www.samajalive.in
Monday, December 15, 2025
15.1 C
Bhubaneswar

ଖତ ଖାଉଛି ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ତହସିଲ ଷ୍ଟାଫ୍ କ୍ୱାର୍ଟର

ରେଙ୍ଗାଲି: ସରକାରୀ ଟଙ୍କାରେ ନିର୍ମିତ ଘର କିମ୍ବା ଅନ୍ୟ କୌଣସି ନିର୍ମାଣ ଅକାରଣରେ ନଷ୍ଟ ହେଉଥିବା ଦେଖିଲେ ଲୋକେ କହନ୍ତି ସରକାର୍ କା ମାଲ୍ ଦରିୟା ମେ ଡାଲ୍ । ଏହି ଉକ୍ତିର ଯଥାର୍ଥତା ତଥା ଜ୍ୱଳନ୍ତ ଉଦାହରଣ ହେଉଛି ସମ୍ବଲପୁର ଜିଲ୍ଲାର ରେଙ୍ଗାଲିଠାରେ ଥିବା ତହସିଲ ଅଫିସ ପଛ ପଟେ ଦୀର୍ଘ ବର୍ଷ ହେଲା ଅବ୍ୟବହୃତ ହୋଇ ଭୂତ କୋଠି ପାଲଟି ଖତ ଖାଉଥିବା ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଷ୍ଟାଫ୍ କ୍ୱାର୍ଟର । ରାଜସ୍ୱ ଆଦାୟରେ ରାଜ୍ୟରେ ସର୍ବଦା ଅଗ୍ରଣୀ ରହୁଥିବା ରେଙ୍ଗାଲି ତହସିଲରେ କାର୍ଯ୍ୟରତ ତହସିଲଦାର, ଅତିରିକ୍ତ ତହସିଲଦାରଠାରୁ ଆରମ୍ଭ କରି କିରାଣୀ, ପିଅନଙ୍କ ଭଳି ସମସ୍ତ କର୍ମଚାରୀଙ୍କ ରହିବା ପାଇଁ ସରକାରୀ ତହବିଲରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଫ୍ କ୍ୱାର୍ଟର ନିର୍ମାଣ କରାଯାଇଛି । କିନ୍ତୁ ବିଡମ୍ବନାର ବିଷୟ ଯେ, ସରକାରୀ ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଫ୍ କ୍ୱାର୍ଟରମାନଙ୍କରେ ଦୀର୍ଘ ବର୍ଷ ହେଲା କୌଣସି ଅଧିକାରୀ କି କର୍ମଚାରୀ ରହୁ ନାହାନ୍ତି । ଦୀର୍ଘ ବର୍ଷ ହେଲା ଅବ୍ୟବହୃତ ଏବଂ ପରିତ୍ୟକ୍ତ ଅବସ୍ଥାରେ କ୍ୱାର୍ଟରଗୁଡିକ ପଡିରହି ଖତ ଖାଉଛି । କ୍ୱାର୍ଟର ଅଞ୍ଚଳରେ ଘଞ୍ଚ ଅରମା ଜଙ୍ଗଲ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳୁଛି । କ୍ୱାର୍ଟରମାନଙ୍କରେ ଲାଗିଥିବା ଝରକା, କବାଟ, ଚୌକାଠ ବୈଦ୍ୟୁତିକ ସାମଗ୍ରୀ ଆଦି ଚୋରି ହେବାରେ ଲାଗିଛି । ଏହି କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀ ଘର ଭଡା ନେଇ ଦୂର ସହର ଏବଂ ନିଜ ଗାଁରୁ ଯାତାୟତ କରୁଛନ୍ତି ପଛକେ ସେମାନଙ୍କ ପାଇଁ ନିର୍ମିତ କ୍ୱାର୍ଟରରେ ରହୁ ନାହାନ୍ତି । ଫଳରେ ସରକାରୀ ଟଙ୍କାରେ ନିର୍ମିତ କ୍ୱାର୍ଟରଗୁଡିକ ବ୍ୟବହାର ନହୋଇ ଅକାରଣରେ ଖତ ଖାଉଛି । ଏହି ପ୍ରକ୍ରିୟା ଜାରି ରହିଲେ ଆଉ କିଛି ବର୍ଷ ପରେ ଷ୍ଟାଫ୍ କ୍ୱାର୍ଟର ସବୁ ମାଟିରେ ମିଶି ନିଶ୍ଚିହ୍ନ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।

ରେଡକ୍ରସ୍ ସୋସାଇଟିର ଜନୈକ ସଭ୍ୟଙ୍କ କହିବା ଅନୁଯାୟୀ, ଅବ୍ୟବହୃତ ହୋଇ ପଡିଥିବା କ୍ୱାର୍ଟର ମଧ୍ୟରୁ ଦୁଇଟି କ୍ୱାର୍ଟରରେ ରେଡକ୍ରସ ସୋସାଇଟିର ହେଲ୍ପିଂ ହେଣ୍ଡ୍ ଅଫିସ ଖୋଲିବା ପାଇଁ ଯୋଗାଇ ଦେବାକୁ କୁଆଡେ ଅନୁରୋଧ କରଯାଇଥିଲା । କିନ୍ତୁ ପରିତାପର ବିଷୟ ଯେ, କ୍ୱାର୍ଟରଗୁଡିକ ଖତ ଖାଉଛି ପଛକେ ହେଲ୍ପିଂ ହେଣ୍ଡ୍ ଅଫିସ ପାଇଁ କ୍ୱାର୍ଟର ଦେବାକୁ ମନା କରି ଦିଆଗଲା । ବିଭଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଅବ୍ୟବହୃତ ହୋଇ ଅକାରଣରେ ଖତ ଖାଉଥିବା ତହସିଲ ଅଫିସ ଷ୍ଟାଫ୍ କ୍ୱାର୍ଟରଗୁଡିକର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସଚେତନ ନାଗରିକ ମହଲରେ ଦାବି ହେଉଛି । ତହସିଲ ଅଫିସ ଷ୍ଟାଫ୍ କ୍ୱାର୍ଟରରେ ଯଦି ରହିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ତେବେ ଏହି କ୍ୱାର୍ଟରଗୁଡିକ ଅନ୍ୟ ସରକାରୀ କାମରେ କିମ୍ବା ସରକାରୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ ପାଇଁ ବ୍ୟବହାର କରାଯାଉ ବୋଲି ମଧ୍ୟ ବିଭିନ୍ନ ମହଲରେ ମତପ୍ରକାଶ ପାଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories