ପତ୍ନୀ ଓ ଦୁଇ ଝିଅଙ୍କୁ ହରାଇ ୭୨ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକ

ଅଙ୍କାରା : ତୁର୍କୀ ଭୂମିକମ୍ପର ହୃଦୟ ବିଦାରକ ଘଟଣା ମନକୁ ଆନ୍ଦୋଳିତ କରିବାରେ ଲାଗିଛି। ଅନେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିବାରୁ ଲୋକ ଭଗ୍ନାବଶେଷ ମଧ୍ୟରେ ଚାପି ହୋଇ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି। ଜଣେ ନିଜ ଆତ୍ମୀୟସ୍ବଜନ ଆଗରେ ପ୍ରାଣ ହରାଉଥିବାବେଳେ ମୁହଁରେ ପାଣି ଟୋପାଏ ମଧ୍ୟ ଦେଇପାରୁ ନାହିଁ। ତୁର୍କୀର ହାଟଏ ପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ସମ୍ମୁଖରେ ତାଙ୍କ ପତ୍ନୀ ଓ ଦୁଇ ଝିଅ ପ୍ରାଣ ହରାଇଥିବାବେଳେ ସାହାଯ୍ୟ ତ ଦୂରର କଥା ସେ ପାଣି ଟୋପାଏ ମଧ୍ୟ ପତ୍ନୀ ଓ ପିଲାଙ୍କ ମୁହଁରେ ଦେଇପାରି ନଥିଲେ। ଅବଦୁଲାଲିମ୍ ମୋଇନ ଓ ତାଙ୍କ ପରିବାର ଭୂମିକମ୍ପ ଯୋଗୁଁ ଭଗ୍ନାବଶେ​‌ଷ ମଧ୍ୟରେ ଚାପି ହୋଇଯାଇଥିଲେ। ପତ୍ନୀ ଓ ଦୁଇ ପିଲା ଗୁରୁତର ଆହତ ହୋଇଥିଲେ। ମାତ୍ର ସେମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇପାରି ନଥିଲା। ଫଳରେ ଆହତ ଜନିତ କଷ୍ଟ ଯନ୍ତ୍ରଣାରେ ପତ୍ନୀ ଓ ଦୁଇ ପିଲା ପ୍ରାଣ ହରାଇଥିଲେ। ପତ୍ନୀ ଓ ପିଲାଙ୍କୁ ସାହାଯ୍ୟ କରିବା ମଧ୍ୟ ମୋଇନଙ୍କ ପକ୍ଷେ ସମ୍ପୂର୍ଣ୍ଣ ଅସମ୍ଭବ ଥିଲା। ତାଙ୍କ ଗୋଡ ଦୁଇଟି ଉପରେ କଂକ୍ରିଟ ଛାତ ଚାପି ହୋଇ ରହିଥିବାରୁ ସେଠାରୁ ସେ ନିଜେ ବହାରି ପାରି ନଥିଲେ। ୭୨ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ମୋଇନଙ୍କୁ ଉଦ୍ଧାର କରିଥିଲେ। ସେତେବେଳେକୁ ସେ ମଧ୍ୟ ଏକପ୍ରକାର ନିସ୍ତେଜ ପାଲଟିଯାଇଥିଲେ। ଏବେ ତାଙ୍କୁ ଚିକିତ୍ସା କରାଯାଉଛି। ମୋଇନ ସିରିୟାର ବାସିନ୍ଦା ହୋଇଥିବାବେଳେ ଯୁଦ୍ଧ ଯୋଗୁଁ ସେ ତୁର୍କୀ ଚାଲିଆସିଥିଲେ। ଏଠାରେ ସେ ଇସ୍ରାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ଜନ୍ମ ହୋଇଥିଲେ।

Comments are closed.