ଜାତୀୟ କର୍କଟ ରୋଗ ସଚେତନତା ଦିବସ

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ରାଧାଗୋବିନ୍ଦପୁର ଅଙ୍ଗନବାଡି କେନ୍ଦ୍ରଠାରେ ସୋମବାର ଜାତୀୟ କର୍କଟ ରୋଗ ସଚେତନତା ଦିବସ ପାଳନ ଅବସରରେ ଜନସଚେତନତା ନେଇ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସମଲଙ୍କ ସଂଯୋଜନା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସ ବିଶିଷ୍ଟ ବକ୍ତା ଭାବେ ଯୋଗଦେଇ କର୍କଟ ରୋଗର ସଠିକ୍‌ କାରଣ ଏ ପର୍ଯ୍ୟନ୍ତ ଜଣାନଥିଲେ ମଧ୍ୟ ଅନେକ ଗୁଡିଏ କାରଣରୁ ଏହି ରୋଗ ହୋଇଥାଏ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ସହରୀ ଜୀବନଶୈଳୀ, ଅପମିଶ୍ରିତ ଖାଦ୍ୟ, ତୈଳ ଓ ଚର୍ବିଜାତୀୟ ଖାଦ୍ୟ, ନିଶାଦ୍ରବ୍ୟ ସେବନ ସହିତ ଅନେକ କାରଣ ରହିଥିବାବେଳେ ସଚେତନତା ଅଭାବରୁ ରୋଗର ପ୍ରାଦୁର୍ଭାବ ବଢୁଛି ବୋଲି ଡାକ୍ତର ଦାସ ପ୍ରକାଶ କରିଥିଲେ। କର୍କଟରୋଗ ପ୍ରାୟ ୧୦୦ରୁ ଅଧିକ ପ୍ରକାର ଦେଖାଯାଉଥିବାବେଳେ ସେଥିମଧ୍ୟରୁ ମୁଖଗହ୍ୱର, ଜରାୟୁ, ରକ୍ତ, ଫୁସ୍‌ଫୁସ୍‌, ବୃକକ୍‌, ମଳଦ୍ୱାର, ହାଡ, ଚର୍ମ, ପ୍ରୋଷ୍ଟେଟ, ସ୍ତନ୍ୟ ଓ ମସ୍ତିଷ୍କ କର୍କଟ ବେଶି ଦେଖାଯାଉଛି। ଏହାର ଲକ୍ଷଣ ମଧ୍ୟରେ କୌଣସି ଘା’ ଦୁଇସପ୍ତାହରୁ ଅଧିକ ନଶୁଖିବା, ମାସଂ ବଢିବା ଓ ବଧିରା ଲାଗିବା, ପାଟି ଖୋଲିବାରେ କଷ୍ଟ ହେବା, ଖାଦ୍ୟ ଢୋକିବାରେ କଷ୍ଟ ହେବା, ପାଟିରେ ଧଳା ଓ ନାଲି ଦାଗ ଦେଖାଯିବା, ପାଟିରେ ଜଳାପୋଡା ହେବା, ହଠାତ୍‌ କଣ୍ଠ ପଡିଯିବା, ମହିଳାଙ୍କର ଅସମୟରେ ରକ୍ତସ୍ରାବ ହେବା, ପେଟରେ ଯନ୍ତ୍ରଣା ହେବା, ମଳଦ୍ୱାରରୁ ରକ୍ତ ପଡିବା ଭଳି ଘଟଣା ଘଟିଲେ ଆଦୌ ହେଲା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଇବା ଆବଶ୍ୟକ ବୋଲି ଡାକ୍ତର ଦାସ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ରୋଗ ଚିହ୍ନଟ ହେଲେ ସୁସ୍ଥ ହେବାର ସମ୍ଭାବନା ୮୦-୯୦ ପ୍ରତିଶତ ରହିଛି। ପାନ, ଗୁଟଖା, ଗୁଡାଖୁ, ବିଡି ଓ ସିଗାରେଟ ଆଦୌ ସେବନ ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା। ତମାଖୁରେ ୭ହଜାରରୁ ଅଧିକ ବିଷାକ୍ତ ପଦାର୍ଥ ରହିଥାଏ, ଯେଉଁଥିରୁ ପ୍ରାୟ ୬୦ଟି ପଦାର୍ଥ କର୍କଟ ରୋଗ ସୃଷ୍ଟିର କାରଣ ହୋଇଥାଏ । ତମାଖୁ ସେବନ ଦ୍ୱାରା ମୁଖ୍ୟତଃ ମୁଖଗହ୍ୱର, ଫୁସ୍‌ଫୁସ୍‌, ଜିଭ, ବାକ୍‌ଯନ୍ତ୍ର ଓ ମୁତ୍ରାଶୟରେ କର୍କଟ ରୋଗ ଦେଖାଯାଉଥିବାରୁ ଏ ସବୁ ତମାଖୁ ବର୍ଜନ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ସିଡିପିଓ ନବେଦିତା ରାୟ, ପରିଦର୍ଶିକା ପ୍ରମିଳା ଖୁଜୁର, ବ୍ଲକ ଯୋଜନା ସଂଯୋଜିକା ଅପର୍ଣ୍ଣା ମହାପାତ୍ର, ବାମ୍‌ ତନୁରେଖା ନାୟକ ପ୍ରମୁଖ ସମ୍ମାନିତ ବକ୍ତା ଭାବେ ଯୋଗଦେଇଥିଲେ। ସ୍ୱାସ୍ଥ୍ୟ ପରିଦର୍ଶିକା ବିଚିତ୍ର ପ୍ରଭା ଦେଇ, ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ସିଏଚଓ ଜ୍ୟୋସ୍ନାରାଣୀ ମହାନ୍ତିଙ୍କ ସମେତ ଅଙ୍ଗନବାଡି, ଆଶା କର୍ମୀ ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟ ଯୋଗଦାନ କରି ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ ।

 

Comments are closed.