ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ

ଚୌଦ୍ୱାର : ଚୌଦ୍ୱାର ସାହିତ୍ୟ ସଂସଦ ଓ ସାଧୁସୁନ୍ଦର ସ୍ମୃତି କମିଟିର ମିଳିତ ଆନୁକୁଲ୍ୟରେ ଶରତ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବିଶ୍ୱକଲ୍ୟାଣ ଦାସଙ୍କ ପୌରୋହିତ୍ୟରେ କୁଜିବରସ୍ଥିତ ମହାତ୍ମା ସାଧୁସୁନ୍ଦର ପୀଠରେ ଆୟୋଜିତ ଏହି ସାରସ୍ୱତ ସମାରୋହରେ ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ସ୍ତମ୍ଭକାର ସୁକାନ୍ତ କୁମାର ମହାନ୍ତି ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ଓ ଆକର୍ଷଣ ସୃଷ୍ଠି ଦିଗରେ ପ୍ରଚେଷ୍ଟା ହେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଉପସଭାପତି ଜୀବନାନନ୍ଦ ଅଧିକାରୀ, ସାଧାରଣ ସଂପାଦକ ଆଦିତ୍ୟ ପ୍ରତାପ ଧଳ, ସଂଗଠନ ସଂପାଦକ ସୁନାମଣି ରାଉତ, ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ, କୋଷାଧ୍ୟକ୍ଷ ଶିବାଶିଷ କରଙ୍କୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଟକ ଶ୍ରୀରାମଚନ୍ଦ୍ର ଭବନରେ ମହାତ୍ମା ସାଧୁସୁନ୍ଦରଙ୍କ ତୈଳଚିତ୍ର ସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ମୃତି କମିଟି ଓ ସାହିତ୍ୟ ସଂସଦ ପକ୍ଷରୁ ଉକ୍ରଳ ସାହିତ୍ୟ ସମାଜର କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କବି କରୁଣାକର ବେହେରାଙ୍କ ରଚିତ ‘ସନ୍ଥ ସାଧୁସୁନ୍ଦର’ ଓ କୃଷ୍ଣଚନ୍ଦ୍ର ପ୍ରତାପ ସିଂହଙ୍କ ପୁସ୍ତକ ‘ଭ୍ରମଣ କାହାଣୀ’ ଲୋକାର୍ପିତ ହୋଇଥିଲା। ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀନିବାସ ବେହେରାଙ୍କ ଅଧ୍ୟକ୍ଷତାରେ ତଥା ଅକ୍ଷୟ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅଞ୍ଚଳର ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ। ସଂସଦର ସଂପାଦକ ଦିବ୍ୟଜ୍ୟୋତି ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂଗଠନ ସଂପାଦକ ଚନ୍ଦ୍ର ପ୍ରକାଶ ପଟ୍ଟନାୟକ, ଭାସ୍କର ପ୍ରସାଦ ମହାପାତ୍ର, ସରିତା ଦାସ, ଅନ୍ତର୍ଯ୍ୟାମୀ ଦାସ, ବାସୁଦେବ ସାହୁ, ଉମେଶ ସାହାଣୀ, ଅନିତା ସାହୁ, ଦୁର୍ଗାଶିଷ ପଟ୍ଟନାୟକ, ଅଜିତ କୁମାର ସ୍ୱାଇଁ, ସତ୍ୟଭାମା ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ମୃତି କମିଟିର ସଂପାଦକ ଶରତ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.