ମସ୍କୋ : ରୁଷ୍ ଗସ୍ତରେ ଯାଇଥିବା ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡାଭୋଲ ଗୁରୁବାର ସେଠାକାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଆଫଗାନିସ୍ତାନ ପରିସ୍ଥିତି ନେଇ ମସ୍କୋରେ ଆୟୋଜିତ ହେଉଥିବା ଏକ ଆଲୋଚନାଚକ୍ରରେ ଯୋଗ ଦେବାକୁ ଯାଇଥିବା ଡାଭୋଲ ରୁଷ୍ ରାଷ୍ଟ୍ରପତି ପୁଟିନ୍ଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ମସ୍କୋସ୍ଥିତ ଭାରତୀୟ ଦୂତାବାସ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ପୁଟିନ-ଡାଭୋଲ ଆଲୋଚନା ସମୟରେ ଦ୍ବିପାକ୍ଷିକ ସମ୍ପର୍କ ଅଧିକ ମଜଭୁତ୍ କରିବାକୁ ମତପ୍ରକାଶ ପାଇଥିଲା। ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ୍ କରିବା ପାଇଁ ଉଭୟ ଦେଶ ମିଳିମିଶି କାମ କରିବାକୁ ସମ୍ମତି ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଆଫଗାନିସ୍ତାନ ପରିସ୍ଥିତି ନେଇ ଆୟୋଜିତ ଆଲୋଚନାଚକ୍ରରେ ଡାଭୋଲ କହିଥିଲେ ସେଠାରେ ଏକ ନିର୍ବାଚିତ ସରକାର ଶାସନ କରୁ ବୋଲି ଭାରତର ମତ। ଏଥିସହ ଆତଙ୍କବାଦ ବିଲୋପ ନିମନ୍ତେ ମିଳିତ ପ୍ରୟାସ ଆବଶ୍ୟକ। ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ଆଫଗାନିସ୍ତାନ ମାଟିକୁ ଯେପରି କେହି ବ୍ୟବହାର ନ କରନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ରଖାଯିବାକୁ ଡାଭୋଲ ପ୍ରସ୍ତାବ ଦେଇଥିଲେ। ସେହିପରି ଆଫଗାନିସ୍ତାନରେ ଥିବା ଖଣିଜ ସମ୍ପଦ ଯେପରି ସେହି ଦେଶର ଲୋକଙ୍କ ହିତରେ ଲାଗି ପାରିବ ସେଥିପ୍ରତି ଦୃଷ୍ଟି ଦିଆ ଦେବାକୁ ଡାଭୋଲ କହିଥିଲେ। ଏହି ଆଲୋଚନାଚକ୍ରରେ ଭାରତ ବ୍ୟତୀତ ରୁଷ୍, ଇରାନ, କାଜଖସ୍ତାନ, କିର୍ଗିସ୍ତାନ, ଚୀନ୍, ତାଜିକସ୍ତାନ, ତୁର୍କମେନିସ୍ତାନ, ଉଜବେକିସ୍ତାନ ଆଦି ଦେଶର ପ୍ରତିନିଧି ଯୋଗ ଦେଇଥିଲେ। ଆଫଗାନିସ୍ତାନ ନାଗରିକକୁ ସବୁପ୍ରକାର ସହାୟତା ପ୍ରଦାନପୂର୍ବକ ସେହି ଦେଶକୁ ଏକ ସମୃଦ୍ଧଶାଳୀ ରାଷ୍ଟ୍ରର ପରିଚୟ ଦେବାକୁ ଭାରତ ସର୍ବଦା ପ୍ରୟାସଶୀଳ ବୋଲି ଡୋଭାଲ୍ କହିଥିଲେ।



