିବାସୀଙ୍କ ଉଛେଦ କରିବା ପ୍ରକ୍ରିୟାକୁ ତୀବ୍ର ସମାଲୋଚନା କରିବା ସହିତ ତୁରନ୍ତ ବନୀକରଣ ବନ୍ଦ କରିବା, ଦଖଲୀକୃତ ଜମିକୁ ପଟ୍ଟା ପ୍ରଦାନ କରିବା ପାଇଁ ଦାବି କରିଥିଲେ।
ସଙ୍ଗଠନର ସର୍ବଭାରତୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରକାଶ ମଲ୍ଲିକ ଓ ଜିଲା ସମ୍ପାଦକ ବେଣୁଧର ସର୍ଦ୍ଦାର ଯୋଗଦେଇ ଚାଷୀ ମୂଲିଆମାନଙ୍କ ଉପରେ ହେଉଥିବା ବିଭିନ୍ନ ପ୍ରକାର ଅତ୍ୟାଚାର ବିରୋଧରେ ଦୀର୍ଘସ୍ଥାୟୀ ଚାଷୀମୂଲିଆ ଆନ୍ଦୋଳନ ପାଇଁ ଉପସ୍ଥିତ ଚାଷୀ ମୂଲିଆଙ୍କୁ ଆହ୍ୱାନ ଦେଇଥିଲେ। ବିଶେଷକରି ପୋଡୁ ଚାଷୀଙ୍କୁ ସେମାନଙ୍କ ଚାଷ ଜମିକୁ ତୁରନ୍ତ ଜମି ପଟ୍ଟା ପ୍ରଦାନ, ପୋଡୁ ଚାଷ କରୁଥିବା ଜମିରେ ତାରବାଡ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା, ମାଗଣାରେ ବିହନ, ସାର ଓ କୀଟନାଶକ ପୋଡୁ ଚାଷୀଙ୍କୁ ଯୋଗାଇ ଦେବା, ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨କୁ ପ୍ରତ୍ୟାହାର କରିବା, ମନରେଗା ଯୋଜନାରେ ମୂଲିଆ ମାନଙ୍କୁ ଦୈନିକ ୬୦୦ଟଙ୍କା ମଜୁରୀ ପ୍ରଦାନ ସହ ବର୍ଷତମାମ କାର୍ଯ୍ୟ ଯୋଗାଇ ଦେବା, ଏମଏସ୍ପିକୁ ଆଇନର ଗ୍ୟରେଣ୍ଟି ଦେବା, ବିଦ୍ୟୁତ୍ ବିଲ ୨୦୨୨କୁ ପ୍ରତ୍ୟାହାର ଆଦି ଦାବିରେ ଏହି ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା। ସଙ୍ଗଠନର ସର୍ବଭାରତୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରକାଶ ମଲ୍ଲିକଙ୍କ ନେତୃତ୍ୱରେ ସଦସ୍ୟ ମନୁ ନାଏକ, ଜଗନ୍ନାଥ ପ୍ରଦାନ, ଫଗୁ ଗିରି, ନରେନ୍ଦ୍ର ଦେହୁରୀ ପ୍ରମୁଖ ଏକ ପ୍ରତିନିଧିମଣ୍ଡଳୀ ୭ଦଫା ସମ୍ବଳିତ ଦାବିପତ୍ରକୁ ଜିଲା ପ୍ରଶାସନକୁ ପ୍ରଦାନ କରିଥିଲେ।



