ବନ୍ଦ ସ୍କୁଲ ଖୋଲିବା ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା
ବୌଦ୍ଧ : କରୋନା ସମୟରେ ବୌଦ୍ଧ ସଦର ବ୍ଲକ ତାଳସରଡ଼ା ପଞ୍ଚାୟତ ସିଙ୍ଗାରୀ ଗ୍ରାମର ପ୍ରାଥମିକ ସ୍କୁଲ ଅନ୍ୟ ସ୍କୁଲରେ ମିଶ୍ରଣ ହୋଇଛି । ମିଶ୍ରଣ ହୋଇଥିବା ସ୍ମୁଲର ଦୂରତା ଦୁଇ କିମି ହୋଇଥିବାରୁ ଯିବା ଆସିବାରେ ଅସୁବିଧା ହେଉଛି । ସେଥିରେ ପୁଣି ୫୭ ନଂ ଜାତୀୟ ରାଜପଥ ଅତିକ୍ରମ କରିବା ଭଳି ବିପଦ ରହିଛି। ଫଳରେ ଅଭିଭାବକମାନେ ନିଜ ପିଲାଙ୍କୁ ସ୍କୁଲକୁ ଛାଡ଼ିବାକୁ ଭୟ କରୁଛନ୍ତି । ଏବେ ସ୍କୁଲକୁ ନଛାଡ଼ି ଟ୍ୟୁସନ ମାଷ୍ଟର ରଖି ପାଠ ପଢ଼ାଉଛନ୍ତି । ଅଭିଯୋଗ ଅନୁସାରେ ଗ୍ରାମରେ ୪୦ ଛାତ୍ରଛାତ୍ରୀ ଥିଲେ ସୁଦ୍ଧା ୨୦୨୦ ମସିହା ଲକଡାଉନ ସମୟରେ ସିଙ୍ଗାରୀ ପ୍ରାଥମିକ ସ୍କୁଲକୁ ଟାଇଞ୍ଜନ ୟୁପି ସ୍କୁଲ ସହ ମିଶ୍ରଣ କରାଯାଇଛି । ଗାଁରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ଥିଲେ ସୁଦ୍ଧା କାହିଁକି ସ୍କୁଲ ଖୋଲା ଯାଉ ନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଏ ନେଇ ୨୦୨୦ ମସିହା ଅକ୍ଟୋବର ୨୧ ତାରିଖ, ୨୦୨୨ ସେପ୍ଟେମ୍ବର ୨୬ ତାରିଖରେ ଜିଲ୍ଲାପାଳ ଓ ସେପ୍ଟେମ୍ବର ୧୬ ତାରିଖରେ ଡିଇଓଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ଅକ୍ଟୋବର ୭ ତାରିଖରେ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଛନ୍ତି । ତଥାପି ସ୍କୁଲ ଖୋଲିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ଅଭିଭାବକମାନେ ସୋମବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ସଦର ତହସିଲଦାର ଦେବୀ ପ୍ରସାଦ ଦାଶ ଆନ୍ଦୋଳନସ୍ଥଳକୁ ଆସି ବୁଝାସୁଝା କରିଥିଲେ । ଗୁରୁବାର ଏକ ଦଳ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନରୁ ହଟିଥିଲେ।
Comments are closed.