ଧବଳେଶ୍ୱରଙ୍କ ଗଜଭୋଗ ବାଣ୍ଟିଲେ ଅଭୟ ବାରିକ
ଆଠଗଡ : କରୋନା ମହାମାରୀ ଯୋଗୁଁ ୨୦୨୦-୨୧ ଦୁଇ ବର୍ଷ ଧରି ପ୍ରଭୁ ଶ୍ରୀ ଧବଳେଶ୍ୱରଙ୍କ ପ୍ରସିଦ୍ଧ ବଡଓଷା ଯାତ୍ରା ଦେଖିବାରୁ ଶ୍ରଦ୍ଧାଳୁ ବଞ୍ଚିତ ଥିଲେ। ଚଳିତବର୍ଷ ମଧ୍ୟ ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇ ଶ୍ରଦ୍ଧାଳୁଙ୍କ ଧବଳେଶ୍ୱର ପୀଠକୁ ଯିବା ଲାଗି ବାରଣ କରାଯାଇଛି। ଏଥିପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଦୁଃଖ ଓ ଅସନ୍ତୋଷ ପ୍ରକାଶ ପାଇଥିଲା। ସାଧାରଣ ଭକ୍ତଟିଏ ବଡଓଷାରେ ଧବଳେଶ୍ୱରଙ୍କର ଗଜଭୋଗ ଟିକିଏ ପାଇବାରୁ ବଞ୍ଚିତ ହେଉଥିବା ଦେଖି ଯୁବ ସଂଗଠକ ତଥା ପୂର୍ବତନ ସୈନିକ ଅଭୟ କୁମାର ବାରିକ ନିଦ ଉଦ୍ୟମରେ ବହୁ ପରିମାଣର ଗଜଭୋଗ ଧବଳେଶ୍ୱରଙ୍କ ଠାରେ ଲାଗି କରିବା ସହିତ ଆଠଗଡର ବିଭିନ୍ନ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସୋମବାର ବଣ୍ଟନ କରିଥିଲେ। ଅଭୟ ପାଞ୍ଚଗାଁ, ତିଗିରିଆ, ଆଠଗଡ, ଖୁଣ୍ଟୁଣୀ ଓ ଭୋଗରା ଆଦି ଅଞ୍ଚଳରେ ୫୦୦୦ରୁ ଅଧିକ ଗଜଭୋଗ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରିଥିଲେ। ଆଠଗଡ ସହରର ବାଉତୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର ନିକଟରେ ଶ୍ରୀ ବାରିକ ଶହ ଶହ ଶ୍ରଦ୍ଧାଳୁଙ୍କୁ ଗଜଭୋଗ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଗଜଭୋଗ ପାଇ ବେଶ୍ ଖୁସି ଅନୁଭବ କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଗଜଭୋଗ ବଣ୍ଟନ କାର୍ଯ୍ୟକ୍ରମରେ ସରୋଜ କୁମାର ଦାସ, ସୁନିଲ ସୁତାର, ପ୍ରଶାନ୍ତ ସାହୁ, ପ୍ରତାପ ନାୟକ, ଲୁଲୁ ଦାସ, ହେମନ୍ତ ନାୟକ, ମାନୁଆଲ ପାତ୍ର, ମନୋଜ ରାଉତ ଓ ଅକ୍ଷୟ ନାୟକ ପ୍ରମୁଖ ସହଯୋଗ କରିଥିଲେ ।
Comments are closed.