ବେସରକାରୀ ଶିକ୍ଷାନୁଷ୍ଠାନରେ ଗରିବ ଛାତ୍ରଛାତ୍ରୀଙ୍କୁ ପାଠପଢା ସୁଯୋଗ ; ଏବିଇଓଙ୍କ ସହ ଆଲୋଚନା

ରେଙ୍ଗାଲିକ୍ୟାମ୍ପ : ଓଡ଼ିଶା ରାଜ୍ୟ କୃଷକ ସଂଗଠନ  ଅତାବିରା ଶାଖାର ବରିଷ୍ଠ ନେତାମାନେ ଯେ କେବଳ ଚାଷୀଙ୍କ ସମସ୍ୟା ପାଇଁ ଲଢେଇ କରୁଛନ୍ତି, ତା’ନୁହେଁ, ଗରିବ  ପିଲାମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଆଦି ଉପରେ ମଧ୍ୟ  ଗୁରୁତ୍ଵ ଦେଉଛନ୍ତି । ଗରିବ ପିଲାଙ୍କ ପାଠପଢାକୁ ନେଇ ସଂଗଠନର ସଭାପତି ହାରାଧନ ପ୍ରଧାନଙ୍କ ନେତୃତ୍ୱରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତପନ କୁମାର  ଦାସ ଓ କାର୍ତ୍ତିକ ଚନ୍ଦ୍ର ବାଗଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । ଶିକ୍ଷା ଅଧିକାର ଆଇନରେ ଓଡ଼ିଶା ସରକାରଙ୍କ ନିଶୁଳ୍କ  ଓ ବାଧ୍ୟତାମୂଳକ ଶିକ୍ଷା। ବେସରକାରୀ ଶିକ୍ଷାନୁଷ୍ଠାନ ରେ ୨୫ ପ୍ରତିଶତ ଛାତ୍ର ଛାତ୍ରୀଙ୍କ ଦେୟ ମୁକ୍ତ ନାମଲେଖାଇ ପାଠପଢି ପାରିବେ ବୋଲି  ଉଲ୍ଲେଖ ରହିଛି । କିନ୍ତୁ ଅଞ୍ଚଳର ଗରିବ ଛାତ୍ରଛାତ୍ରୀ ମାନେ ଏଥିରୁ ବଞ୍ଚିତ ହେଉଛନ୍ତି । ଜଣେ ଭଲ ପାଠ ପଢୁଥିଲେ ଏବଂ ଗୋଟିଏ  ଉନ୍ନତ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବାର ଇଚ୍ଛା ଥିଲେ ମଧ୍ୟ ଅର୍ଥାଭାବ ଯୋଗୁ ସେ ସେଠାରେ ପଢ଼ିପାରୁ ନାହିଁ । ଫଳରେ ବେଳେ ବେଳେ ତା’ର ଲକ୍ଷ୍ୟକୁ ସେ ହାସଲ କରିବାରେ ବିଫଳ ମଧ୍ୟ  ହେଉଛି । ତେଣୁ  ବିଭାଗୀୟ ଅଧିକାରୀ ମାନେ ଏ ଦିଗରେ ବିହିତ  ପଦକ୍ଷେପ ନିଅନ୍ତୁ ବୋଲି ସଂଗଠନ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା। ବିଶେଷ କରି ଗ୍ରାମାଞ୍ଚଳର ଅନଗ୍ରସର ତଥା ଗରିବ ଶ୍ରେଣୀର ଅଭିଭାବକମାନେ ଏସବୁ ନୀତି ନିୟମ ବିଷୟରେ ଅଜ୍ଞ ଅଟନ୍ତି। ତେଣୁ ସେମାନେ ଏହି ସୁବିଧା ବିଷୟରେ ଜାଣି ପାରୁ ନାହାନ୍ତି ।ତେଣୁ ସେମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉ ବୋଲି ବୋଲି ସଂଗଠନ ଦାବି ଉପସ୍ଥାପନ କରିଥିଲା। ଏ ନେଇ ଶ୍ରୀ ଦାଶ  କହିଥିଲେ  ଯେ ଲୋକଙ୍କୁ ବିଭିନ୍ନ ସରକାରୀ ନିୟମ ଉପରେ ସଚେତନ  କରିବା ପାଇଁ  ସରକାର  ବିଭିନ୍ନ ପ୍ରକାର ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ କରିବା ଉଚିତ୍। ଖବର କାଗଜ ମାଧ୍ୟମରେ ହେଉ ବା ଅନ୍ୟ କୌଣସି ଉପାୟରେ। କିନ୍ତୁ ତାହା ହେଉନାହିଁ ବୋଲି ଲୋକେ ଏସବୁ ବିଷୟରେ ଜାଣି ପାରୁ ନାହାନ୍ତି। ଯଦି କୌଣସି ଅଭିଭାବକ ନିଜ ପିଲାକୁ କୌଣସି ବେସରକାରୀ ଅନୁଷ୍ଠାନରେ ପାଠ ପଢାଇବାକୁ ଚାହୁଁଛନ୍ତି କିନ୍ତୁ ଆର୍ଥିକ  ସ୍ଵଚ୍ଛଳତା ନାହିଁ, ତେବେ ଆମକୁ ଜଣାଇଲେ ଆମେ ତାର ବ୍ୟବସ୍ଥା ନିଶ୍ଚୟ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଆଗାମୀ ଦିନରେ  ସଂଗଠନ ପକ୍ଷରୁ  ସ୍ଵତନ୍ତ୍ର ଅଭିଯାନ ଚଳାଇ ଏହା ସହ ସରକାରଙ୍କ  ଅନ୍ୟାନ୍ୟ ସୁବିଧା, ଅଧିକାର  ଯାହା ଲୋକେ ଜାଣି ପାରୁ ନାହାଁନ୍ତି, ତା ଉପରେ ସଚେତନ କରିବେ ବୋଲି ସଭାପତି କହିଛନ୍ତି । ଆଜିର ଏହି ଆଲୋଚନାରେ ସଂଗଠନର ବରିଷ୍ଠ ସଭ୍ୟ ବସନ୍ତ ବାରିକ, ବୃଷଭାନୁ ସାହୁ, ସମ୍ପାଦକ ଲୋକେସ୍ୱର ପ୍ରଧାନ, ପଲଉ ମାଝୀ, ଜଗନ୍ନାଥ ପ୍ରଧାନଙ୍କ ସମେତ ଲଦେର ପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ ଉପସ୍ଥିତ ଥିଲେ।

Comments are closed.